‘ଶ୍ରଦ୍ଧା ସଞ୍ଜୀବନୀ’ରେ ନିଆରା ବାହାଘର : ଜୀବନସାଥୀ ହେଲେ ପଦ୍ମା ଓ ରବୀନ୍ଦ୍ର

ମୁଖ୍ୟମନ୍ତ୍ରୀ ଦେଲେ ଆଶୀର୍ବାଦ, କନ୍ୟାଦାନ କଲେ ଜିଲ୍ଲାପାଳ

ବ୍ରହ୍ମପୁର/ଗୋପାଳପୁର : ବାପା, ମାଆଙ୍କୁ ହରାଇଥିବା ଦୁଇ ଅନାଥ ଶିଶୁ ‘ଶ୍ରଦ୍ଧା ସଞ୍ଜୀବନୀ’ରେ ବଢ଼ି ଯୌବନରେ ପାଦ ଦେଲେ, ପାଠ ପଢ଼ି ଚାକିରି କଲେ। ଶେଷରେ ଦୁଇ ବାଲ୍ୟବନ୍ଧୁ ପରସ୍ପରକୁ ଭଲ ପାଇ ଆଜି ବିବାହ ବନ୍ଧନରେ ବାନ୍ଧି ହେବା ଭଳି ଏକ ନିଆରା ଉଦାହରଣ ଆଜି ଗଞ୍ଜାମ ଜିଲ୍ଲା ଗୋପାଳପୁର ସ୍ଥିତ ଶିଶୁ ଗୃହ ‘ଶ୍ରଦ୍ଧା ସଞ୍ଜୀବନୀ’ରେ ଦେଖିବାକୁ ମିଳିଛି। ଜିଲ୍ଲାପାଳ ବିଜୟ ଅମୃତା କୁ‌ଲାଙ୍ଗେ କନ୍ୟାପିତା ସାଜି କନ୍ୟାଦାନ କରିଥିବା ବ‌େଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ସଚିବ ଭି.କେ.ପାଣ୍ଡିୟାନ୍ ଭିଡ଼ିଓ କନ୍‌ଫରେନସିଂ ଜରିଆରେ ବିବାହ ଉତ୍ସବରେ ସାମିଲ୍‌ ହୋଇ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି।

ଆଜି ପୂର୍ବାହ୍ନରେ ‘ଶ୍ରଦ୍ଧା ସଞ୍ଜୀବନୀ ପରିସର ଚଳଚଞ୍ଚଳ ଥିଲା। ଶଙ୍ଖ, ହୁଳହୁଳି ଓ ରୋଷଣୀରେ କମ୍ପୁଥିଲା ଶିଶୁଗୃହ ପରିବେଶ। ଆୟୋଜନ ଚାଲିଥିଲା ଏହି ନିଆରା ବିବାହ ଉତ୍ସବର। ପୂର୍ବରୁ ଶିଶୁ ଗୃହରେ ଅନ୍ତେବାସୀ ଥିବା ପଦ୍ମା ଓ ରବୀନ୍ଦ୍ର ଆଜି ପରସ୍ପରର ଜୀବନସାଥୀ ଭାବେ ବାନ୍ଧି ହୋଇ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବଦମ୍ପତିଙ୍କୁ ଆଶୀର୍ବାଦ କରିବା ସହ ଏହି ବିବାହ ସଭିଙ୍କ ପାଇଁ ଆଦର୍ଶ ବୋଲି ମତ ରଖିଥିଲେ। ଭୁବନେଶ୍ବର ଆସିଲେ ସାକ୍ଷାତ କରିବା ଲାଗି ବି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଚ୍‌ଆଇଭି ଆକ୍ରାନ୍ତ ଶିଶୁଙ୍କ ଲାଗି ଆଶାବାଡ଼ି ସାଜିଥିବା ‘ଶ୍ରଦ୍ଧା ସଞ୍ଜୀବନୀ ଅନୁଷ୍ଠାନ ପ୍ରଥମ ଥର ଲାଗି ଏହି ନିଆରା ବିବାହ ଉତ୍ସବ ଆୟୋଜନ କରି ଏବେ ଚର୍ଚ୍ଚାରେ। କୁକୁଡ଼ାଖଣ୍ଡି ଅଞ୍ଚଳର ପଦ୍ମା ଓ ଜଗନ୍ନାଥପ୍ରସାଦ ଅଞ୍ଚଳ ରବୀନ୍ଦ୍ର ପିଲାଟି ଦିନରୁ ‘ଶ୍ରଦ୍ଧା ସଞ୍ଜୀବନୀ ଶିଶୁ ଗୃହରେ ରହି ଆସୁଥିଲେ। ପାଠପଢ଼ା ସହ ସାବାଳକ ହେବା ପରେ ଉଚ୍ଚଶିକ୍ଷା ଲାଭ କରି ହାଇଦ୍ରାବାଦ୍‌ରେ ଚାକିରି ପାଇଥିଲେ। ଉଭୟେ ହ୍ରାଇଦାବାଦ୍‌ ସ୍ଥିତ ଏକ ଟିଭି ନିର୍ମାଣକାରୀ ଶିଳ୍ପରେ କାର୍ଯ୍ୟ କରୁଛନ୍ତି। ପଦ୍ମା ଓ ରବୀନ୍ଦ୍ର ବଡ଼ ହୋଇ ବିବାହ କରିବାକୁ ନିଷ୍ପତ୍ତି ନେଲେ। ସେମାନଙ୍କ ପରିବାର ଓ ସଂପର୍କୀୟଙ୍କ ଠାରୁ ବିବାହ ସକାଶେ ଅନୁମତି ନିଆ ଯାଇଥିଲା। ଗଞ୍ଜାମ ଜିଲ୍ଳା ପ୍ରଶାସନ ଓ ‘ଶ୍ରଦ୍ଧା ସଞ୍ଜୀବନୀ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ମିଳିଥିଲା। ଆଜି ସେମାନଙ୍କ ଇଚ୍ଛା ବି ପୂରଣ ହୋଇଛି, ସେମାନେ ଜୀବନସାଥୀ ହୋଇଛନ୍ତି। ବିଜୁ ଶିଶୁ ସୁରକ୍ଷା ଯୋଜନାରେ ବରକୁ ୪୦ ହଜାର ଓ କନ୍ୟାକୁ ୫୦ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି। ‘ଅରୁଣା ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ମଙ୍ଗଳସୂତ୍ର ଓ ବିଭିନ୍ନ ଉପକରଣ ଯୋଗାଇ ଦିଆ ଯାଇଥିଲା।

‘ଶ୍ରଦ୍ଧା ସଞ୍ଜବନୀ ପରିସରରେ ବିବାହ ପାଇଁ ସାଜସଜ୍ଜା ହୋଇଥିଲା। ଶିଶୁ ଗୃହର ସୁସଜ୍ଜିତ ବିବାହ ମଣ୍ଡପ ପ୍ରସ୍ତୁତ କରା ଯାଇଥିଲା। ଶିଶୁ କଲ୍ୟାଣ କମିଟି ସଦସ୍ୟ ତଥା ପୁରୋହିତ ହରିହର ପାଢ଼ୀ ବିବାହ କରାଇଥିଲେ। ସମ୍ପୂର୍ଣ୍ଣ ବୈଦିକ ରୀତିରେ ବିନା ‌ଯୌତୁକରେ ଏହି ଆଦର୍ଶ ବିବାହ ଅନୁଷ୍ଠିତ ହୋଇଥିଲା। ଏଥିସହ ‌ଭୋଜିଭାତର ଆୟୋଜନ ହୋଇଥିଲା। ‘ଅରୁଣା ସ୍ବେଚ୍ଛାସେବୀ ସଂସ୍ଥାର ମୁଖ୍ୟ ତଥା ‘ଶ୍ରଞ୍ଜା ସଞ୍ଜୀବନୀର ପ୍ରତିଷ୍ଠାତା ସଦସ୍ୟ ଲୋକନାଥ ମିଶ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେହ, ବ୍ରହ୍ମପୁର ମହାନଗର ନିଗମର କମିସନର ଡ.ସିଦ୍ଧେଶ୍ବର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାସନ୍‌.ଭି, ଜିଲ୍ଳା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ମଣ୍ଡଳ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ସଚିବ ତଥା ‘ଶ୍ରଦ୍ଧା ସଞ୍ଜୀବନୀ ଶିଶୁ ଗୃହର ସମ୍ପାଦକ ସଞ୍ଜୀବ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଉମାଶଙ୍କର ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡ଼ଙ୍ଗୀ ଓ ଜିଲ୍ଳା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର