ସଙ୍ଗରୋଧ କେନ୍ଦ୍ର ମୃତ୍ୟୁ ଘଟଣା : ଜିଲ୍ଲାପାଳଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

୪ ସପ୍ତାହରେ ମହଲତ, ନଚେତ ବ୍ୟକ୍ତିଗତ ହାଜର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ ଢୁଙ୍କାପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ସୁରତ ଫେରନ୍ତା ପ୍ରଫୁଲ୍ଲ ବେହେରାଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିସନ ପ(ଏନ୍‌ଏଚ୍‌ଆରସି) ଗଞ୍ଜାମ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି। ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି, ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୨ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ପୋଲସରା ବ୍ଲକ୍‌ ମଧୁପଲ୍ଲୀ ଗ୍ରାମ ମାଟିଆ ସାହିର ପ୍ରଫୁଲ୍ଲ ବେହେରା(୪୦) ମେ ୬ତାରିଖରେ ସୁରତରୁ ସ୍ବତନ୍ତ୍ର ଶ୍ରମିକ ‌ଟ୍ରେନ୍‌ରେ ଫେରିଥିଲେ। ତାଙ୍କୁ ଢୁଙ୍କାପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଥିଲା। ଆସିବା ସମୟରୁ ପ୍ରଫୁଲ୍ଲ ଜ୍ବରରେ ପୀଡ଼ିତ ଥିଲେ। ୮ତାରିଖ ଅପରାହ୍‌ଣରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଥିଲା। ଉପଯୁକ୍ତ ଚିକିତ୍ସା ଅଭାବରୁ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁରୀର ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ ଏନ୍ଏଚ୍ଆରସିଙ୍କ ଦ୍ବାରସ୍ଥ ହୋଇଥିଲେ। ଏନ୍‌ଏଚ୍‌ଆରସି ଏହି ଆବେଦନ ଗ୍ରହଣ କରି ମାମଲା ରୁଜୁ କରିଛନ୍ତି। ୪ ସପ୍ତାହ ମଧ୍ୟରେ ସବି‌ଶେଷ ରିପୋର୍ଟ ଦାଖଲ କରିବା ଲାଗି ଗଞ୍ଜାମ ଜିଲ୍ଲାପାଳଙ୍କୁ ଏନ୍‌ଏଚ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ସମୟରେ ରିପୋର୍ଟ ଦାଖଲ ନକଲେ ମାନବାଧିକାର ସୁରକ୍ଷା ଆଇନ ୧୯୯୩ର ଧାରା ୧୩ ଅନୁଯାୟୀ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ପଡ଼ିବ କମିସନ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର