ଏମ୍‌କେସିଜି ସହ ଯୋଡ଼ି ହେଲା ନିଦାନ ଡାଇଗ୍ନୋଷ୍ଟିକ୍‌

ଏଣିକି ମାଗଣାରେ ଏମ୍‌ଆର୍‌ଆଇ ସ୍କାନ୍‌ ସୁବିଧା

ବ୍ରହ୍ମପୁର : ଏମ୍‌କେସିଜି ବଡ଼ ଡାକ୍ତରଖାନାର ରୋଗୀସେବା ଆଉ ଏକ ପାଦ ଆଗକୁ ବଢ଼ିଛି। ରୋଗୀଙ୍କୁ ମାଗଣାରେ ଘରୋଇ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର୍‌ରେ ଏମ୍‌ଆର୍‌ଆଇ ସ୍କାନ୍‌ ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଏମ୍‌କେସିଜି ବଡ଼ ଡାକ୍ତରଖାନା ସହିତ ନିଦାନ ଡାଇଗ୍ନୋଷ୍ଟିକ୍‌ ଆଣ୍ଡ୍‌ ରିସର୍ଚ ସେଣ୍ଟର୍‌ ଯୋଡ଼ି ହୋଇଛି। ଏମ୍‌କେସିଜି ବଡ଼ ଡାକ୍ତରଖାନାରୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏମ୍‌ଆର୍‌ଆଇ ସ୍କାନ୍‌ ପାଇଁ ରୋଗୀଙ୍କୁ ନିଦାନକୁ ପଠାଯିବ। ସେଠାରେ ସରକାରୀ ଯୋଜନା ଅନୁସାରେ ସମ୍ପୂର୍ଣ୍ଣ ମାଗଣାରେ ରୋଗୀଙ୍କ ଏମ୍‌ଆର୍‌ଆଇ ସ୍କାନ୍‌ କରାଯିବ ବୋଲି ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ର ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ଅବନୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ସରକାରୀ ଯୋଜନାରେ ମାଗଣାରେ ଏମ୍‌ଆର୍‌ଆଇ ସ୍କାନ୍‌ ବ୍ୟବସ୍ଥା ରହିଛି। ଏଚ୍‌ଏଲ୍‌ଏଲ୍‌ ନାମ ଏକ ସଂସ୍ଥା ସହିତ ପିପିପି ମୋଡ୍‌ରେ ଏହି ପରୀକ୍ଷା କରାଯାଉଥିଲା। ଚୁକ୍ତି ଅବଧି ସରିବା ପରେ ସମ୍ପୃକ୍ତ ସଂସ୍ଥା ପୁନଃ କାମ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲା। ଏ ନେଇ ଏମ୍‌କେସିଜି କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏକ ଘରୋଇ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର୍‌କୁ ପରୀକ୍ଷା ଦାୟିତ୍ବ ପ୍ରଦାନ କରିବାକୁ ଅନୁମତି ମିଳିଥିଲା। ସେହି ଅନୁମତି ଅନୁସାରେ ନିନାଦ ସହିତ ଏମ୍‌କେସିଜି କର୍ତ୍ତୃପକ୍ଷ ଚୁକ୍ତି କରିଛନ୍ତି। ଏଣୁ ଏଣିକି ସେଠାରେ ରୋଗୀଙ୍କ ଏମ୍‌ଆର୍‌ଆଇ ପରୀକ୍ଷା ମାଗଣାରେ କରାଯିବ। ଏମ୍‌କେସିଜି ବଡ଼ ଡାକ୍ତରଖାନା ପିଏମ୍‌ଏସ୍‌ଏସ୍‌ୱାଇ କୋଠାରେ ଥିବା ମେସିନ୍‌ରେ ଦୈନିକ ୧୦ଜଣ ରୋଗୀଙ୍କ ସ୍କାନ୍‌ କରାଯିବ।

ଏମ୍‌କେସିଜିର କର୍ମଚାରୀ ଏହି ପରୀକ୍ଷା କରିବେ। ଯେଉଁମାନେ ଗୁରୁତର ଥିବେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ। ଏହା ପରେ ଅନ୍ୟ କୌଣସି ରୋଗୀ ଆସିଲେ ତାଙ୍କୁ ନିଦାନକୁ ପଠାଯିବ। କିନ୍ତୁ ଏଥିପାଇଁ ବିଭାଗୀୟ ପ୍ରଫେସର‌୍ କିମ୍ବା ଆସୋସିଏଟ୍‌ ପ୍ରଫେସର୍‌ଙ୍କ ଅନୁମତି ନିହାତି ଜରୁରି ବୋଲି କୁହାଯାଇଛି। ଯେଉଁ ରୋଗୀଙ୍କୁ ବାହାରକୁ ପଠାଯିବ ସେମାନଙ୍କ ସମ୍ପର୍କରେ ସମସ୍ତ ସୂଚନା ପୂର୍ବରୁ ନିଦାନକୁ ଦିଆଯିବ। ଫଳରେ ନିଦାନର କର୍ମଚାରୀ ଠିକ୍‌ ସମୟରେ ରୋଗୀଙ୍କ ପରୀକ୍ଷା କରି ପାରିବେ ବୋଲି କୁହାଯାଇଛି। ସମସ୍ତ ରିପୋର୍ଟ ନିଦାନ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର୍‌ରେ ହିଁ ପ୍ରଦାନ କରାଯିବ। ଆସନ୍ତା ୨୦୨୩ ଏପ୍ରିଲ୍‌ ୩୦ତାରିଖ ପର୍ଯ୍ୟନ୍ତ ନିଦାନ ସହିତ ଏହି ଚୁକ୍ତି କରାଯାଇଥିବା ଅଧ୍ୟକ୍ଷ ପ୍ରଫେସର ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର