ରାୟଗଡ଼ା, : ରାୟଗଡ଼ା ବ୍ଲକ୍ ହାଟଶେଷଖାଲ ପଞ୍ଚାୟତ କେରାଣ୍ଡି ଗ୍ରାମବାସୀ ଚାଉଳ ପାଇଁ ନଦୀ ଡେଇଁ ୬ କିମି ଚାଲିବା ଘଟଣାରେ ରାୟଗଡ଼ା ଜିଲ୍ଲାପାଳଙ୍କୁ ସର୍ତ୍ତମୂଳକ ସମନ ଜାରି କରିଛନ୍ତି ଜାତୀୟ ମାନବାଧିକାର କମିସନ୍ (ଏନ୍ଏଚ୍ଆର୍ସି)। କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାରେ ଅବହେଳାକୁ ନେଇ କମିସନ୍ ଏହି ସମନ ଜାରି କରିବା ସହ ୨୦୨୩ ଜାନୁଆରି ୧୧ ତାରିଖରେ କମିସନଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି, ୨୦୨୩ ଜାନୁଆରି ୪ ତାରିଖ ସୁଦ୍ଧା ଜିଲ୍ଲାପାଳ ଯଦି ରିପୋର୍ଟ ଦାଖଲ କରିଦିଅନ୍ତି, ତା’ହେଲେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ନାହିଁ ବୋଲି କମିସନ ଉଲ୍ଲେଖ କରିଛନ୍ତି।
୨୦୨୨ ଫେବ୍ରୁଆରି ୨୩ ତାରିଖରେ ‘ ବିକାଶ ଖୋଜୁଛି ଆନ୍ଧ୍ର ସୀମାନ୍ତ କେରାଣ୍ଡି ଗାଁ, ଚାଉଳ ପାଇଁ ନଦୀ ଡେଇଁ ଚାଲୁଛନ୍ତି ୬କିମି ସଂପର୍କିତ’ ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଗ୍ରାମକୁ ଯାତାୟାତ ପାଇଁ ରାସ୍ତାଘାଟ ନଥିବା, ବିଦ୍ୟାଳୟ, ଚିକିତ୍ସା ସେବା ନଥିବା, ଅଙ୍ଗନବାଡି କେନ୍ଦ୍ର ଖୋଲିନଥିବା, ପ୍ରସବ ପାଇଁ ଗର୍ଭବତୀ ଡାକ୍ତରଖାନା ଯାଇନପାରିବା ଭଳି ଅସୁବିଧାକୁ ନେଇ ଭବାନୀପାଟଣାର ମାନବାଧିକାର କର୍ମୀ ଦିଲ୍ଲୀପ କୁମାର ଦାସ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପରେ କେସ୍ ନଂ-୬୩୫/୧୮/୩୨/୨୦୨୨ ଅନୁସାରେ ପଞ୍ଜୀକରଣ ହୋଇଥିଲା। ମାମଲା ପଞ୍ଜୀକରଣ ପରେ ଜାତୀୟ ମାନବାଧିକାର କମିସନ ଦୁଇଥର ରାୟଗଡ଼ା ଜିଲ୍ଲାପାଳଙ୍କୁ ନୋଟିସ୍ କରି ରିପୋର୍ଟ ମାଗିଥିଲେ। ପ୍ରଥମ ନୋଟିସ୍ ୨୦୨୨ ଏପ୍ରିଲ୍ ୨୮ ଏବଂ ଦ୍ବିତୀୟ ନୋଟିସ୍ ୨୦୨୨ ଜୁନ୍ ୬ ତାରିଖରେ ହୋଇଥିଲା। କିନ୍ତୁ, ଜିଲ୍ଲାପାଳ ଆଜି ପର୍ଯ୍ୟନ୍ତ ଏହାର ଉତ୍ତର ରଖିନଥିବାରୁ ଆଜି ମାନବାଧିକାର କମିସନ ସମନ ଜାରି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/nhrc-2.jpg)