ଭୁବନେଶ୍ବର : ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ପକ୍ଷରୁ ଓଡ଼ିଶାର ୪ ଜଣ ଦୁର୍ଦାନ୍ତ ମାଓବାଦୀ ଗଜରାଲା ରବି ଓରଫ୍ ଉଦୟ, ଜାଲୁମୁରୀ ଶ୍ରୀନୁ, ମେଟରୁ ଜଗା ରାଓ ଓରଫ୍ ଟେକ୍ ଶଙ୍କର, ଖିଲୋ ରଞ୍ଜୁ ଓରଫ୍ ଚଣ୍ଟିର ପୋଷ୍ଟର ମରାଯିବା ପରେ ଓଡ଼ିଶା ପୁଲିସ ସକ୍ରିୟ ହୋଇ ଉଠିଛି। ଓଡ଼ିଶା ପୁଲିସର ଗୁଇନ୍ଦା ବିଭାଗ, ଅପରେସନ୍ ଓ ଜିଲ୍ଲା ପୁଲିସକୁ ମଧ୍ୟ ଆଲର୍ଟ କରି ଦିଆଯାଇଛି।

Advertisment

ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ବିଭିନ୍ନ ମାଓ ହିଂସାକାଣ୍ଡରେ ଏହି ମାଓବାଦୀମାନେ ସଂପୃକ୍ତ ଅଛନ୍ତି। କେବଳ ମହିଳା ମାଓବାଦୀ ଖିଲୋ ରଞ୍ଜୁକୁ ଛାଡ଼ି ଦେଲେ ଅନ୍ୟ ୩ ଜଣ ଏବେ ବି ଆନ୍ଧ୍ର, ଓଡ଼ିଶା ଓ ଛିତଶଗଡ଼ରେ ସକ୍ରିୟ ଅଛନ୍ତି। ଏଥିପାଇଁ ଦୁଇ ଦିନ ତଳେ ଏନଆଇଏର ୩ ଜଣିଆ ଟିମ୍ ପ୍ରଥମେ ଭୁବନେଶ୍ୱର ଆସି ଗୁଇନ୍ଦା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପରେ ସେହି ଟିମ୍ କୋରାପୁଟ ଓ ମାଲାକାନାଗିରି ଯାଇଛି। ଏନଆଇଏ ଟିମ୍ ସେଠାରେ ଏକ ଗୁପ୍ତ ସ୍ଥାନରେ ରହି ପରିସ୍ଥିତି ଉପରେ ନଜର ରଖିଛି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉଦୟର ଘର ତେଲେଙ୍ଗାନାର ଏରାଙ୍ଗଲରେ। ସେ ଏବେ କେନ୍ଦ୍ରୀୟ କମିଟିର ସଦସ୍ୟ। ଆନ୍ଧପ୍ରଦେଶ ପୂର୍ବ ଗୋଦାବରୀଶ ଜିଲ୍ଲାର ଜାଲୁମୁରୀ ଶ୍ରୀନୁ ଉଦୟର ସୁରକ୍ଷା ଦାୟିତ୍ୱରେ। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲ୍ଲମର ମେଟରୁ ଜଗା ଓରଫ୍ ଟେକ୍ ଶଙ୍କର ମାଓ ସଂଗଠନ ପାଇଁ ବୋମା, ଗୁଳିଗୋଳା ଓ ବନ୍ଧୁକ ତିଆରି କରିବା ଦାୟିତ୍ୱରେ ରହିଛି।

ଓଡ଼ିଶା ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ୪ ଜଣ ଦୁର୍ଦାନ୍ତ ମାଓବାଦୀ ୨୦୧୨ ମସିହା ଫେବ୍ରୁଆରି ୧୦ ତାରିଖରେ ମାଲାକାନାଗିରି ଜିଲ୍ଲା ଚିତ୍ରକୋଣ୍ଡା ନିକଟରେ ବିଏସଏଫ୍ ଯବାନଙ୍କ ଆକ୍ରମଣ ଘଟଣାରେ ସଂପୃକ୍ତ ଥିଲେ। ସେମାନେ ସକାଳୁ ପାଟ୍ରୋଲିଂ ସାରି ଫେରୁଥିବାବେଳେ ଆଖି ବୁଜା ଗୁଳି କରିଥିଲେ ମାଓବାଦୀ। ଏଥିରେ ବିଏସଏଫର କମାଣ୍ଡାଣ୍ଟ ଜେଆର ଖସନ, ସେକେଣ୍ଡ ଇନ୍ କମାଣ୍ଡାଣ୍ଟ୍ ରାଜେଶ ସରନ, ଇନ୍ସପେକ୍ଟର ଅଶୋକ ଯାଦବ, ଆସିଷ୍ଟାଣ୍ଟ୍ ସବ- ଇନ୍ସପେକ୍ଟର ଜିତେନ୍ଦ୍ର କୁମାରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ ଏଯାଏ ଓଡ଼ିଶା ପୁଲିସ କରୁଛି।

ପୂର୍ବରୁ ଓଡ଼ିଶା ପୁଲିସ ପକ୍ଷରୁ ମଧ୍ୟ ଏହି ୪ ମାଓବାଦୀଙ୍କ ବିରୋଧରେ ପୁରସ୍କାର ରାଶି ଘୋଷଣା କରାଯାଇ ସରିଛି। ସେହିଭଳି ଉଦୟ ସମ୍ପର୍କରେ ସୂଚନା ଦେଲେ ୧୦ ଲକ୍ଷ ଟଙ୍କା, ଶ୍ରୀନୁ ଓ ଟେକ୍ ଶଙ୍କର ପାଇଁ ୫ ଲକ୍ଷ ଟଙ୍କା ଓ ଚଣ୍ଟି ପାଇଁ ୩ ଲକ୍ଷ ଟଙ୍କା ଘୋଷଣା କରିଛି ଏନଆଇଏ।