କଟକ: ପହଲଗାମରେ ଆତଙ୍କୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ବିଡ଼ାନାସୀ ଦେଉଳସାହିର ଏକ ପରିବାର ସଦସ୍ୟଙ୍କ ଘରେ ଏନ୍ଆଇଏ ଟିମ୍ ପହଞ୍ଚିଛି। ମଙ୍ଗଳବାର ଏନ୍ଆଇଏ ଟିମ୍ ପାଖାପାଖି ଦୁଇ ଘଣ୍ଟା କାଳ ପରିବାରର ଚାରି ଜଣ ସଦସ୍ୟଙ୍କୁ ପଚରାଉଚରା କରିଥିଲା। ଯେଉଁମାନେ ପହଲଗାମ ଯାଇଥିଲେ ଓ ଆତଙ୍କବାଦୀ ଆକ୍ରମଣକୁ ଅତି ପାଖରୁ ଦେଖିଥିଲେ। ପ୍ରସ୍ତୁତ ହୋଇଥିବା ଆତଙ୍କବାଦୀଙ୍କ ଚେହେରା ଓ ଏହି ପରିବାର ସଦସ୍ୟ କହୁଥିବା ଚେହେରାକୁ ମେଳ କରାଯାଇଥିଲା। ଏନ୍ଆଇଏ ଟିମ୍ ଯିବା ପରେ ପରିବାର ସଦସ୍ୟ ଗଣମାଧ୍ୟମ ସାମନାରେ ମୁହଁ ଖୋଲି ନଥିଲେ। ଏନ୍ଆଇଏ ପକ୍ଷରୁ ଏ ସଂପର୍କରେ କିଛି ନ କହିବାକୁ ପରିବାର ସଦସ୍ୟଙ୍କୁ ପରାମର୍ଶ ଦିଆଯାଇଛି।
ବିଡ଼ାନାସୀ ଥାନା ଅନ୍ତର୍ଗତ ଦେଉଳସାହି ବାସିନ୍ଦା ରଞ୍ଜିତ ଭୋଳ(୭୦), ପତ୍ନୀ ଶଶି ନାୟକ(୬୫), ହାଇଦ୍ରାବାଦରେ ଚାକିରି କରିଥିବା ସାନପୁଅ ସନ୍ଦୀପ ଭୋଳ ଓ ସାନ ବୋହୂ ଲେଲିନା ଶୁଭଦର୍ଶିନୀ ଗଲା ୧୯ ରାତି ପ୍ରାୟ ୩ଟାରେ ଜମ୍ମୁ-କାଶ୍ମୀରରେ ପହଞ୍ଚିଥିଲେ। ୨୨ତାରିଖ ଦିନ ସେମାନେ ପହଲଗାମରେ ବୁଲାବୁଲି କରିଥିଲେ। ଅପରାହ୍ଣ ୨ଟା ୨୫ମିନିଟ୍ ବେଳେ ୪ଜଣ ଆତଙ୍କବାଦୀ ସେହି ଅଞ୍ଚଳକୁ ପଶି ଆସିଲେ। ସେମାନେ ହିନ୍ଦୁ ପର୍ଯ୍ୟଟକଙ୍କୁ ଯେତେବେଳେ ଗୁଳି ମାଡ଼ କଲେ ସେହି ସମୟରେ ରଞ୍ଜିତ, ପତ୍ନୀ ଶଶି ଓ ସାନ ବୋହୂ ଲେଲିନା ପାଖରେ ସ୍ବେଟର୍ ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କ ନିକଟରେ ଲୁଚି ଯାଇଥିଲେ। କିନ୍ତୁ ଜଣେ ଆତଙ୍କବାଦୀ ସନ୍ଦୀପଙ୍କ ସମେତ ଆଉ ୪ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିବାକୁ ଧାଡ଼ିରେ ଛିଡ଼ା କରିଥିଲା। ଆଉ ତିନି ଜଣ ଆତଙ୍କବାଦୀ କିଛି ଦୂରରେ ଥିଲେ।
ଏହି ସମୟରେ କୌଶଳ କ୍ରମେ ସନ୍ଦୀପ ଖସି ଆସି ସ୍ବେଟର୍ ବିକ୍ରି କରୁଥିବା ଜଣେ ବ୍ୟବସାୟୀ ପାଖରେ ଲୁଚି ଯାଇଥିଲେ। ଧାଡ଼ିରେ ଛିଡ଼ା ହୋଇଥିବା ଅବଶିଷ୍ଟ ୩ଜଣଙ୍କୁ ଆତଙ୍କବାଦୀମାନେ ମାରି ଦେଇଥିଲେ। ପରେ ଆତଙ୍କବାଦୀ ଗୋଷ୍ଠୀ ଜଙ୍ଗଲକୁ ଦୌଡ଼ି ପଳାଇଥିଲେ। ରଞ୍ଜିତଙ୍କ ପରିବାର ସଦସ୍ୟ ଦେଇଥିବା ଏଭଳି ବୟାନ ଏନ୍ଆଇଏ ରେକର୍ଡ କରିଥିଲା। ଆଜି ଦିନ ୧୨ଟାରୁ ୨ଟା ଯାଏଁ ଏନ୍ଆଇଏର ତିନି ଜଣିଆ ଟିମ୍ ସେମାନଙ୍କୁ ପଚରାଉଚରା କରିଥିଲା।