ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଲଖନା ଥାନା ଅନ୍ତର୍ଗତ ସମରସିଂ ଗାଁର ଦାଦନ ଶ୍ରମିକ ପାଣ୍ଡବ ବିଭାର ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଆତ୍ମହତ୍ୟା କରିଥିବା ବେଳେ ମୃତ ପରିବାରଙ୍କୁ ସେଠାରେ ଶ୍ରମିକ ସର୍ଦ୍ଦାର ବନ୍ଧକ ରଖିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହା ଉପରେ ଜାତୀୟ ମାନବାଧିକାର କମିସନ ମୃତ ପାଣ୍ଡବ ପରିବାରକୁ ଉଦ୍ଧାର ପାଇଁ ଲକ୍ଷ୍ନୌ ଜିଲ୍ଲାପାଳଙ୍କୁ ନୋଟିସ ଜାରି କରିଛନ୍ତି।
ପ୍ରକାଶ ଯେ ନୂଆପଡ଼ା ଜିଲ୍ଲା କୋମନା ବ୍ଳକର ଲଖନା ଥାନା ଅନ୍ତର୍ଗତ ସମରସିଂ ଗାଁର ଦାଦନ ଶ୍ରମିକ ପାଣ୍ଡବ ବିଭାରଙ୍କୁ ଗତ ନଭେମ୍ବର ୧୪ ତାରିଖ ଦିନ ଶ୍ରମିକ ଦଲାଲ ସନ୍ତୋଷ ସାହୁ ୪୦ ହଜାର ଟଙ୍କା ଦେଇ ସପରିବାର ଉତ୍ତରପ୍ରଦେଶର ଲକ୍ଷ୍ନୌ ସହରକୁ ନେଇ ଯାଇଥିଲେ। ପାଣ୍ଡବଙ୍କ ସହ ତାଙ୍କ ସ୍ତ୍ରୀ ରୁକ୍ମିଣୀ ବିଭାର(୪୦), ପୁଅ ଗଜିନ୍ଦ୍ର ବିଭାର(୬), ଝିଅ ବର୍ଷା ବିଭାର(୪) ନଭେମ୍ବର ୧୬ ତାରିଖରୁ ଲକ୍ଷ୍ନୌ ଜିଲ୍ଲାର ନିଗୋଉ ଥାନା ଅନ୍ତର୍ଗତ ବାରବାଙ୍କି ନିକଟସ୍ଥ ବଜରଙ୍ଗୀ ଭାଟିରେ ଇଟା ତିଆରି କରୁଥିଲେ। ନଭେମ୍ବର ୧୭ରେ ସକାଳେ ପାଣ୍ଡବ କୌଣସି କାମରେ ଇଟାଭାଟିରୁ ବାହାରକୁ ଯାଇ ଆଉ ସନ୍ଧ୍ୟାରେ ଫେରିନଥିଲେ। ୧୮ ତାରିଖ ଦିନ ଲକ୍ଷ୍ନୌ ପୁଲିସ ପାଣ୍ଡବ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ।
ସେଠାରେ ପାଣ୍ଡବଙ୍କ ଶବ ଦ୍ବଇ ଦିନ ପଡ଼ିଥିବା ବେଳେ ପରିବାର ଲୋକ ଏକ ଗାଡି ଭଡ଼ା କରି ଶବକୁ ନିଜ ଗାଁକୁ ଆଣିଥିଲେ। କିନ୍ତୁ ଇଟାଭାଟି ମାଲିକ ମୃତ ପାଣ୍ଡବ ବିଭାରଙ୍କ ସହ ପରିବାରକୁ ଛାଡ଼ିନଥିଲେ। ସେଠାରେ ସ୍ତ୍ରୀ ସହ ପୁଅ ଓ ଝିଅ ବନ୍ଧକ ଥିବା ଜଣାଇ ପରିବାର ଲୋକେ ନୂଆପଡ଼ା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣା ଉପରେ କଳାହାଣ୍ଡିର ମାନବାଧିକାର କର୍ମୀ ଦିଲୀପ କୁମାର ଦାସଙ୍କ ପକ୍ଷରୁ ଜାତୀୟ ମାନବ ଅଧିକାର କମିସନଙ୍କଠାରେ କେଶ ନଂ ୩୫୨୭୬/୨୪/୪୮/୨୦୧୯-ପିଏଲରେ ଅଭିଯୋଗ କରାଯାଇଥିଲା।
ଏହା ଉପରେ ଜାତୀୟ ମାନବାଧିକାର କମିସନ ଶୁଣାଣି କରି ପାଣ୍ଡବଙ୍କ ପରିବାରକୁ ଉଦ୍ଧାର କରିବା ପାଇଁ ଲକ୍ଷ୍ନୌ ଜିଲ୍ଲାପାଳଙ୍କୁ ନୋଟିସ୍ କରିବା ସହ ତୁରନ୍ତ ଜଣେ ଦକ୍ଷ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇ ତଦନ୍ତ କରାଇବାକୁ କହିଛନ୍ତି।ଏହା ସହିତ ବନ୍ଧକମାନଙ୍କୁ ଉଦ୍ଧାର ଦିଗରେ ପଦକ୍ଷେପ ନେବା ପାଇଁ ଜାତୀୟ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି।