୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା : ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆରସିଙ୍କ ରିପୋର୍ଟ ତଲବ

ବ୍ରହ୍ମପୁର : ଖଲ୍ଲିକୋଟ ଥାନା ଇଲାକାର ୨ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଜ‌ାତୀୟ ମାନିବକ ଅଧିକାର କମିସନ୍‌ (ଏନ୍‌ଏଚ୍‌ଆରସି) ରିପୋର୍ଟ ତଲବ କରିଛନ୍ତି। ୪ ସପ୍ତାହ ମଧ୍ୟରେ ସବିଶେଷ ପଦକ୍ଷେପ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜୁଲାଇ ୧୧ ତାରିଖରେ ହେବାକୁ ଦିନ ଧାର୍ଯ୍ୟ ହୋଇଛି। ଗତ ହୋଲିରେ ଖଲ୍ଲି‌କୋଟ ଥାନା ଅଧୀନ ଗୋଟିଏ ଗାଁ ଓ ଗୋଟିଏ ସାହିର ଦୂର ସମ୍ପର୍କୀୟ ଦୁଇ ନାବାଳିକା ଭଉଣୀଙ୍କୁ ୫ଜଣ ଯୁବକ ଟେକି ନେଇ ଜଙ୍ଗଲିଆ ରାସ୍ତାକଡ଼ରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା କ୍ରମେ ଖଲ୍ଲିକୋଟ ଥାନାରେ କେସ୍ ନମ୍ବର ୧୧୧ ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା। ଏହି କେସ୍‌ ଜାତୀୟ ମାନବିକ ଅଧିକାର କମିସନଙ୍କ ନିକଟରେ ପହଞ୍ଚିଛି। ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ଏନ୍‌ଏଚ୍‌ଆରସିରେ ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କ ପରିବାରଙ୍କୁ ୧୦ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବା ସହ ଘଟଣାରେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବା ଲାଗି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ନିବେଦନ କରିଛନ୍ତି। କମିସନ୍‌ ଏହି ଆବେଦନକୁ ଗ୍ରହଣ କରି ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର