କଟକ: ନିଆଳି ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରଠାରୁ ସେଠି ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି ଡାକ୍ତର ପ୍ରମୋଦ ମଲ୍ଲିକ। କିନ୍ତୁ ୨୦୨୪ରେ ତାଙ୍କ ପାଇଁ ଦଳ ଭିତରୁ ଓ ବାହାରୁ ଚାଲେଞ୍ଜ ବଢ଼ିବାରେ ଲାଗିଛି। ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବଢ଼ିଥିବା ଶକ୍ତି ପ୍ରମୋଦଙ୍କ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ କଂଗ୍ରେସର ଦୁଇ ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନ୍ନ୍ଗୋ ଓ ପୂର୍ବତନ ବିଧାୟକ ରବି ମଲ୍ଲିକ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ହାତ ମିଳାଇବା ଘଟଣା ଏବେ ପ୍ରମୋଦଙ୍କ ନିଦ ହଜାଇଦେଇଛି। ଅନ୍ୟପଟେ ପ୍ରମୋଦଙ୍କୁ ହଟାଇ ବିଜେଡି ଟିକେଟ ହାତେଇବା ଯୋଜନାରେ ଦଳରେ ବି ଅନେକ ନେତା ପ୍ରମୋଦଙ୍କୁ ଅକଳରେ ପକାଇବା ପାଇଁ ଲାଗି ପଡିଛନ୍ତି।
ନିଆଳି ନିର୍ବାଚନମଣ୍ଡଳୀ ୨୦୦୯ରେ ପୁନର୍ଗଠିତ ହେବା ସହ ଏସ୍ସି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିଲା। ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଏଠାରୁ ପ୍ରମୋଦ ବିଜେଡି ପ୍ରାର୍ଥୀ ଭାବେ ଉଲ୍ଲେଖନୀୟ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଆସିଛନ୍ତି। କିନ୍ତୁ ଏଥର ବିଜେଡିରୁ ଆନ୍ତର୍ଜାତିକ ଆଥ୍ଲେଟ୍ ଅମୀୟ ମଲ୍ଲିକ, ପୂର୍ବତନ ବିଧାୟକ କଣ୍ଡୁରୀ ଚରଣ ମଲ୍ଲିକଙ୍କ ପୁଅ ପ୍ରମୋଦ ମଲ୍ଲିକ, ସୁବାସ ମଲ୍ଲିକ, ବିପିନ୍ ବେହେରା, ତୃପ୍ତିରଞ୍ଜନ ବେହେରା ଅଞ୍ଚଳରେ ନିଜନିଜର ଉପସ୍ଥିତି ଜାହିର କରି ବିଜେଡି ଟିକେଟ ହାତେଇବାକୁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି। ବିଜେପି ଟିକେଟ ଦାବିଦାର ଭାବେ ପୂର୍ବରୁ ନିର୍ବାଚନ ଲଢିଥିବା ଛବି ମଲ୍ଲିକ ଓ ସୁଶାନ୍ତ ମଲ୍ଲିକ ରହିଥିବା ବେଳେ ବିଜେପିରେ ନୂଆ ସାମିଲ ହୋଇଥିବା ଅଭିମନ୍ୟୁ ମଲ୍ଲିକ ବି ନିଜର ସ୍ଥିତି ଜାହିର କରୁଛନ୍ତି।
ଅନ୍ୟପଟେ ୨୦୦୯ରେ କଂଗ୍ରେସ ଟିକେଟ୍ରେ ନିର୍ବାଚନ ଲଢ଼ି ୪୦ ହଜାରରୁ ଅଧିକ ଭୋଟ ପାଇଥିବା ଆର୍ତ୍ତତ୍ରାଣ ମଲ୍ଲିକଙ୍କ ପୁଅ ତଥା ନୂଆଗାଁ ସରପଞ୍ଚ ବିମ୍ବାଧର ମଲ୍ଲିକ, ସ୍ମୃତି ରଞ୍ଜନ ମଲ୍ଲିକ ଟିକେଟ୍ ଲବିରେ ରହିଛନ୍ତି। କଂଗ୍ରେସ ଗଲା ତିନୋଟି ନିର୍ବାଚନରେ ନିଜର ପ୍ରାର୍ଥୀ ବଦଳାଇଛି। ୨୦୦୯ରେ ଆର୍ତ୍ତତ୍ରାଣ ମଲ୍ଲିକ ୪୦ ହଜାରରୁ ଅଧିକ ଭୋଟ ପାଇଥିବାବେଳେ ୨୦୧୪ରେ ଛବି ମଲ୍ଲିକ କଂଗ୍ରେସ ଟିକେଟ୍ରେ ଲଢି ୬୨ ହଜାର ୩୧୦ ଭୋଟ ପାଇଥିଲେ। କିନ୍ତୁ ୨୦୧୯ରେ ସେ କଂଗ୍ରେସ ଛାଡି ବିଜେପି ଟିକେଟ୍ରେ ନିର୍ବାଚନ ଲଢି ୬୬ ହଜାର ୩୧୦ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହିଥିଲେ। ୨୦୧୯ରେ ନିଆଳିରେ କଂଗ୍ରେସ ମହିଳା କାର୍ଡ ଖେଳିଥିଲା। କଂଗ୍ରେସରୁ ମମତା ଭୋଇ ନିର୍ବାଚନ ଲଢ଼ି ୧୨ ହଜାର ୬୫୯ଖଣ୍ଡ ଭୋଟ ପାଇଥିଲେ। ଏପଟେ ୨୦୦୯ ଓ ୨୦୧୪ରେ ବିଜେପିରୁ ନିର୍ବାଚନ ଲଢିଥିବା ସୁଶାନ୍ତ ମଲ୍ଲିକଙ୍କୁ ଦଳ ୨୦୧୯ରେ ଟିକେଟ୍ ଦେଇ ନଥିଲା। ୨୦୦୯ ଓ ୨୦୧୪ରେ କଂଗ୍ରେସ ଏହି ଆସନରେ ୨ୟ ସ୍ଥାନରେ ରହିଥିବାବେଳେ ୨୦୧୯ ନିର୍ବାଚନରେ କଂଗ୍ରେସ ଭୋଟ ବିଜେପି ଖାତାକୁ ଚାଲି ଯାଇଥିଲା।