ଅସୁରାଳି: କଳା ସାହିତ୍ୟ ସଂସ୍କୃତିର ମାଟି ହେଉଛି ଭଦ୍ରକ। ଏହି ମାଟିର ଅନେକ କୃତବିଦ୍ୟ ମଣିଷ କଳା ସାହିତ୍ୟ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖି ଆସିଛନ୍ତି। ଏଭଳି ଜଣେ ନିଆରା ତଥା ସଫଳ ସଙ୍ଗୀତକାର ହେଉଛନ୍ତି ଗୁରୁ ରାମ ନାରାୟଣ ପଣ୍ଡା। ଭଦ୍ରକ ଆନନ୍ଦବଜାର ନିକଟ ପୋଡ଼ପୋଡା ଶାସନର ଗୁରୁ ରାମନାରାୟଣଙ୍କ ସଙ୍ଗୀତର ଯାତ୍ରା ବେଶ ସୁଦୀର୍ଘ ଓ ସୁପ୍ରଶସ୍ଥ। ଶିକ୍ଷାବିତ ଯୁଧିଷ୍ଠିର ପଣ୍ଡାଙ୍କର କନିଷ୍ଠପୁତ୍ର ରାମ ନାରାୟଣଙ୍କ ନିକଟରେ ବେଶ ଛୋଟ ବେଳୁ ହିଁ ସଙ୍ଗୀତ ପ୍ରତି ଦୁର୍ବଳତା ବାରି ହୋଇ ପଡ଼ିଥିଲା। ମାଟ୍ରିକ ପରୀକ୍ଷା ପରେ ରାମ ନାରାୟଣଙ୍କ ନାମ ଲେଖାହୁଏ ଚଣ୍ଡୀଗଡ଼ ପ୍ରାଚୀନ କଳା କେନ୍ଦ୍ରରେ।
ସେଠାରୁ ତବଲା ବାଦନ ସହିତ ସଙ୍ଗୀତ ଶିକ୍ଷା କରିବା ପରେ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରନ୍ତି ସେ। ପୁଣି ଭଦ୍ରକର ମନମୋହନ ସଙ୍ଗୀତ ପରିଷଦରୁ ଶିକ୍ଷା ନେଇ ନିଜର ଦକ୍ଷତାକୁ ଦ୍ବିଗୁଣିତ କରନ୍ତି। ଜଣେ ତବଲା ବାଦକ ଭାବେ ସାରା ରାଜ୍ୟରେ ଖ୍ୟାତି ଅର୍ଜନ କରିଥିବା ରାମନାରାୟଣ ମଧ୍ୟ ହାରମୋନିୟମ, ଗିଟାର ଏବଂ କିବୋର୍ଡ଼ରେ ପାରଦର୍ଶିତା ଲାଭ କରିଛନ୍ତି। କେବଳ ଏତିକିରେ ତାଙ୍କ ପ୍ରତିଭା ସୀମିତ ନୁହଁ, ଶାସ୍ତ୍ରୀୟ, ରାଗ, ଚମ୍ପୁ ଆଦିରେ ମଧ୍ୟ ସେ ନିପୁଣ। କଟକ ଆକାଶବାଣୀ କେନ୍ଦ୍ର, ରବୀନ୍ଦ୍ର ମଣ୍ଡପ, ଭଞ୍ଜ କଳା ମଣ୍ଡପ, କଟକ ଶତାବ୍ଦୀ ଭବନ, ବାଲେଶ୍ବର ଗାନ୍ଧୀ ସ୍ମୃତି ଭବନ ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ସଙ୍ଗୀତ ପରିବେଷଣ କରି ସେ ତାଙ୍କ ପରାକାଷ୍ଠା ପ୍ରଦର୍ଶନ କରିବା ସହ ସମ୍ମାନିତ ହୋଇଛନ୍ତି।
ଏହି ନିରବ ସାଧକ ଆଜି ଜଣେ ସୁନାମଧନ୍ୟ ସଙ୍ଗୀତକାର ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅଧୁନା ମନମୋହନ ସଙ୍ଗୀତ ପରିଷଦ, ଗାନ୍ଧୀ ଓଡିଶା ବାଳାଶ୍ରମ ଏବଂ ଏସବିଡି ସ୍କୁଲ ଆଦିରେ ସେ ବର୍ତ୍ତମାନ ତବଲା, ଗିଟାର ଏବଂ ହାରମୋନିୟମରେ ଶିକ୍ଷାଦାନ କରୁଛନ୍ତି। ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ପରିବାରର ଏହି ସଫଳ ସଙ୍ଗୀତକାର ରାଜ୍ୟର ଅନେକ ପ୍ରତିଷ୍ଠିତ ଅପେରା ସଂସ୍ଥାରେ ମଧ୍ୟ କାର୍ଯ୍ୟ କରିଥିଲେ। ନିଜକୁ ପ୍ରଚାର ଠାରୁ ସର୍ବଦା ଦୂରେଇ ରଖୁଥିବା ଗୁରୁ ରାମ ନାରାୟଣ ଜଣେ ନିରଳସ ମଣିଷ ଭାବେ ବଞ୍ଚିବାକୁ ପସନ୍ଦ କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/17-6.jpg)