କୃମି ଔଷଧ ଖାଇ ୩୬ ଶିଶୁ ଅସୁସ୍ଥ ଘଟଣା : ମୁଖ୍ୟ ସଚିବଙ୍କୁ ନୋଟିସ

ଭୁବନେଶ୍ବର, କଟକ : କେନ୍ଦ୍ରାପଡା ଜିଲ୍ଲାରେ ଏକ୍ସପାରି କୃମି ଔଷଧ ଖାଇ ୩୬ ଜଣ ଶିଶୁ ଅସୁସ୍ଥ ହେବା ଘଟଣାକୁ ଜାତୀୟ ମାନବାଧିକାର କମିସନ ଗୁରତ୍ବର ସହିତ ଗ୍ରହଣ କରିଛନ୍ତି। ଏହି ପ୍ରସଂଗରେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ସ୍ପଷ୍ଟ ହେବା ସହିତ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଦାୟିତ୍ୱହୀନତାରୁ ଶିଶୁମାନେ ଅସୁସ୍ଥ ହୋଇଥିବା ଜଣାପଡିବା ପରେ କମିସନ କ୍ଷତି ପୂରଣ ପ୍ରସଂଗରେ ରାଜ୍ୟ ସରକାରଙ୍କ ନିକଟରୁ ସ୍ପଷ୍ଟୀକରଣ ଲୋଡିଛନ୍ତି। ୩୬ ଜଣ ଶିଶୁଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ କାହିଁକି କ୍ଷତିପୂରଣ ଦିଆ ନ ଯିବ ସେ ନେଇ କାରଣ ଦର୍ଶାଇବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କମିସନ୍ ନୋଟିସ୍ ଜାରି କରିଛନ୍ତି। ଏଥିସହିତ ଏହି ଘଟଣାରେ ଦୋଷୀ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିସନ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୪, ନଭେମ୍ବର ୫ରେ ଗରଦପୁର ବ୍ଲକର ଟିକନପୁର ସ୍କୁଲରେ ଆଶା କର୍ମୀ ଓ ଏଏନ୍ଏମ୍ ପିଲାମାନଙ୍କୁ କୃମି ନାଶକ ସିରପ ଦେଇଥିଲେ। ଏହାକୁ ଖାଇବା ପରେ ବେହୁଲା ଗାଁର ୧ ବର୍ଷ ବୟସରୁ ୧୦ ବର୍ଷ ବୟସର ୩୬ ଜଣ ପିଲା ଅସୁସ୍ଥ ହୋଇ ପଡିଥିଲେ। ପିଲାମାନଙ୍କ ବାନ୍ତି ହେବା ସହ ମୁଣ୍ଡବିନ୍ଧା, ପେଟରେ ଯନ୍ତ୍ରଣା ଓ ଜ୍ୱର ଆଦି ଲକ୍ଷଣ ଦେଖା ଦେଇଥିଲା। ପରେ ଜଣାପଡିଲା ଶିଶୁମାନଙ୍କୁ ଦିଆଯାଇଥିବା କୃମି ଔଷଧର ଏକ୍ସପାରି ତାରିଖ ପୂର୍ବରୁ ସରି ଯାଇଥିଲା। ବିଭାଗୀୟ କର୍ମଚାରୀଙ୍କ ଅବହେଳା ପାଇଁ ଏଭଳି ଘଟିଥିବା ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ୍ ଦାୟର କରିଥିଲେ। କମିସନ ପିଟିସନର ଶୁଣାଣି କରି ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ନୋଟିସ୍ ଜାରି କରିବା ସହ ଏହି ଘଟଣାରେ ବିଭାଗ କି ପଦକ୍ଷେପ ନେଇଛି ସେ ନେଇ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଭାଗୀୟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିଲା ଯେ ପିଲାମାନଙ୍କୁ ଦିଆଯାଇଥିବା ଆଲବେଣ୍ଡାଜୋଲ୍ ସିରପର ବୈଧ ତାରିଖ ପୂର୍ବରୁ ସମାପ୍ତ ହୋଇଯାଇଥିଲା। କିନ୍ତୁ ବିଭାଗୀୟ ଅଫିସରଙ୍କୁ ଘଣ୍ଟ ଘୋଡାଇବା ଲାଗି ଏଥିପାଇଁ ପରେ ଦିଆଯାଇଥିବା ରିପୋର୍ଟରେ ବିଭିନ୍ନ ଯୁକ୍ତି ଦର୍ଶାଯାଇଥିଲା। ଏଇ ନିକଟରେ ସରକାର ଦେଇଥିବା ରିପୋର୍ଟରେ କୁହାଯାଇଥିଲା ଯେ ଏଏନଏମ୍ ଓ ଆଶାକର୍ମୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏହା ହୋଇଥାଇପାରେ। କିନ୍ତୁ ଏହାକୁ କମିସନ ଅଗ୍ରାହ୍ୟ କରି କହିଛନ୍ତି ଯେ ପିଲାମାନଙ୍କୁ କେଉଁ ଔଷଧ ଦିଆଯିବ, ସେ ନିଷ୍ପତ୍ତି ନେବା ଡାକ୍ତର ଓ ମେଡିକାଲ ଅଫିସରଙ୍କର। ତେଣୁ ଔଷଧର ଏକ୍ସପାରି ତାରିଖ ଦେଖିବା ସେମାନଙ୍କ ଦାୟିତ୍ୱ। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। କମିସନଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଯେ ସରକାରୀ ଅବେହଳା ଯୋଗୁଁ ଶିଶୁମାନଙ୍କ ମାନବିକ ଅଧିକାର କ୍ଷୁଣ୍ଣ ହୋଇଛି ଓ ସେମାନେ କ୍ଷତିପୂରଣ ପାଇବାକୁ ହକଦାର। ତେଣୁ ସରକାର ୩୬ ଜଣ ଶିଶୁଙ୍କୁ ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ଲେଖାଏଁ ଅର୍ଥାତ୍ ମୋଟ୍ ୩ କୋଟି ୬୦ ଲକ୍ଷ ଟଙ୍କା କ୍ଷତିପୂରଣ କାହିଁକି ନଦେବେ, ସେ ନେଇ କାରଣ ଦର୍ଶାଅ ନୋଟିସ୍ କମିସନ୍ ଜାରି କରିଛନ୍ତି। ୬ ସପ୍ତାହ ମଧ୍ୟରେ ଏହାର ଜବାବ ରଖିବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର