ଭୁବନେଶ୍ବର: ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ନେଇ ଜାରି ହୋଇଛି ନିର୍ଦ୍ଦେଶନାମା । କରୋନା ସଂକ୍ରମଣ ଦିନକୁ ଦିନ ପୁଣି ବଢୁଥିବା ବେଳେ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ଜାରି ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି ।
#ରାଜ୍ୟର_୧୦_ଜିଲ୍ଲାରେ_ନାଇଟ_କର୍ଫ୍ୟୁ
ରାଜ୍ୟର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ଲାଗି ଘୋଷଣା। ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟରେ ଏପ୍ରିଲ ୫ଠାରୁ ଜାରି ହେବ ନାଇଟ କର୍ଫ୍ୟୁ । ରାତି ୧୦ରୁ ସକାଳ ୫ଟା ଯାଏ ବଳବତ୍ତର ରହିବ। #Sambad #NightCurfew pic.twitter.com/pC5MUXemg8— Sambad (ସମ୍ବାଦ) (@sambad_odisha) April 3, 2021
ତେବେ ଆସନ୍ତା ୫ ତାରିଖ ଅର୍ଥାତ ସୋମବାରଠାରୁ ଏହି କଟକଣା ଲାଗିବ । ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ ନାଇଟ୍ କର୍ଫ୍ୟୁ କଟକଣା । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଅନ୍ୟ ସବୁ କିଛି ବନ୍ଦ ରହିବ ବୋଲି ସୂଚନା ରହିଛି।
ରାଜ୍ୟ ସରକାର ମୁଖ୍ୟତଃ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସୀମାନ୍ତ ଜିଲ୍ଲାଗୁଡ଼ିକରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି। ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସହ ସଂଯୁକ୍ତ ଥିବା ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଛତିଶଗଡ଼ରେ କରୋନା ସଂକ୍ରମଣ ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ ସେଠାକାର ଦୁର୍ଗ ଜିଲ୍ଲାରେ ଲକଡାଉନ୍ ଜାରି କରାଯାଇଛି। ସେହିପରି କ୍ରିକେଟ୍ ମ୍ୟାଚ ଦେଖିବାକୁ ରାୟପୁର ଯାଇଥିବା ନୂଆପଡ଼ାର ବହୁ ଖେଳପ୍ରେମୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଛତିଶଗଡ଼ କନେକସନ୍ ଚିନ୍ତାର କାରଣ ହୋଇଥିଲା। କରୋନା ସଂକ୍ରମଣକୁ ରୋକିବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି।