ନିଆଳି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ କଟକ ଜିଲ୍ଲାର ନିଆଳି ବ୍ଲକ୍ର କେତେକ ପଞ୍ଚାୟତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। କେତେକ ସ୍ଥାନରେ ଦୁର୍ବୃତ୍ତ ଭୋଟ୍ବାକ୍ସରେ ପାଣି ଭର୍ତ୍ତିକରି ଦେଇଥିବାବେଳେ ଆଉ କେତେକ ବୁଥ୍ରେ ଭୋଟ୍ବାକ୍ସ ଲୁଟିନେଇ ପାଣିରେ ଫିଙ୍ଗି ଦେଇଛନ୍ତି। ଏସବୁ ବୁଥ୍ରେ ସାନି ମତଦାନ ଦାବିକରି ସ୍ଥାନୀୟ ଲୋକେ ଟାୟାର୍ ଜାଳି ରାସ୍ତା ଉପରେ ଧାରଣା ଦେଇଛନ୍ତି।
ନିଆଳି ଅଞ୍ଚଳରେ ପୂର୍ବରୁ ଗଣ୍ଡଗୋଳ ଆଶଙ୍କା କରାଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି ସକାଳ ୭ଟାଠାରୁ ବ୍ୟାପକ ସୁରକ୍ଷା ମଧ୍ୟରେ ମତଦାନ ଆରମ୍ଭ ହୋଇଥିଲା। ତଥାପି, କିଛିସମୟ ମଧ୍ୟରେ କେତେକ ବୁଥ୍ରେ ହିଂସାକାଣ୍ଡ ଆରମ୍ଭ ହୋଇଯାଇଥିଲା। ନିଆଳି ବ୍ଲକ୍ କପାସି ପଞ୍ଚାୟତର ୧ ନମ୍ବର ବୁଥ୍ରେ ବିଭିନ୍ନ ଦଳ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ କରୁଥିବା ପ୍ରତିବାଦରେ ଭୋଟ୍ବର୍ଜନ ସହ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଖରୀଗାଁ ପଞ୍ଚାୟତର ୨, ୧୧, ୧୬, ୧୭ ଓ ୧୮ ନମ୍ବର ବୁଥ୍ରେ ବି ଲୋକମାନେ ଭୟରେ ଭୋଟ୍ ବର୍ଜନ କରିଥିଲେ। ଏହାର ସୁଯୋଗନେଇ ଦୁର୍ବୃତ୍ତମାନେ ଭୋଟ୍ବାକ୍ସରେ ପାଣି ପୂରାଇ ଦେଇଥିଲେ। ସେହି ପଞ୍ଚାୟତର ୧୨, ୧୩, ୧୪ ଓ ୧୫ ନମ୍ବର ବୁଥ୍ରେ ବି ଦୁର୍ବୃତ୍ତମାନେ ବାଲଟ୍ ବାକ୍ସକୁ ଉଠାଇନେଇ ପାଣିରେ ଫୋପାଡ଼ି ଦେଇଥିଲେ। ଅଲଣା ପଞ୍ଚାୟତର ୧୨ ନମ୍ବର ବୁଥ୍ରେ ବି ସମାନ ଘଟଣା ଘଟିଥିଲା। ମତଦାନ ଚାଲିଥିବାବେଳେ ଏଜେଣ୍ଟମାନଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଏହି କାରଣକୁ ନେଇ ଏଜେଣ୍ଟମାନେ ବାଲଟ୍ ବାକ୍ସରେ ପାଣି ପୂରାଇ ଦେଇଥିଲେ। ଫଳରେ, ଏହି ବୁଥ୍ରେ ମତଦାନ ଅଧାରୁ ବନ୍ଦ ରହିଥିଲା। ଏହି ମାମଲାରେ ନିଆଳି ପୁଲିସ୍ ୪ ଜଣଙ୍କୁ ଥାନାରେ ଅଟକ ରଖିଛି। ବିଳାସୁଣୀ ପଞ୍ଚାୟତର ୧୪ ନମ୍ବର ବୁଥ୍ରେ ମତଦାନ ସରିବାପରେ ଅଧିକାରୀମାନେ ବାହାରୁଥିବା ସମୟରେ କିଛି ଦୁର୍ବୃତ୍ତ ହଠାତ୍ ସେଠାରେ ପହଞ୍ଚି ଭୋଟ୍ବାକ୍ସ ଛଡ଼ାଇନେଇ ପୋଖରୀକୁ ଫିଙ୍ଗି ଦେଇଥିଲେ। ସେହିଭଳି, ଜଲ୍ଲାରପୁର ପଞ୍ଚାୟତର ୧୮ ନମ୍ବର ବୁଥ୍ରେ ଜଣେ ଯୁବକ ହାତରେ ଭୁଜାଲି ଧରି ବୁଥ୍ ଭିତରକୁ ଯାଉଥିବାବେଳେ ପୁଲିସ୍ ତାକୁ କାବୁ କରିଥିଲା। ତାକୁ ଥାନାରେ ଅଟକ ରଖାଯାଇଥିବା ଜଣାପଡ଼ିଛି । ନିଆଳି ଅଞ୍ଚଳର ବିଭିନ୍ନ ବୁଥ୍ରେ ଏଭଳି ଉତ୍ତେଜନା ଦେଖାଦେଇଥିବା ବେଳେ ୯ରୁ ଅଧିକ ବୁଥ୍ରେ ସାନି ମତଦାନ ହେବା ସମ୍ଭାବନା ରହିଛି।
ଅନ୍ୟପକ୍ଷରେ, ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ପୁନଃ ମତଦାନ ଦାବିରେ ପ୍ରାର୍ଥୀମାନଙ୍କ ସହ ସ୍ଥାନୀୟ ଲୋକେ ଟାୟାର୍ ଜାଳି ରାସ୍ତାରୋକ କରିଛନ୍ତି।