ଭୁବନେଶ୍ବର : ୨୦୧୭ ମସିହାରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଅଧୀନ ମୁରିବାହାଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ଜଣେ ମହିଳାଙ୍କ ବୃହଦନ୍ତ୍ର କଟିଯିବା ଘଟଣାରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜାତୀୟ ମାନବାଧିକାର କମିସନ। ପୀଡ଼ିତାଙ୍କୁ କାହିଁକି ୧ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରା ନ ଯିବ, ସେଥିଲାଗି ଆସନ୍ତା ୬ ସପ୍ତାହ ଭିତରେ ଉତ୍ତର ରଖିବା ଲାଗି କମିସନ ଉଲ୍ଲେଖ କରିଛନ୍ତି। ସୂଚନା ଅନୁସାରେ, ଜେମାମଣି ତାହାଣି ମୁରିବାହାଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦୧୭ ଅକ୍ଟୋବରରେ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଆସିଥିଲେ। ଅସ୍ତ୍ରୋପଚାରରେ ଅସାବଧନତା ଯୋଗୁଁ ମହିଳାଙ୍କ ବୃହଦନ୍ତ୍ର କଟି ଯାଇଥିଲା। ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ ଦିଲ୍ଲୀପ ଦାସ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ମାମଲା ଦାୟର କରିଥିଲେ। କମିସନ ଘଟଣାକୁ ଗୁରୁତ୍ବର ସହ ନେଇ ଏ ସଂପର୍କିତ ଏକ ରିପୋର୍ଟ ପ୍ରଦାନ କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କୁ ନୋଟିସ୍ କରିଥିଲେ। କମିସନଙ୍କ ପକ୍ଷରୁ ଅସ୍ତ୍ରୋପଚାର ସମୟରେ ଡାକ୍ତରଙ୍କ ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବା କୁହାଯାଇଥିଲା। ମାତ୍ର ଚିକିତ୍ସା ସଂପର୍କିତ ରେକର୍ଡ କମିସନଙ୍କ ବିଭାଗ ପ୍ରଦାନ କରିବାରେ ବିଫଳ ହୋଇଥିଲା। ୨ ସପ୍ତାହ ଭିତରେ ଏ ସଂପର୍କିତ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଥିଲେ ହେଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ ଚିକିତ୍ସା ରେକର୍ଡ ପ୍ରଦାନ କରାଯାଇନାହିଁ। ଏହି ଘଟଣାରେ କମିସନଙ୍କ ନିକଟରେ ହାଜର ହେବା ଲାଗି ସ୍ବାସ୍ଥ୍ୟ ସଚିବଙ୍କୁ ସମନ୍ ହୋଇଥିଲେ ହେଁ ସେ ଏଥିରେ ହାଜର ହୋଇ ନ ଥିଲେ। ତେବେ ଅସ୍ତ୍ରୋପଚାର ବେଳେ ଅସାବଧନତା ଯୋଗୁଁ ଏଭଳି ଘଟଣା ଘଟିବା ମାନବାଧିକାରର ଉଲ୍ଲଂଘନ ହୋଇଥିବା କମିସନ ଦର୍ଶାଇଛନ୍ତି। ତେଣୁ ପୀଡ଼ିତାଙ୍କୁ କାହିଁକି ୧ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ ନାହିଁ ବୋଲି କମିସନ୍ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ବୃହଦନ୍ତ୍ର କଟିଯିବା ଘଟଣା : ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବାଧିକାର କମିସନଙ୍କ ନୋଟିସ୍
/sambad/media/post_attachments/wp-content/uploads/2019/12/nhrc-696x391.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)