ନୂଆଦିଲ୍ଲୀ: ପୁରୀ ବାଲି ଉପର ବସ୍ତି ଉଚ୍ଛେଦ କରାଯିବା ପୂର୍ବରୁ ବାସିନ୍ଦାଙ୍କ ଥଇଥାନ ପ୍ରସଙ୍ଗରେ ଉପୁଜିଥିବା ବିବାଦର ସମାଧାନ କରିବା ନିମନ୍ତେ ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କର ଏକ ମିଳିତ ବୈଠକ ଆୟୋଜନ କରାଇବାକୁ ଜାତୀୟ ମାନବ ଅଧିକାର କମିସନ ନୂଆଦିଲ୍ଲୀସ୍ଥିତି ରେଳବାଇ ବୋର୍ଡ ଅଧ୍ୟକ୍ଷ ଏବଂ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି।
ମୁଖ୍ୟତଃ, ଅନୁସୂଚୀତ ଜାତି ଓ ଜନଜାତି ସମ୍ପ୍ରଦାୟ ଲୋକ, ପିଲା ଏବଂ କୁଷ୍ଠରୋଗୀମାନେ ବସବାସ କରୁଥିବା ପ୍ରାୟ ୫୦୦୦ ବସ୍ତି ବାସିନ୍ଦାଙ୍କୁ ବିନା ଥଇଥାନ ବ୍ୟବସ୍ଥାରେ ବଳପୂର୍ବକ ସେଠାରୁ ଉଠାଇ ଦିଆଯିବ ବୋଲି ପୂର୍ବତଟ ରେଳବାଇ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ଧମକ ଦେଇଥିବା ମାନବିକ ଅଧିକାର କର୍ମୀ ଅଖଣ୍ଡ ୨୦୧୪ ଅକ୍ଟୋବର ୨୧ ତାରିଖ ଦିନ ‘ମାନବ ଅଧିକାର କମିସନ୍’ଙ୍କ ନିକଟରେ ଅଭିଯୋଗ କରିଥିଲେ। ଦୀର୍ଘ ୪୦ ବର୍ଷ ହେବ ଏହି ପରିବାର ସବୁ ବାଲି ଉପର ବସ୍ତିରେ ବସବାସ କରି ଆସୁଛନ୍ତି।
୨୦୧୯ ଜାନୁଆରି ୨୭ ତାରିଖରେ ଏ ସଂକ୍ରାନ୍ତରେ ଜାତୀୟ ମାନବ ଅଧିକାର କମିସନ କହିଥିଲେ କି, ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କ କାଳକ୍ଷେପଣ ମନୋଭାବ ଯୋଗୁଁ ଅନେକ ସମୟ ନଷ୍ଟ ହୋଇଯାଇଥିବାରୁ ପ୍ରଭାବିତ ଲୋକମାନଙ୍କ ମଧ୍ୟରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଏଥିଯୋଗୁଁ ଅନେକ ବ୍ୟକ୍ତି, ପରିବାର ଏବଂ ପିଲାମାନଙ୍କର ମାନବିକ ଅଧିକାର କ୍ଷୁଣ୍ଣ ହେବାକୁ ଯାଉଛି।
/sambad/media/post_attachments/wp-content/uploads/2020/12/nhrc1-1024x674.jpg)
୨୦୧୯ ଏପ୍ରିଲ୍ ୧୨ରେ ଖୋର୍ଦ୍ଧା ରୋଡ୍ସ୍ଥିତ ପୂର୍ବତଟ ରେଳବାଇର ସିନିଅର୍ ଡିଭିଜିନାଲ୍ ଇଞ୍ଜିନିୟର୍ ମାନବ ଅଧିକାର କମିସନ୍ଙ୍କୁ ରିପୋର୍ଟ ଦେଇଥିଲେ ଯେ, ଏହି ମାମଲାରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ହସ୍ତକ୍ଷେପ ଲୋଡ଼ାଯାଇ ଥିଲେ ବି ପରିସ୍ଥିତିରେ କୌଣସି ଅଗ୍ରଗତି ହୋଇନାହିଁ। ମାଳତୀପାଟପୁର ମୌଜାରେ ସରକାରୀ ଜମି ଚିହ୍ନଟ ଓ ପୃଥକ୍ କରି କେବେ ରେଳବାଇକୁ ଦିଆଯିବ ସେଥିପାଇଁ ଅପେକ୍ଷା କରାଯାଇଛି। ମାଳତୀପାଟପୁର ବଦଳରେ ଅନ୍ୟତ୍ର ଜମି ଯୋଗାଇ ଦିଆଗଲେ ‘ରାଜୀବ ଗାନ୍ଧୀ ଆବାସ ଯୋଜନା’ରେ ଗୃହ ନିର୍ମାଣ ଲାଗି ବାଲୁଖଣ୍ଡ ମୌଜାର ବାଲି ଉପର ବସ୍ତିକୁ ରେଳବାଇ ସରକାରଙ୍କୁ ହସ୍ତାନ୍ତର କରିବ।
କିନ୍ତୁ, ଏହି ପ୍ରକ୍ରିୟା ନିମନ୍ତେ କି ପଦକ୍ଷେପ ନିଆଯାଇଛି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ୨୦୧୯ ଏପ୍ରିଲ୍ ୧୨ ତାରିଖ ଦିନ ଜାତୀୟ ମାନବ ଅଧିକାର କମିସନ୍ ଓଡ଼ିଶାର ମୁଖ୍ୟ ସଚିବଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ରିପୋର୍ଟ ମିଳିନାହିଁ।
ତେଣୁ, ୨୦୨୧ ଜାନୁଆରି ୨୧ ତାରିଖ ଦିନ ଉକ୍ତ ରିପୋର୍ଟ ଦାଖଲ କରିବାକୁ କମିସନ୍ ପୁନର୍ବାର ନିର୍ଦେଶ ଦେଇଛନ୍ତି। ଯଦି ଏହି ରିପୋର୍ଟ ନ ମିଳେ, ଆବଶ୍ୟକ ରିପୋର୍ଟ ସହ ୨୦୨୧ ଜାନୁଆରି ୨୮ ତାରିଖ ଦିନ ୧୧ଟା ବେଳେ ବ୍ୟକ୍ତିଗତ ଭାବେ କମିସନ୍ଙ୍କ ଆଗରେ ଉପସ୍ଥିତ ହେବାକୁ ଓଡ଼ିଶାର ମୁଖ୍ୟ ସଚିବଙ୍କ ନିକଟକୁ ସମନ ଜାରି କରାଯିବ।