ରାୟଗଡା: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର ଅଣ୍ଡିରାକଞ୍ଚ ଥାନା ଅଂଚଳରେ ଜଣେ ଗର୍ଭବତୀ ମହିଳାଙ୍କ ହାଜତରେ ଭର୍ତ୍ତି ରକିବା ଏବଂ ପରେ ସେହି ମହିଳା ଏକ ଛୁଆକୁ ଜନ୍ମ ଦେବା ପରେ ମୃତ୍ୟୁ ଘଟିବା ଘଟଣାକୁ ନେଇ ଏନଏଚଆରସିରେ କେଶ ରୁଜୁ ହେବା ପରେ ରାୟଗଡା ଏସପିଙ୍କୁ ଏନଏଚଆରସି ରିପୋର୍ଟ ତଲବ କରିଛନ୍ତି।ଆସନ୍ତା ଚାରି ସପ୍ତାହ ମଧ୍ୟରେ ଏହି ରିପୋର୍ଟ ପ୍ରଦାନ କରିବାକୁ ସେ ନିର୍ଦେଶ ଦେଇଛନ୍ତି।

Advertisment

ଘଟଣା ଅନୁଯାୟୀ ୨୦୨୨ ଡିସେମ୍ବର ମାସରେ ଅଣ୍ଡିରାକଞ୍ଚ ଥାନା ଅଂଚଳରେ ଥିବା ବାପିହମଲାଇ ଅଂଚଳରେ ଉତ୍କଳ ଆଲୁମିନା କମ୍ପାନିର ଖଣି ରହିଥିବା ବେଳେ ଦୋରାଗୁଡା ଥାନା ଅଂଚଳରେ ରେଫନରୀ ରହିଛି। ତେବେ ଅଣ୍ଡିରାକଞ୍ଚ ଦେଇ ଖଣି ଗାଡ଼ିଗୁଡିକରେ ଯିବା ଆସିବା କରୁଥିବାରୁ ବହୁ ସମୟରେ ଏହି ଅଂଚଳର ଲୋକେ ଏହାଦ୍ବାରା ପ୍ରଭାବିତ ହେଉଥିଲେ।ବହୁ ସମୟରେ ସ୍ଥାନୀୟ ଅଂଚଳର ଲୋକେ ଏଥିପାଇଁ ଧାରଣା ମଧ୍ୟ ଦେଉଥିଲେ।

ସେହିପରି ୨୦୨୨ ଡିସେମ୍ବର ୨୬ ତାରିଖରେ ସ୍ଥାନୀୟ ଅଂଚଳର ମହିଳାମାନେ ରାସ୍ତାରୋକ ରକିବା ସହ ଉତ୍କଳ ଆଲୁମିନା କମ୍ପାନିର ଗାଡିଗୁଡିକକୁ ଅଟକାଇଥିଲେ। ପୁଲିସ ଏଥିରେ ହସ୍ତକ୍ଷେପ କରିବା ଦ୍ବାରା ପୁଲିସ ଉପରେ ମଧ୍ୟ ମହିଳାମାନେ ଆକ୍ରମଣ କରିଥିଲେ। ଏପରିକି ଜଣେ ମହିଳା ସବଇନସପେକ୍ଟରଙ୍କ ଉପରେ ଆକ୍ରମଣ ରକିଥିଲେ ମହିଳାମାନେ। ପୁଲିସ ଏନେଇ କେଶ ରୁଜୁ କରି ୧୩ ଜଣ ମହିଳାଙ୍କୁ କୋର୍ଟକୁ ଚାଲାଣ କରିଥିଲା। ଏମାନଙ୍କ ବିରୋଧରେ ଆଇପିସି ଧାରା ୧୪୭,୧୪୮,୨୯୪,୨୮୩,୩୩୨, ୩୫୩,୩୦୭, ୫ ୦୬,୧୪୯ ରୁଜୁ କରାଯାଇଥିଲା।

ତେବେ ଗିରଫ ହୋଇଥିବା ୧୩ ଜଣ ମହିଳାଙ୍କ ମଧ୍ୟରେ ତୁଳାବତୀ ନାୟକ(୩୨) ମଧ୍ୟ ଥିଲେ, ଯିଏକି ୯ ମାସର ଗର୍ଭବତୀ ଥିଲେ। ଏମାନଙ୍କ କୋର୍ଟ ଚାଲାଣ କରିବା ପୂର୍ବରୁ ଡାକ୍ତରୀ ମାଇନା କରାଯାଇଥିଲା। ସେତେବେଳେ ଡାକ୍ତର କୌଣସି ମହିଳାଙ୍କୁ ଆହତ ହୋଇନଥିବା ଦର୍ଶାଇ ଛାଡ଼ି ଦେଇଥିଲେ। କିନ୍ତୁ ତୁଳାବତୀ ୯ ମାସର ଗର୍ଭବତୀ ଥିବା ଡାକ୍ତର ଜାଣିପାରିନଥିଲେ। ୨୦୨୩ ଜାନୁଆରି ୫ ତାରିଖରେ ଯେତେବେଳେ ପୁଲିସ ଏନେଇ ଅବଗତ ହେଲା ତୁରନ୍ତ ତାଳାବତୀକୁ ଖଲାସ କରିବା ପାଇଁ ସମସ୍ତ ବେଲ ତିଆରି କରିଥିଲା। ୧୦ ତାରିଖରେ ତୁଳାବତୀ ରାୟଗଡା ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ସେ ଗୁରୁତର ଥିବାରୁ ତାଂକୁ କୋରାପୁଟ ବଡମେଡିକାଲକୁ ନିଆଯାଇଥିଲା। ଜାନୁଆରି ୧୨ ତାରିଖରେ ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।

ତୁଳାବତୀଙ୍କୁ ହେପାଜତରେ ଉତ୍ତମ ଚିକିତ୍ସା ନମିଳିବାରୁ ମୃତ୍ୟୁବରଣ କରଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପାଇଥିଲା। ଜୟପୁର ଆଇନଜୀବୀ ତଥା ମାନବ ଅଧିକାର କର୍ମୀ ଅନୁପ କୁମାର ପାତ୍ର ଏନେଇ ଏନଏଚଆରସିଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାକୁ ଗୁରୁତର ସହ ନେଇ ଏନଏଚଆରସି ରାୟଗଡା ଏସପିଙ୍କୁ ତୁଳାବତୀ ନାୟକଙ୍କ ସମସ୍ତ ମେଡିକାଲ ରିପୋର୍ଟ ସହ ତାଂକୁ ଯେତେବେଳେ ରିମାଣ୍ଡରେ ନିଆଯାଇଥିଲା। ସେତେବେଳେ ଡାକ୍ତରଙ୍କର ରିପୋର୍ଟ ମଧ୍ୟ ଆସନ୍ତା ନଭେମ୍ବର ୨ ତାରିଖ ପୂର୍ବରୁ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ପୁଲିସର ଖାମଖିଆଲି ଏବଂ ଡାକ୍ତରଙ୍କର ଅଣଦେଖା ଯୋଗୁଁ ତଥା ହେପାଜତରେ ତୁଳାବତୀଙ୍କୁ ଉଚିତ ଚିକିତ୍ସା ନମିଳିବା ମାନବଅଧିକାରକୁ ଉଲଂଘନ କରୁଥିବା ନେଇ ଶ୍ରୀ ପାତ୍ର ନିଜ ରିପୋର୍ଟରେ ଦର୍ଶାଇଥିଲେ।