ଜଟଣୀ: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ରୁତ ଗତିରେ ପରିବର୍ତ୍ତନ ଘଟୁଛି। ନୂତନ ବୈଷୟିକ ବିକାଶ ମାନବ ସମାଜକୁ ସାମର୍ଥ୍ୟ ପ୍ରଦାନ କରୁଛି। କିନ୍ତୁ ଏଥିସହିତ ଏହା ମାନବ ଜାତି ପାଇଁ ନୂତନ ଆହ୍ୱାନ ମଧ୍ୟ ସୃଷ୍ଟି କରୁଛି। ସିଆର୍ଆଇଏସ୍ପିଆର-ସିଏଏସ୍ ୯ ଭଳି ଜିନ୍ ଏଡିଟିଂକୁ ବହୁତ ସହଜ କରିଛି। ଅନେକ ଦୁରାରୋଗ୍ୟ ସମାଧାନ ଦିଗରେ ଏହି ଟେକ୍ନୋଲୋଜି ଏକ ବଡ଼ ପଦକ୍ଷେପ ନେଉଛି। ଏହି ଜ୍ଞାନକୌଶଳର ବ୍ୟବହାର ଯୋଗୁଁ ନୈତିକ ଓ ସାମାଜିକ ସମସ୍ୟା ମଧ୍ୟ ଉପୁଜୁଥିବା ବେଳେ ଜେନେରେଟିଭ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଉନ୍ନତି ଯୋଗୁଁ ଅବିକଳ ନକଲ ବା ଡିପ୍ ଫେକ୍ ସମସ୍ୟା ଓ ଅନେକ ନିୟାମକ ଆହ୍ୱାନ ସାମ୍ନାକୁ ଆସୁଛି ବୋଲି ଜଟଣୀସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ୧୩ତମ ସ୍ନାତକ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।
ନାଇଜର ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରଫେସର ଅଜିତ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାରୋହରେ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ କହିଲେ, ସର୍ବଦା ନିଜ ଭିତରେ ନମ୍ରତା ଓ ଅନୁସନ୍ଧାନ ଭାବନା ବଜାୟ ରଖିବା ଆବଶ୍ୟକ। ମୌଳିକ ବିଜ୍ଞାନ କ୍ଷେତ୍ରରେ ପରୀକ୍ଷଣ ଏବଂ ଗବେଷଣା ଫଳାଫଳ ପାଇବା ପାଇଁ ଅନେକ କ୍ଷେତ୍ରରେ ବହୁତ ସମୟ ଲାଗିଥାଏ। ଦୀର୍ଘ ବର୍ଷ ଧରି ନିରାଶାର ସମ୍ମୁଖୀନ ହେବା ପରେ ଅନେକ ଥର ସଫଳତା ମିଳିଛି। ଛାତ୍ରଛାତ୍ରୀମାନେ ନିଜ ଜ୍ଞାନକୁ ଏକ ସାମାଜିକ ଉଦ୍ୟୋଗ ଭାବରେ ବିଚାର କରି ସମାଜ ଓ ଦେଶର ବିକାଶ ପାଇଁ ବ୍ୟବହାର କରିବେ ବୋଲି ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ରାଜ୍ୟପାଳ ରଘୁବର ଦାସ କହିଥିଲେ, ଆଜି ଭାରତ ଯେପରି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଗତି କରିଛି, ତାହା କେବଳ ଭାରତୀୟ ଗବେଷଣାରତ ବୈଜ୍ଞାନିକମାନଙ୍କ ପାଇଁ ସମ୍ଭବ ହୋଇଛି। ଏହି ସ୍ରୋତରେ ସାମିଲ ହେବାପାଇଁ ସେ ଯୁବ ବୈଜ୍ଞାନିକମାନଙ୍କୁ ଆହ୍ବାନ ଦେଇଛନ୍ତି। ଅନ୍ୟତମ ସମ୍ମାନିତ ଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ପ୍ରତିଷ୍ଠିତ ଅନ୍ତର୍ଜାତୀୟସ୍ତରର ଏହି ପ୍ରମୁଖ ବିଜ୍ଞାନ ପ୍ରତିଷ୍ଠାନକୁ ରାଜ୍ୟ ସରକାରଙ୍କ ସହଯୋଗ ଅତୁଟ ରହିବ ବୋଲି କହିଥିଲେ। ଏହି ଅବସରରେ ଚଳିତ ବର୍ଷ ୧୫୭ଜଣଙ୍କୁ ସ୍ନାତକ, ୨୧ଜଣଙ୍କୁ ଏମ୍ଏସି ପିଏଚଡି ଏବଂ ୭୦ ଜଣଙ୍କୁ ପିଏଚଡି ଡିଗ୍ରି ପ୍ରଦାନ କରାଯାଇଥିଲା।
ଏଥିସହ ୧୧ଜଣଙ୍କୁ ବିଭିନ୍ନ ପଦକ ପ୍ରଦାନ କରାଯାଇଛି। ଚଳିତବର୍ଷ ରସାୟନ ବିଭାଗର ଛାତ୍ର ପ୍ରଣୟ ମହାନ୍ତିଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ନାଇଜରର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ର ନାଥ ଘୋଷ ସ୍ବାଗତ ଭାଷଣ ଦେଇଥିଲେ। ନାଇଜରର କୁଳସଚିବ ଅଭୟ କୁମାର ନାୟକ, ପ୍ରଫେସର ପ୍ରଣୟ ସ୍ବାଇଁ, ଦେବସ୍ମିତା ଆଲୋନେ ସମାରୋହ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/dggjgjgjgj.jpg)