ବିଶ୍ରା: ଦେଶର ସବୁଠାରୁ ଦକ୍ଷ ଅନୁସନ୍ଧାନକାରୀ ସଂସ୍ଥା ଏନ୍ଆଇଏର ଗୋଟିଏ ଟିମ୍ ଗୁରୁବାର ସକାଳେ ସରଣ୍ଡା ଅଞ୍ଚଳରେ ପହଞ୍ଚିଛି। ଏନ୍ଆଇଏ ଟିମ୍ ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଜରାଇକେଲାଠାରୁ ମାତ୍ର ୧୫ କିଲୋମିଟର ଦୂର ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂଭୂମ ଜିଲ୍ଲା ସରଣ୍ଡା ଜଙ୍ଗଲସଂଲଗ୍ନ ମନୋହରପୁରରେ ଚଢ଼ଉ କରିଛି। ବରିଷ୍ଠ ମାଓନେତା ମିସିର ବେସରା ସମ୍ପର୍କରେ ଯାଞ୍ଚ କରିବା ତଥା ସେ ସମ୍ୱନ୍ଧରେ ଟିକିନିଖି ସୂଚନା ପ୍ରାପ୍ତ କରିବା ପାଇଁ ଟିମ୍ ମନୋହରପୁରକୁ ଆସିଥିବା ସୂଚନା ମିଳିଛି।
ବିଶେଷସୂତ୍ରରୁ ଜଣାପଡ଼ିଛି ଯେ ବହୁ ବଡ଼ବଡ଼ ବେପାରୀ ମାଓନେତା ମିସିର ବେସରାଙ୍କୁ ଆର୍ଥିକ ସାହାଯ୍ୟ ଦେଇଆସୁଛନ୍ତି। ଯାହାଫଳରେ ପୁଲିସ ଓ ସୁରକ୍ଷାବାହିନୀର ବହୁଚେଷ୍ଟା ପରେ ମଧ୍ୟ ମାଓନେତା ପୁଲିସ ହାତରେ ପଡ଼ୁନାହିଁ। ସେଥିପାଇଁ ଏନ୍ଆଇଏ ଟିମ୍ ଯେଉଁମାନେ ମାଓବାବଦୀଙ୍କୁ ଆର୍ଥିକ ସହାୟତା ଯୋଗାଉଛନ୍ତି ବୋଲି ସୂଚନା ମିଳିଛି ସେମାନଙ୍କୁ ପଚରାଉଚରା କରୁଛି। ଏନ୍ଆଇଏ ଟିମ୍ ମନୋହରପୁର ଅଞ୍ଚଳର କିଛି ଇଟାଭାଟି, ଠିକାଦାର ଓ ବାଲିବେପାରୀଙ୍କୁ ପଚରାଉଚରା କରୁଛି। ମାତ୍ର ଟିମ୍ ବେପାରୀମାନଙ୍କ ସହିତ କ’ଣ କଥା ହେଉଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ସିପିଆଇ ମାଓବାଦୀମାନଙ୍କ ଆର୍ଥିକସ୍ରୋତରେ ଲଗାମ ଲଗାଇବା ପାଇଁ ଏହି ଯାଞ୍ଚ ଚାଲିଛି ବୋଲି ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ମାଓନେତା ମିସିର ବେସରା ଉପରେ କେନ୍ଦ୍ର ସରକାର ଏକକୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ମିସିର ବେସରା ଓଡ଼ିଶାରେ ସିପିଆଇ ମାଓ ସଂଗଠନକୁ ମଜଭୁତ୍ କରିବାରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ। ଓଡ଼ିଶାର ସୁନ୍ଦରଗଡ଼-ଦେବଗଡ଼-ସମ୍ବଲପୁର ମାଓବାଦୀ ଜୋନାଲ ମୁଖ୍ୟ ତଥା ମାଓବାଦୀ କେନ୍ଦ୍ରୀୟ କମିଟିର ବରିଷ୍ଠ ସଦସ୍ୟ ମିସିର କେନ୍ଦ୍ରୀୟ କମିଟିର ନିର୍ଦେଶକ୍ରମେ ଗତ ପାଞ୍ଚବର୍ଷ ଧରି ଓଡ଼ିଶା ଛାଡ଼ି ସରଣ୍ଡା ଜଙ୍ଗଲରେ ସକ୍ରିୟ ରହି ମାଓବାଦୀ ସଂଗଠନ ସଞ୍ଚାଳନ କରୁଛନ୍ତି। ସରଣ୍ଡାରେ ମାଓ ସଂଗଠନ ଦୁର୍ବଳ ହୋଇପଡ଼ିବାରୁ ସେହି ସମୟରେ ମିସିରଙ୍କୁ ଦାୟିତ୍ବ ଦିଆଯାଇଥିଲା। ମିସିରଙ୍କ ଆଗମନ ପରେ ସରଣ୍ଡାରେ ମାଓ ସଂଗଠନ ସୁଦୃଢ଼ ହୋଇଥିଲା ଏ ଭଳି ସ୍ଥିତିରେ ମିସିର ଓଡ଼ିଶା, ଝାଡ଼ଖଣ୍ଡ ରାଜ୍ୟର ପୁଲିସ ସମେତ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।