ଦିଲ୍ଲୀରେ ନାଇଜେରୀୟ ଠକଙ୍କ ଆଡ୍ଡା, ଭାରତୀୟ ଯୁବତୀ ମୋହରା

ସଂପର୍କ ଯୋଡ଼ି ବ୍ୟବହାର କରୁଛନ୍ତି ବ୍ୟାଙ୍କ ଆକାଉଣ୍ଟ

କଟକ: ମୂୂଲ୍ୟବାନ ଉପହାର ଦେବା ଆଳରେ ଲକ୍ଷାଧିକ ଟଙ୍କା ଠକି ନେଉଥିବା ନାଇଜେରିଆର ଠକଙ୍କ ସଂପର୍କରେ କ୍ରାଇମବ୍ରାଞ୍ଚ ପୁଲିସ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି। କ୍ରାଇମବ୍ରାଞ୍ଚ ହାସଲ କରିଥିବା ତଥ୍ୟ ଅନୁଯାୟୀ ନାଇଜେରିଆର ଠକଙ୍କୁ ‘ଟେକ୍ସଟ୍‌ ମି’ ଆପ୍ଲିକେସନ୍‌ ଯୋଗାଉଛି ୧୯୫ଟି ରାଷ୍ଟ୍ରର ବେଆଇନ୍‌ ନମ୍ବର। ଏହି ଆପ୍‌ ଜେନେରେଟ୍‌ କରୁଥିବା ମୋବାଇଲ୍‌ ନମ୍ବରଗୁ଼ଡ଼ିକ କୌଣସି ସର୍ଭିସ ପ୍ରୋଭାଇଡର‌୍‌ଙ୍କ ଦ୍ବାରା ନିୟନ୍ତ୍ରିତ ହେଉ ନାହିଁ। ତେଣୁ ସାଇବର‌୍‌ ଅପରାଧରେ ବ୍ୟବହୃତ ଉକ୍ତ ନମ୍ବରଗୁଡ଼ିକ ଟ୍ରାକ୍‌ କରିବାର କଷ୍ଟକର ହେଉଛି। ନାଇଜେରିଆନ୍‌ ଗିଫ୍ଟ ପାର୍ସଲ ପଠାଇବା ଏବ˚ ଲୋକଙ୍କୁ ଠକିବାରେ ଉକ୍ତ ନମ୍ବର ବ୍ୟବହାର କରାଯାଉଥିବା ତଥ୍ୟ ଦିଲ୍ଲୀ ଯାଇଥିବା ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ହାସଲ କରିଛି। ଦିଲ୍ଲୀରେ ରହୁଥିବା ଉତ୍ତର-ପୂର୍ବ ରାଜ୍ୟର ଯୁବତୀଙ୍କ ସହିତ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ନାଇଜେରିଆର ଏହି ନାଗରିକମାନେ ରହି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଲିଜ୍‌ରେ ଲଗାଇଛନ୍ତି। ଅପରାଧରେ ସମସ୍ତ ଠକେଇ ଅର୍ଥ କାରବାର ଉକ୍ତ ଆକାଉଣ୍ଟ ମାଧ୍ୟମରେ ବ୍ୟବହାର ହେଉଥିବା କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ତଦନ୍ତରୁ ସୂଚନା ପାଇଛନ୍ତି। ୨୦୧୮ ବର୍ଷରେ ନାଇଜେରିଆନ୍‌ ପାର୍ସଲ ପଠାଇବା ଆଳରେ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ନୂଆ ଧରଣର ସାଇବର‌୍‌ ଅପରାଧ ଘଟାଇ ୫ ଥର କୋଟିଏରୁ ଅଧିକ ଟଙ୍କା ଲୁଟି ନେଲେଣି। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି ପୁଣି ଦିଲ୍ଲୀ ଉତ୍ତମ ନଗରରେ ଚଢ଼ଉ କରି ନାଇଜେରିଆର ଏହି ଠକଙ୍କ ବିଶାଳ ନେଟ୍‌ଵାର୍କ ସମ୍ପର୍କରେ ତଥ୍ୟ ହସ୍ତଗତ କରିଛି। ନାଇଜେରିଆନ୍‌ମାନେ ଭାରତକୁ ଟୁରିଷ୍ଟ ଭିସାରେ ଦିଲ୍ଲୀ ଆସିଲା ପରେ ସେମାନେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରୁନାହାନ୍ତି। ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ୧ ହଜାରରୁ ଅଧିକ ନାଇଜେରିଆ ନାଗରିକ ଘର କରି ରହିବା ସହ ବିଭିନ୍ନ ବ୍ୟବସାୟ କରୁଛନ୍ତି। ସେହି ଅଞ୍ଚଳରେ ରହି ସେମାନେ ସାରା ଦେଶରେ ଲୋକଙ୍କୁ ସୋସିଆଲ୍‌ ମିଡିଆରେ ସମ୍ପର୍କ ଯୋଡ଼ି କୋଟି କୋଟି ଟଙ୍କା ଠକି ନେଉଥିବା କ୍ରାଇମବ୍ରାଞ୍ଚ ଅଧିକାରୀ କହିଛନ୍ତି। ସେମାନେ ବ୍ୟବହାର କରୁଥଇବା ‘ଟେକ୍ସଟ୍‌ ମି’ ଆପ୍‌ସ ବିନା ସର୍ଭିସ୍‌ ପ୍ରୋଭାଇଡର‌୍‌ରେ ଇଣ୍ଟର‌୍‌ନେଟ୍‌ ବ୍ୟବହାରକାରୀଙ୍କୁ ମାଗଣାରେ ଭାରତ ସମେତ ୧୯୫ଟି ରାଷ୍ଟ୍ରର କୋଡ୍‌ ସହିତ ମୋବାଇଲ୍‌ ନମ୍ବର ପ୍ରଦାନ କରୁଛି। ଏହି ଆପ୍‌ ମାଧ୍ୟମରେ ଜଣେ ଭାରତରେ ରହି ଯେକୌଣସି ଦେଶର କୋଡ୍‌ ସହିତ ମୋବାଇଲ୍‌ ନମ୍ବର ଚୟନ କରି ବ୍ୟବହାର କରିପାରିବ। ଆପ୍‌ ସହାୟତାରେ ଯେତେବେଳେ ଭାରତରେ ରହୁଥିବା କୌଣସି ବ୍ୟକ୍ତିଙ୍କୁ ଫୋନ୍‌ କରାଯିବ, ସମ୍ପୃକ୍ତ ବ୍ୟକ୍ତି ଜଣକ ବିଦେଶରୁ ଫୋନ୍‌ ଆସିଥିବା ଭାବି ନେବ। ପୁଲିସ ବି ଏହି ନମ୍ବରଗୁଡ଼ିକୁ ଟ୍ରାକ୍‌ କରିପାରିବ ନାହିଁ।

ସମ୍ବନ୍ଧିତ ଖବର