କଟକ : କଳୁଷିତ ରାଜନୀତି ରେଭେନ୍‌ସାର ଗରିମାରେ ଅବକ୍ଷୟ ଆଣିଛି। ତେଣୁ ଏହି ମହାନ ଐତିହ୍ୟ ସଂପନ୍ନ ଅନୁଷ୍ଠାନର ଗରିମା ରକ୍ଷା ସହ ଅନୁଷ୍ଠାନର ଋଣ ଶୁଝିବା ପାଇଁ ପ୍ରତ୍ୟେକ ରେଭେନ୍ସା ଛାତ୍ର ଆଗେଇ ଆସିବା ଆବଶ୍ୟକ। ନିବେଦିତା ମହାନ୍ତିଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ରେଭେନ୍‌ସା କଲେଜ’ ଉନ୍ମୋଚନ ଅବସରରେ ‘ସମ୍ବାଦ’ର ସଂପାଦକ ତଥା ରେଭେନ୍ସା ଆଲୁମିନିର ସଭାପତି ସୌମ୍ୟରଂଜନ ପଟ୍ଟନାୟକ ଏ ପ୍ରକାର ଆହ୍ଵାନ ଦେଇଛନ୍ତି। ରେଭେନ୍ସା କଲେଜର ଦେଢଶହ ବର୍ଷର ଇତିହାସକୁ ନେଇ ରଚିତ ଏହି ପୁସ୍ତକର ଉନ୍ମୋଚନ ଉତ୍ସବ ଆଜି ସଂଧ୍ୟାରେ ବିଶ୍ୱବିଦ୍ୟାଳୟର ହେରିଟେଜ୍‌ ହଲରେ ଅନୁଷ୍ଠିତ ହୋଇଥିଲା।

Advertisment

ଉତ୍ସବରେ ଅଧ୍ୟକ୍ଷତା କରି ଶ୍ରୀ ପଟ୍ଟନାୟକ ଉନ୍ମୋଚିତ ପୁସ୍ତକଟି ରେଭେନ୍ସା ଇତିହାସର ଦସ୍ତାବିଜ୍‌ ବୋଲି କହିବା ସହିତ ରେଭେନ୍‌ସାରେ ନିଜ ଛାତ୍ର ଜୀବନର ଅନୁଭୂତି ବର୍ଣ୍ଣନା କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଛାତ୍ରସଂସଦ ନିର୍ବାଚନରେ ଭାଗ ନେବା ଥିଲା ତାଙ୍କ ପାଇଁ ଏକ ନିଆରା ଅନୁଭୂତି। ସେତେବେଳେ ସ୍ନାତକ ଛାତ୍ର ସଂପାଦକ ପଦବି ପାଇଁ ଲଢୁଥିବା ବେଳେ ସଭାପତି ପଦବିରେ ସ୍ନାତକୋତ୍ତର ଛାତ୍ର ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ପାଉଥିଲେ। ଏହାକୁ କିନ୍ତୁ ସେ ବିରୋଧ କରିଥିଲେ। ତେଣୁ କଲେଜ କର୍ତ୍ତୃପକ୍ଷ ପ୍ରଥମ ଥର ଲାଗି ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଙ୍କୁ ସଭାପତି ପଦରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଅନୁମତି ଦେଇଥିଲେ। ତେବେ ରାଜନୈତିକ ଷଡ଼ଯନ୍ତ୍ର ଯୋଗୁଁ ପ୍ରତିପକ୍ଷ ବ୍ରହ୍ମାନନ୍ଦ ପଣ୍ଡାଙ୍କଠାରୁ ସେ ମାତ୍ର ୮ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ। ସେବେଠାରୁ ବୁଣା ଯାଇଥିବା ରାଜନୈତିକ ଷଡ଼ଯନ୍ତ୍ରର ମଞ୍ଜି ଆଜି ମହାଦ୍ରୁମରେ ପରିଣତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଅବସରପ୍ରାପ୍ତ ପ୍ରଶାସକ ତଥା ବିଶିଷ୍ଟ ସାହିତ୍ୟିକ ଡକ୍ଟର ସୀତାକାନ୍ତ ମହାପାତ୍ର ନିଜର ରେଭେନ୍‌ସା ଅନୁଭୂତି ସଂର୍ପକରେ ମତ ରଖି କହିଥିଲେ ଯେ ରେଭେନ୍‌ସାକୁ ଆସିଲେ ସେ ନିଜ ଘରକୁ ଫେରିବା ଭଳି ଅନୁଭବ କରନ୍ତି। ରାଜନୀତି ବିଜ୍ଞାନରେ ଅଧ୍ୟାପନା କରୁଥିବା ବେଳେ ଲଳିତ ମାନସିଂହ, ଏ.ବି.ତ୍ରିପାଠୀ, ଶରତ ମିଶ୍ରଙ୍କ ପରି ମେଧାବୀ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିଲେ। ପୂର୍ବ ଛାତ୍ରାବାସରେ ରହୁଥିବା ବେଳେ ଛାତ୍ରାବାସର କର୍ମଚାରୀ (ରାମ)ଙ୍କୁ ହାତ କରି ରେଡିଓରେ କ୍ରିକେଟ ମ୍ୟାଚ୍‌ର ଧାରାବିବରଣୀ ଶୁଣିବା ଆଜି ମଧ୍ୟ ମନେପଡେ ବୋଲି ଶ୍ରୀ ମହାପାତ୍ର କହିଥିଲେ। କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଅବସରପ୍ରାପ୍ତ ପ୍ରଶାସକ ତଥା ବିଶିଷ୍ଟ କବି ଡକ୍ଟର ରମାକାନ୍ତ ରଥ ନିଜର ରେଭେନ୍‌ସା ଅନୁଭୂତି ସଂର୍ପକରେ ବର୍ଣ୍ଣନା କରି କହିଥିଲେ ଯେ ଫାଇନାଲ ପରୀକ୍ଷା ବେଳେ ତାଙ୍କ ପାଖରେ ପଇସା ନ ଥିଲା। ପଇସା ନ ଥିବାରୁ ହୋଟେଲ ବାଲା ଖାଇବାକୁ ଦେଇ ନଥିଲା। ତାଙ୍କ ପରି ଅନେକ ପିଲାଙ୍କର ସେତେବେଳେ ଅର୍ଥାଭାବ ରହିଥିଲା। ହେଲେ ମୂଲ୍ୟବୋଧକୁ ଛାଡ଼ି କେହି ଅର୍ଥ ପ୍ରତି ଲାଳସା ରଖୁ ନଥିଲେ। କନିକା ଲାଇବ୍ରେରୀ ପାଖରେ ଜହ୍ନ ରାତିରେ ବସିଲେ ମନକୁ କବିତା ଆପଣାଛାଏଁ ଚାଲିଆସେ ବୋଲି ଶ୍ରୀ ରଥ କହିଥିଲେ।

ରେଭେନସାର ପୁରାତନ ଛାତ୍ରୀ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଡକ୍ଟର ପ୍ରିୟମ୍ବଦା ମହାନ୍ତି ହେଜମାଦି ନିଜ ରେଭେନ୍ସା ଅନୁଭୂତି ସଂପର୍କରେ କହିଥିଲେ ଯେ ତାଙ୍କର ସହପାଠୀ ବିଶିଷ୍ଟ ସଂଗୀତଜ୍ଞ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ବ୍ୟଙ୍ଗ କରିବାର ଢଙ୍ଗ ଆଜିବି ତାଙ୍କ ମନରେ ଜୀବନ୍ତ ହୋଇ ରହିଛି। ଏହି ଅନୁଷ୍ଠାନ ତାଙ୍କୁ ସଂଗୀତ କ୍ଷେତ୍ରରେ ଚିରସ୍ମରଣୀୟ କରି ରଖିଛି। ରେଭେନସାର ଛାତ୍ରୀ ଥିବା ବେଳେ ସେ ଦିଲ୍ଲୀରେ ପ୍ରଥମ ଥର ପାଇଁ ଓଡ଼ିଶୀ ନୃତ୍ୟ କରି ରେକର୍ଡ ସୃଷ୍ଟି କରିଥିଲେ। ସେହି ସମୟରେ ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ବିଶିଷ୍ଟ ଶିକ୍ଷାବିତ ଡକ୍ଟର ବୈଦ୍ୟନାଥ ମିଶ୍ର ପୁସ୍ତକ ଉନ୍ମୋଚନ କରିବା ସହ ନିଜର ଅନୁଭୂତି ବର୍ଣ୍ଣନା କରି କହିଥିଲେ ଯେ ୨୦ ବର୍ଷ କାଳ ସେ ରେଭେନ୍‌ସା ସହ ପ୍ରତ୍ୟକ୍ଷ ଭାବେ ଜଡିତ ଥିଲେ। ଛାତ୍ର ଜୀବନରୁ ଆରମ୍ଭ କରି ଅଧ୍ୟାପକ ଜୀବନ ପର୍ଯ୍ୟନ୍ତ ସବୁକିଛିର ସ୍ମୃତି ଆଜି ବି ତାଙ୍କର ସ୍ମରଣୀୟ ହୋଇ ରହିଛି। ସେ ଛାତ୍ର ସଂସଦର ସଂପାଦକ ଥିବା ବେଳେ ଏକ ଧର୍ମଘଟର ନେତୃତ୍ୱ ନେଇଥିଲେ। କିନ୍ତୁ ତତ୍କାଳୀନ ଅଧ୍ୟକ୍ଷଙ୍କ ପ୍ରଭାବରେ ସେ କିଭଳି ପ୍ରଭାବିତ ହୋଇ ନିଜେ ଛାତ୍ର ମାନଙ୍କୁ ଧର୍ମଘଟରୁ ନିବୃତ କରିଥିଲେ, ସେ ସଂପର୍କରେ ବର୍ଣ୍ଣନା କରିଥିଲେ।

ପୁସ୍ତକର ଲେଖିକା ନିବେଦିତା ମହାନ୍ତି କହିଥିଲେ ଯେ ରେଭେନ୍ସା ହେଉଛି ଓଡ଼ିଶାର ଆତ୍ମା। ସେ ନିଜେ ରେଭେନ୍ସାରେ ପଢି ନଥିଲେ ବି ଏଭଳି ଏକ ପୁସ୍ତକ ଲେଖିବାକୁ ପ୍ରୟାସ କରିଛନ୍ତି। ଏଥିରେ ସହଯୋଗ ପାଇଁ ସେ ପୂର୍ବତନ କୁଳପତି ଦେବଦାସ ଛୋଟରାୟଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟାପକ ସଂଜୟ ଶତପଥୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ ବିବରଣୀ ପାଠ କରିଥିଲେ। ଓଏସ୍‌ଡି ପ୍ରଦୀପ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ରେଭେନ୍ସାର ପୂର୍ବତନ କୁଳପତି ଦେବଦାସ ଛୋଟରାୟଙ୍କ ସମେତ ବହୁ ପୁରାତନ ଛାତ୍ର ତଥା ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଅବସରରେ ନବୀକରଣ ହୋଇଥିବା ରେଭେନ୍‌ସା ପରିସରସ୍ଥିତ ପୁରାତନ ଓଡିଶା ପ୍ରାଦେଶିକ ସଭାଗୃହକୁ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ।