ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ଜାତୀୟ ମାନବାଧିକାର କମିସନ

ବରଗଡ଼ ଜିଲ୍ଲାରେ ୫୦ଦିନରେ ୧୨ଚାଷୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ବରଗଡ଼ ଜିଲ୍ଲାରେ ୫୦ଦିନରେ ୧୨ଜଣ ଚାଷୀ ଆତ୍ମହତ୍ୟା କରିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଏନେଇ ଜାତୀୟ ମାନବାଧିକାର କମିସନ ନିଜଆଡ଼ୁ ତତ୍ପରତା ଦେଖାଇଛନ୍ତି। ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ଘଟଣାକୁ କମିସନ ଗୁରୁତର ସହ ନେଇଛନ୍ତି। ରାଜ୍ୟରେ କେଉଁଭଳି ସ୍ଥିତିରେ କେତେ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି ସେନେଇ ସବିଶେଷ ତଥ୍ୟ ଦେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କରିଛନ୍ତି।

ଜାତୀୟ ମାନବାଧିକାର କମିସନ କହିଛନ୍ତି ଯେ, ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ରାଜ୍ୟରେ ଗରୀବଙ୍କ ବଞ୍ଚିବାର ଅଧିକାର ଉଲ୍ଲଂଘନ ହେଉଛି ବୋଲି ସୂଚାଉଛି। ଏଥିରେ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବା ଦରକାର। ଚାଷୀ ଆତ୍ମହତ୍ୟା କାହିଁକି ହେଉଛି, ଏହାର ପ୍ରତିକାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କ’ଣ ସହାୟତା ଯୋଗାଯାଉଛି, ପ୍ରଭାବିତ ହେଉଥିବା ପରିବାରଙ୍କ ପାଇଁ ପୁନଃ ଥଇଥାନ ଯୋଜନାରେ କ’ଣ କରାଯାଇଛି ସେ ନେଇ ମୁଖ୍ୟ ଶାସନ ସଚିବ ଆସନ୍ତା ୪ସପ୍ତାହ ମଧ୍ୟରେ ଉତ୍ତର ରଖନ୍ତୁ।

ଏହାସହ କମିସନ ଅନୁଭବ କରୁଛନ୍ତି ଯେ, ସାରା ଦେଶରେ ବିଶେଷକରି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, କେରଳ, ଛତିଶଗଡ଼, ତାମିଲନାଡ଼ୁ ଏବଂ ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ବହୁ ଚାଷୀ ଓ କୃଷି ଶ୍ରମିକ ଆତ୍ମହତ୍ୟା କରୁଛନ୍ତି। ଏହାକୁ ଧ୍ୟାନରେ ରଖି କମିସନ କେନ୍ଦ୍ର ସରକାର ଏବଂ ଉପରୋକ୍ତ ରାଜ୍ୟର ସରକାର ତୁରନ୍ତ ବିହିତ ପଦକ୍ଷେପ ନେବାକୁ କହିଛନ୍ତି। ଚାଷୀ ଓ କୃଷି ଶ୍ରମିକମାନଙ୍କ ସହ ରାଜ୍ୟ ସରକାର ଆଲୋଚନା କରି ସେମାନଙ୍କୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନ ନେବାକୁ ବୁଝାଇବାକୁ କମିସନ କହିଛନ୍ତି।

ସମ୍ବନ୍ଧିତ ଖବର