‘ନିଦାନ’ରେ ଏସ୍‌ସିବିର ସବୁ ପରୀକ୍ଷା ମାଗଣା

କଟକ : ଏସ୍‌ସିବି ମେଡିକାଲ୍‌ରେ ଏଥର ସବୁ ପ୍ରକାର ପରୀକ୍ଷା ମାଗଣାରେ କରାଯିବ। ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ନିଦାନ’ ଯୋଜନାରେ ଏହି ସେବା ଯୋଗାଇ ଦିଆଯିବ। ପୂର୍ବରୁ କେବଳ ୨୨୨ ପ୍ରକାରର ପରୀକ୍ଷା ମାଗଣାରେ କରାଯିବାକୁ ସରକାରଙ୍କ ପକ୍ଷରୁ ଜଣାଇ ଦିଆଯାଇଥିଲା। ହେଲେ ସରକାରଙ୍କ ସହ ଆଲୋଚନା କରାଯିବା ପରେ ସବୁ ପରୀକ୍ଷାଗୁଡ଼ିକୁ ମାଗଣାରେ କରାଇବାକୁ ନିଷ୍ପତ୍ତି ନିଆଯାଇଛି। ଏସଂକ୍ରାନ୍ତରେ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଥିବା ମେଡିକାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଜାନୁଆରି ୧ ତାରିଖରୁ ନିଦାନରେ ପରୀକ୍ଷା ମାଗଣା କରାଯିବାକୁ ଘୋଷଣା କରାଯାଇଥିଲା। ହେଲେ ୭୫୪ ପରୀକ୍ଷାରୁ ମାତ୍ର ୨୨୧ଟି ପରୀକ୍ଷା ମାଗଣାରେ କରାଯିବାକୁ କୁହାଯାଇଥିଲା। ଏହାକୁ ନେଇ ଅସନ୍ତୋଷ ଦେଖାଦେବାରୁ ଗୋଟିଏ ଦିନ ବ୍ୟବଧାନ ପରେ ଏମ୍‌ଆର୍‌ଆଇକୁ ମାଗଣାରେ ପରୀକ୍ଷା କରାଇବାକୁ ଅନୁମତି ଦିଆଯାଇଥିଲା। ତେବେ ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନ୍ୟ ଦେୟଯୁକ୍ତ ପରୀକ୍ଷା ଗୁଡ଼ିକୁ ମାଗଣାରେ କରାଇବାକୁ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି ହୋଇଥିଲା। ଏହାଉପରେ କିଛି ଦିନ ତଳେ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରାଯାଇ ସମସ୍ତ ପରୀକ୍ଷା ଗୁଡ଼ିକୁ ମାଗଣାରେ କରାଇବାକୁ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର