ରାଉରକେଲା: ଗତ ଡିସେମ୍ବର ୨୦୨୩ରେ ସହରରେ ବ୍ୟାପୀଥିବା ଡାଇରିଆରେ ୧୩ରୁ ଅଧିକ ଜଣଙ୍କର ଜୀବନ ଯାଇଥିଲା। ଏହି ଘଟଣାର ହସ୍ତକ୍ଷେପ କରିବାକୁ ସୁବ୍ରତ କୁମାର ଦାଶ ଜାତୀୟ ମାନବ ଅଧିକାର କମିସନ (ଏନଚ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଦ୍ବାରସ୍ଥ ହୋଇଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ତୁରନ୍ତ ଉଚ୍ଚସ୍ତରୀୟ ଚିକିତ୍ସା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ଶ୍ରୀ ଦାସ ଗତ ୨୦୨୩ ଡିସେମ୍ବର ୨୧ରେ ଏଚ୍‌ଏଚ୍‌ଆର୍‌ସିରେ ମାମଲା ଦାୟର କରିଥିଲେ। ଯାହାର ‌କେସ୍‌ ନଂ ଥିଲା ୨୧୦୦୦/୨୦୨୩। ଏହି ସମ୍ବେଦନଶୀଳ ମାମଲାର ବିଚାର କରି ଏନ୍‌ଏଚ୍‌ଆର୍‌ସି ଓଡ଼ିଶା ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ସମ୍ପୂର୍ଣ୍ଣ ଘଟଣାର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ତେବେ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ ମୁତାବକ ସ୍ବାସ୍ଥ୍ୟ ସଚିବ ଏ ଦିଗରେ କି ପଦକ୍ଷେପ ନେଉଛନ୍ତି, ତା’ ଉପରେ ସହରବାସୀଙ୍କ ନଜର ରହିଛି। ଉଲ୍ଲେଖଯୋଗ୍ୟ, ଦୂଷିତ ପାଣି ପିଇ ସହରରେ ଡାଇରିଆରେ ୧୩ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଆର୍‌ଜିଏଚ୍‌ ସମେତ ସହରର ବିଭିନ୍ନ ଘରୋଇ ହସ୍ପିଟାଲରେ ୧୫୦୦ରୁ ଅଧିକ ଡାଇରିଆରେ ରୋଗୀ ଚିକିତ୍ସିତ ‌ହୋଇଥିଲେ। ବଢ଼ିଚାଲିଥିବା ଡାଇରିଆରେ ସ୍ଥିତି ଅନୁଧ୍ୟାନ ପାଇଁ ଗତ ୨୦ ଡିସେମ୍ବରରେ ଗୃହ ଓ ନଗର ଉନ୍ନୟନ ସଚିବ ଜି. ମାଥିଭାଥନ୍‌, ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏବଂ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ଆର୍‌ଜିଏଚ୍‌ରେ ପହଞ୍ଚିଥିଲେ। ହଇଜା ସ୍ଥିତିର ବିସ୍ତୃତ ସମୀକ୍ଷା କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି, ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡା. ଧରଣୀରଞ୍ଜନ ଶତପଥୀ, ଆର୍‌ଜିଏଚ୍‌ ନିର୍ଦ୍ଦେଶକ ଡା. ଡିବି ଦାସ, ଅଧୀକ୍ଷକ ଡା. ସୁଧାରାଣୀ ପ୍ରଧାନଙ୍କ ସହ ସ୍ବାସ୍ଥ୍ୟ ସଚିବ ଶାଳିନୀ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସମୀକ୍ଷା ବୈଠକରେ ହାଇଟେକ୍‌ ମେଡିକାଲ କଲେଜ, ଜୟପ୍ରକାଶ ହସ୍ପିଟାଲ, ଆଇଜିଏଚ୍‌ ତରଫରୁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ନିର୍ବାହୀ ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଥିଲେ। ପରେ ସ୍ବାସ୍ଥ୍ୟ ସଚିବ ଆର୍‌ଜିଏଚ୍‌ର ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କ ସହ କଥା ହୋଇଥିଲେ। ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି କି ନାହିଁ ପଚାରି ବୁଝିଥିଲେ। ସେମିତି କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍‌ ମଧ୍ୟ ଆର୍‌ଜିଏଚ୍‌ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସହରର ପ୍ରମୁଖ ପାଣି ଯୋଗାଣ ପଏଣ୍ଟରୁ ପାଣିର ନମୁନା ସଂଗ୍ରହ କରି ନେଇଥିଲେ। କେବଳ ଏତିକି ନୁହେଁ ବିଜେପି, କଂଗ୍ରେସ ଓ ସିପିଆଇଏମ୍‌ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଥିଲେ।