ମାଓବାଦୀଙ୍କୁ ପାଣ୍ଠି ଯୋଗାଣ: ଭୁବନେଶ୍ୱରରେ ଏନ୍‌ଆଇଏ ଚଢ଼ଉ

ଓଡ଼ିଶା ସମେତ ୪ ରାଜ୍ୟର ୨୬ ସ୍ଥାନରେ ଚଢ଼ଉ
ଆଭ୍ୟନ୍ତରୀଣ ବିଶୃଙ୍ଖଳା ପାଇଁ ମାଓବାଦୀଙ୍କୁ ପାଣ୍ଠି ଯୋଗାଉଛନ୍ତି ଆତଙ୍କବାଦୀ

ଭୁବନେଶ୍ୱର : ଭୁବନେଶ୍ୱର କ୍ୟାପିଟାଲ ଥାନା ଅଞ୍ଚଳରେ ଶନିବାର ଦିନ ଜାତୀୟ ଗୁଇନ୍ଦା ସଂସ୍ଥା(ଏନ୍‌ଆଇଏ) ଚଢ଼ଉ କରିଛି। ନିର୍ଦିଷ୍ଟ ଭାବେ କାହା ଘରେ ଚଢଉ ହୋଇଛି, ସେ ନେଇ କେହି ମୁହଁ ଖୋଲୁନାହାନ୍ତି। ତେବେ ଅତି ବିଶ୍ବସ୍ତସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ ଭଳି ୪ଟି ରାଜ୍ୟର ୨୬ଟି ସ୍ଥାନରେ ଚଢ଼ଉ ହୋଇଛି। ମାଓବାଦୀଙ୍କୁ ପାଣ୍ଠି ଯୋଗାଉଥିବା କିଛି ଲୋକଙ୍କୁ ସିଧାସଳଖ ଆତଙ୍କବାଦୀଙ୍କଠାରୁ ଏହି ଟଙ୍କା ଆଣୁଥିବା ସୂଚନା ମିଳିଛି। ତେଣୁ ଏହି ସଂପୃକ୍ତି ଆଧାରରେ ଏନ୍‌ଆଇଏ ଚଢ଼ଉ କରିଛି। ଏହି ଘଟଣାରେ ୨୬ଟି ଜାଗାରୁ ୩ଟି ଦେଶୀ ବନ୍ଧୁକ, ୦.୩୧୬ ବୋର୍ ରାଇଫଲ୍, ୫୯ ଗୁଳି, ୪ କେଜି ଗଂଜେଇ, ଲିଫ୍‌ଲେଟ୍ ସମେତ ଏକାଧିକ ମାରଣାସ୍ତ୍ର ଜବତ କରାଯାଇଛି। ବିହାରର ଜେନାବାଦ୍‌, ପାଟଣା ଗ୍ରାମାଞ୍ଚଳ, ଅରୱାଲ, ନାଲନ୍ଦା, ଗୟା, ନୱାଦା, ଔରଙ୍ଗାବାଦ, କୋଦେରମା ଆଦି ଅଞ୍ଚଳରୁ ଜବତ ହୋଇଥିବା ସୂଚନା ମିଳିଛି।

ଏହି ଚଢ଼ଉରେ ଏନ୍‌ଆଇଏ ସହିତ ସ୍ପେସାଲ ଟାସ୍କଫୋର୍ସ ଓ ସିଆରପିଏଫ୍‌ ସାମିଲ ଥିବା ଜଣାପଡ଼ିଛି। ଏନ୍‌ଆଇଏର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ମାଓବାଦୀଙ୍କୁ ରାଜ୍ୟରେ ପୁଣି ସକ୍ରିୟ କରାଇ ଆଭ୍ୟନ୍ତରୀଣ ବିଶୃଙ୍ଖଳା ସୃଷ୍ଟି ପାଇଁ ଆତଙ୍କବାଦୀ ଯୋଜନା କରୁଛନ୍ତି। ଏପରିକି ଦେଶରେ ଅସ୍ଥିରତା ସୃଷ୍ଟି ପାଇଁ ଏହି ମାଓ ସଂଗଠନକୁ ଟଙ୍କା ପଠାଇ ଅଧିକ ସଦସ୍ୟ ନିଯୁକ୍ତ, କ୍ୟାଡର୍ ଗଠନ, ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ପାଣ୍ଠି ଆଦି ଦିଆଯାଉଥିବା ସେ କହିଛନ୍ତି। ଏହା ସହ ମାଓବାଦୀ କାର୍ଯ୍ୟାକଳାପକୁ ପୁନଃସକ୍ରିୟ କରିବା ପାଇଁ ଆତଙ୍କବାଦୀମାନେ ବିଭିନ୍ନ ଜେଲରେ ଥିବା ମାଓବାଦୀ, ଓଭର ଗ୍ରାଉଣ୍ଡ ୱାର୍କର୍ସଙ୍କ ସହ ଯୋଗାଯୋଗରେ ନୂତନ ଲିଡର୍‌ ଗଠନ କରୁଥିବା ସୂଚନା ମିଳିଛି। ଏହି ଘଟଣାର ଅଧିକ ତଦନ୍ତ ଚାଲୁଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର