ହିତାଧିକାରୀଙ୍କ ପାଖରେ ପହଞ୍ଚୁନି ରିଲିଫ, ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାରଙ୍କ ନୋଟିସ୍‌

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ଫନି’‌‌ରେ ସର୍ବାଧିକ ପ୍ରଭାବିତ ବିପନ୍ନମାନଙ୍କ ନିକଟ‌ରେ ସରକାରୀ ରିଲିଫ୍‌ ପହଞ୍ଚି ପାରିନାହିଁ। ପୁରୀ ଓ ଖୋର୍ଧା ଜିଲ୍ଲାରେ ଏଭଳି ଅନିୟମିତତା ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜାତୀୟ ମାନବାଧିକାର(ଏନ୍‌ଏଚ୍‌ଆର୍‌ସି) ନିଜ ଆଡ଼ୁ ଏକ ମାମଲା ରୁଜୁ କରିଛନ୍ତି। କେଉଁ ଅଞ୍ଚଳରେ ସର୍ବାଧିକ ବିପନ୍ନ ଅଛନ୍ତି, କେଉଁମାନଙ୍କୁ ପ୍ରଥମେ ରିଲିଫ ପହଞ୍ଚାଇବା ଆବଶ୍ୟକ, ତାଙ୍କୁ ଚିହ୍ନଟ କରିବା ସହ ରିଲିଫ ପହଞ୍ଚାଇବାକୁ ଏନ୍‌ଏଚ୍‌ଆରସି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍‌ କରିଛନ୍ତି। ୬ ସପ୍ତାହ ମଧ୍ୟରେ ଏନେଇ ଏକ ସବିଶେଷ ବିବରଣୀ ଏନ୍‌ଏଚ୍‌ଆରସିଙ୍କ ନିକଟରେ ଦାଖଲ କରିବା ପାଇଁ ନୋଟିସ୍‌ରେ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନଙ୍କ ରାସନ୍‌କାର୍ଡ ନାହିଁ ଓ ସେମାନେ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି, ସରକାର ସେମାନଙ୍କ ପାଇଁ କ’ଣ ବ୍ୟବସ୍ଥା କରିଛନ୍ତି, ସେ ବାବଦରେ ମଧ୍ୟ ଉତ୍ତର ରଖିବାକୁ ଏନ୍‌ଏଚ୍‌ଆରସି ନୋଟିସ୍‌ରେ ଦର୍ଶାଇଛନ୍ତି।

ସୂଚନା ମୁତାବକ, ୮ ତାରିଖ ଦିନ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ‌ରେ ବାତ୍ୟା ବିପନ୍ନମାନେ ଆନ୍ଦୋଳନ କରିଥିଲେ। ପୁରୀର ବିନୋଭାନଗର ଓ ଜଗନ୍ନାଥ ବସ୍ତିର ଶତାଧିକ ବିପନ୍ନ ଏନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରାଉ କରିଥିଲେ। ସେମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ରିଲିଫ ଦିଆଯାଇନଥିବାରୁ ସେମାନେ ଆନ୍ଦୋଳନ କରିଥିବା କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ଏନ୍‌ଏଚ୍‌ଆରସି ଏହି ମାମଲା ରୁଜୁ କରିଛନ୍ତି। ତେବେ ସରକାର ଏ ବାବଦରେ ବିଭିନ୍ନ ଗଣମାଧ୍ୟମରେ ସ୍ପଷ୍ଟୀକରଣ ରଖିଛନ୍ତି ଯେ ରାସନ୍‌ କାର୍ଡଧାରୀଙ୍କୁ ଅତିରିକ୍ତ ୫୦ କେଜି ଚାଉଳ ଓ ୨ ହଜାର ଟଙ୍କା ଦିଆଯାଉଛି।

ସମ୍ବନ୍ଧିତ ଖବର