ବାଲେଶ୍ବର ନାବାଳିକା ଯୌନ ଆକ୍ରମଣ ମାମଲା ତଦନ୍ତରେ ମନ୍ଥରତା: ସଦ୍ୟ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ବାଲେଶ୍ବର ପୁଲିସକୁ ‘ଏନ୍‌ଏଚ୍‌ଆର୍‌ସି’ଙ୍କ ନିର୍ଦେଶ

ନୂଆଦିଲ୍ଲୀ: ୨୦୧୬ ଜୁନ୍‌ରେ ଜଣେ ନାବାଳିକାଙ୍କ ଉପରେ ହୋଇଥିବା ଯୌନ ଆକ୍ରମଣ ମାମଲା ବୁଝିବାରେ ଓଡ଼ିଶା ରାଜ୍ୟ ପ୍ରଶାସନର ମନ୍ଥରତାରେ ଜାତୀୟ ମାନବ ଅଧିକାର କମିସନ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସଦ୍ୟତମ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ବାଲେଶ୍ବର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ନିର୍ଦେଶ ଦେଇଛନ୍ତି।

ଏଥିସହ ‘୨୦୨୦ ପୋକ୍‌ସୋ ଆଇନ’ ଅନୁସାରେ ଜଣେ ଓକିଲଙ୍କ ମାଧ୍ୟମରେ ବାଲେଶ୍ବରସ୍ଥିତ ‘ଜିଲ୍ଲା ଆଇନ ସେବା ପ୍ରାଧିକରଣ‌’ରେ ଆବେଦନ କରିବା ଓ ଚଳିତ ଅକ୍ଟୋବର ୧୫ ସୁଦ୍ଧା ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ ବ୍ୟବସ୍ଥା କରିବାକୁ ମଧ୍ୟ ‘ଏନ୍‌ଏଚ୍ଆର୍‌ସି’ ତାଙ୍କୁ ଉପରୋକ୍ତ ନିର୍ଦେଶନାମାରେ କହିଛନ୍ତି।

ତିନି ବର୍ଷ ତଳୁ ଆବେଦନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୀଡ଼ିତାଙ୍କୁ ଅନୁକମ୍ପାମୂଳକ ଅର୍ଥରାଶି ମିଳିନାହିଁ। ବାଲେଶ୍ବର ପୁଲିସର ଆଳସ୍ୟ ମନୋବୃତ୍ତି ପ୍ରସଙ୍ଗ ଉଲ୍ଲେଖ କରି ସମାଜିକକର୍ମୀ ତଥା ଓକିଲ ରାଧାକାନ୍ତ ତ୍ରିପାଠୀ ‘ଏନ୍‌ଏଚ୍‌ଆର୍‌ସି’ରେ ପିଟିସନ୍ ଦାଏର କରିଥିଲେ।

ପିଟିସନ୍ ଅନୁସାରେ, ୧୧ ବର୍ଷୀୟ ପୀଡ଼ିତା ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ଅପରାଧୀମାନେ ଜଣକ ଘର ଚିହ୍ନାଇ ଦେବାକୁ ତାଙ୍କୁ ଡାକି ନେଇଥିଲେ। ସନ୍ଧ୍ୟା ସୁଦ୍ଧା ଘରକୁ ‌ନ ଫେରିବାରୁ ପରିବାର ଲୋକେ ପୀଡ଼ିତାଙ୍କୁ ଖୋଜାଖୋଜି କରି ଗାଁ ନିକଟ ଜାତୀୟ ରାଜପଥ ଓଭର୍‌ବ୍ରିଜ୍ ତଳୁ ପାଇଥିଲେ। ଅତି ସାଙ୍ଘାତିକ ଅବସ୍ଥାରେ ଥିବା ପୀଡ଼ିତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Image Courtesy of Izzso News Travels fast

ଘଟଣାଟି ସୋରୋ ଥାନା ଅନ୍ତର୍ଗତ ତଳନଗର ଗାଁରେ ଘଟିଥିଲା। ପୀଡ଼ିତାଙ୍କୁ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ମଧ୍ୟ ମିଳି ନ ଥିଲା। ତାଙ୍କ ଲାଗି ଅନୁକମ୍ପାମୂଳକ ଅର୍ଥରାଶି, ସାଇକୋ-ସୋସିଆଲ୍ କାଉନ୍‌ସେଲିଙ୍ଗ୍‌ ଓ ଥଇଥାନ ବ୍ୟବସ୍ଥା ମଧ୍ୟ ହୋଇ ନ ଥିଲା ବ‌ୋଲି ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି।

ଏହି ମାମଲର ତଦନ୍ତ ନିମନ୍ତେ ଏକ ‘ସିଟ୍‌’ ଗଠନ କରିବା ସହ ଛଅ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଓଡ଼ିଶା ପୁଲିସ ମହାନିର୍ଦେଶକଙ୍କୁ ‘ଏନ୍‌ଏଚ୍‌ଆର୍‌ସି’ ୨୦୧୯ ମେ ୨୨ ତାରିଖରେ ନିର୍ଦେଶ ଦେଇଥିଲେ। କିନ୍ତୁ, ବାଲେଶ୍ବର ପୁଲିସ କହିଥିଲା ଯେ, ଅଭିଯୁକ୍ତମାନଙ୍କର ସ୍କେଚ୍ ପ୍ରସ୍ତୁତ ହୋଇଥିଲେ ବି ଏ ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିନାହିଁ, ତଦନ୍ତ ଚାଲିଛି।

‘ଏନ୍‌ଏଚ୍ଆର୍‌ସି’ଙ୍କ ନିର୍ଦେଶ ପାଇବା ପରେ ଜିଲ୍ଲାପାଳ ଦର୍ଶାଇଛନ୍ତି ଯେ, ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ପଦକ୍ଷେପ ନେଇଥିଲେ ବି ସେମାନେ ଧରାପଡ଼ି ନାହାନ୍ତି। ସେମାନଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଛି। ଏହାଛଡ଼ା, ସମ୍ପ୍ରତି ନିଜ ପିତାମାତାଙ୍କ ସହ ବାସ କରୁଥିବା ପୀଡ଼ିତାଙ୍କୁ ଆଇନଗତ ସହାୟତା ଏବଂ ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ ନିମନ୍ତେ ପୁଲିସ ‘ଜିଲ୍ଲା ଆଇନ ସେବା ପ୍ରାଧିକରଣ’‌ରେ ଆବଶ୍ୟକ ଆବେଦନ ପତ୍ର ଦାଖଲ କରିଛି।

ସମ୍ବନ୍ଧିତ ଖବର