ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଅଞ୍ଚଳରୁ ୫ ଟନ୍ ବିସ୍ଫୋରକ ଲୁଟ୍ ମାମଲାରେ ମାଓବାଦୀ ଇନ୍ଫର୍ମର ଜର୍ଜ ମୁଣ୍ଡାକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଆଜି ରିମାଣ୍ଡରେ ନେଇଛି। ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ଙ୍କ କୋର୍ଟ ସୋମବାର ୬ ଦିନିଆ ରିମାଣ୍ଡ ପାଇଁ ଏନ୍ଆଇଏକୁ ଅନୁମତି ଦେଇଛନ୍ତି। ଆଜି ଏନ୍ଆଇଏ ଟିମ୍ ଝାରପଡ଼ା ଜେଲ୍ରୁ ଅଭିଯୁକ୍ତ ଜର୍ଜକୁ ରିମାଣ୍ଡରେ ନେଇ ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟରେ ଜେରା କରିଛି। ଏନ୍ଆଇଏ ଘଟଣା ପଛର ସତ ଜାଣିବାକୁ ଜେରା ସମୟରେ ଜର୍ଜ ମୁଣ୍ଡାକୁ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଛି। ମୁଖ୍ୟତଃ ଏହି ଘଟଣାରେ କେଉଁ ମାଓବାଦୀ ସଙ୍ଗଠନର ହାତ ରହିଛି? ବିସ୍ଫୋରକ ଲୁଟ୍ ଯୋଜନାର ମାଷ୍ଟର୍ମାଇଣ୍ଡ୍ କିଏ?
ଦେଶରେ ନକ୍ସଲ ବିରୋଧୀ ଅଭିଯାନକୁ ଭଣ୍ଡୁର କରିବା ପାଇଁ କେଉଁ ସଙ୍ଗଠନମାନେ ଷଡ୍ଯନ୍ତ୍ର କରୁଛନ୍ତି? ମାଓବାଦୀଙ୍କ ଇନ୍ଫର୍ମର୍ ହେବା ପଛରେ ଜର୍ଜର କି ସ୍ବାର୍ଥ ରହିଛି? କେବେଠାରୁ ମାଓବାଦୀଙ୍କ ସହ ଜର୍ଜର ଲିଙ୍କ୍ ରହିଛି? ଏହିପରି ପୂର୍ବରୁ କେତେ ଯୋଜନାରେ ସେ ମାଓବାଦୀଙ୍କୁ ସହାୟତା କରିଛି? ଲୁଟ୍ ବିସ୍ଫୋରକକୁ ଆଉ କାହାକୁ ହସ୍ତାନ୍ତର କରିବାକୁ ଯୋଜନା କରିଥିଲା କି ମାଓ ସଙ୍ଗଠନ? ଏଭଳି ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା। ଜର୍ଜ କିଛି ପ୍ରଶ୍ନର ଉତ୍ତର ରଖିଥିବା ବେଳେ ଆଉ କିଛି ପ୍ରଶ୍ନରେ ଚୁପ୍ ରହିଥିବା ଜଣାପଡ଼ିଛି। ୧୩ ତାରିଖ ଭିତରେ ଜର୍ଜ ମୁହଁରୁ ସବୁ ସତ ଓଗାଳିବାକୁ ଏନ୍ଆଇଏ ଚେଷ୍ଟା ଜାରି ରଖିଛି।
ଅନ୍ୟପଟେ ଓଡ଼ିଶା ଓ ରାଜ୍ୟ ବାହାର ପୁଲିସ ମିଳିତ ଅପରେସନ୍ କରି ଲୁଟ୍ ହୋଇଥିବା ୫ଟନ୍ ବିସ୍ଫୋରକ ଭିତରୁ ପ୍ରାୟ ୮୦ ପ୍ରତିଶତ ଜବତ କରିଛି। ୧୩ ତାରିଖ ପର୍ଯ୍ୟନ୍ତ ଜର୍ଜକୁ ଏନ୍ଆଇଏ କାର୍ଯ୍ୟାଳୟରେ ଜେରା କରାଯିବ ଏବଂ ସୁରକ୍ଷା ଦୃଷ୍ଟିରୁ ରାତି ସମୟରେ ଜର୍ଜକୁ ସହିଦନଗର ଥାନାରେ ରଖାଯିବାକୁ ଯୋଜନା ହୋଇଛି। ଓଡ଼ିଶାରେ ଏନ୍ଆଇଏ ଥାନା ହେବା ପରେ ଏହା ପ୍ରଥମ ମାମଲା। ପ୍ରଥମେ ଏହି ମାମଲାର ତଦନ୍ତ ସୁନ୍ଦରଗଡ଼ ପୁଲିସ କରୁଥିବା ବେଳେ ପରେ ଏନ୍ଆଇଏକୁ ହସ୍ତାନ୍ତର କରାଯାଇଛି। ଏହି ବିସ୍ଫୋରକ ଲୁଟ୍ ପଛରେ ବଡ଼ ଷଡ୍ଯନ୍ତ୍ର ଥିବାରୁ ଏନ୍ଆଇଏ ଏହାର ତଦନ୍ତଭାର ନେଇ ଖୋଳତାଡ଼ ଚଳାଇଛି। ଏଥିରେ ଦେଶ ବିରୋଧୀ ଷଡ୍ଯନ୍ତ୍ରର ସୁରାକ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)