ରାଜ୍ୟକୁ ଫେରିଲା ନାଇଟ୍ କର୍ଫ୍ୟୁ: ରାତି ୯ରୁ ସକାଳ ୫ଟା ଯାଏଁ ଲାଗିଲା କଟକଣା, ଦ୍ବୈତନଗରୀରେ ୧୪୪ ଧାରା ଜାରି

ଭୁବନେଶ୍ବର:  ରାଜ୍ୟକୁ ପୁଣି ଫେରିଲା ନାଇଟ କର୍ଫ୍ୟୁ । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲା ଛଡା ରାଜ୍ୟର ବାକି ୨୦ ଜିଲ୍ଲାର ସହରାଞ୍ଚଳରେ ଆଜିଠୁ ଲାଗୁ ହେଉଛି ରାତ୍ରିକାଳୀନ କଟକଣା । ଏଣିକି ପ୍ରତିଦିନ ରାତି ୯ଟାରୁ ସକାଳ ୫ଟା ଯାଏଁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ତେବେ ଏହି ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ । ଏହି ସମୟରେ ବିଜୁଳି, ପାନୀୟ ଜଳ, ରନ୍ଧନ ଗ୍ୟାସ ଓ ଅନ୍ୟ ଅତ୍ୟାବଶ୍ୟକ ସେବା ଏହି ସମୟରେ ଯୋଗାଇଦେବା ଉପରେ କୌଣସି ପ୍ରତିବନ୍ଧକ ନାହିଁ । ନିଜ ଅନୁଷ୍ଠାନର ପରିଚୟପତ୍ର ଦେଖାଇ ଜରୁରୀକାଳୀନ ସେବାର କର୍ମଚାରୀମାନେ ଯିବାଆସିବା କରିପାରିବେ ।

ଏପଟେ ଆଜିଠାରୁ କଟକ-ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ଟୁଇନସିଟିରେ ରାତି ୯ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ ୧୪୪ ଧାରା । ଏହି ସମୟରେ ଜରୁରୀକାଳୀନ ସେବା ଜାରି ରହିବ । ଏଥିପାଇଁ କୌଣସି ପାସ ବ୍ୟବସ୍ଥା କରାଯାଇ ନାହିଁ ।

ସେହିପରି ଛତିଶଗଡ ସୀମାନ୍ତବର୍ତ୍ତୀ ୧୦ଟି ଜିଲ୍ଲାର ସହରାଂଚଳରେ ଆଜିଠୁ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହୋଇଛି । ସୁନ୍ଦରଗଡ, ସମ୍ବଲପୁର, ବରଗଡ, ଝାରୁସୁଗୁଡା, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ସହରରରେ ଦୁଇ ଦିନିଆ ସଟଡାଉନ ଲାଗିଛି । ବିଭିନ୍ନ ସହରରେ ଦୋକାନ ବଜାର ବନ୍ଦ ଥିବା ବେଳେ, ରାସ୍ତାରେ ପୁଲିସ ପାଟ୍ରୋଲିଂ କରି କଟକଣାକୁ କଡାକଡି କରୁଛି । ଅମାନିଆଙ୍କୁ ଦେଖିଲେ ପୁଲିସ ଧରି ଜରିମାନା ଆଦାୟ କରୁଛି ।

ସେହିପରି ଗ୍ରାମାଂଚଳ ପାଇଁ ଏହି ୧୦ ଜିଲ୍ଲାରେ ଆଜିଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ କଟକଣା ବଳବତ୍ତର ରହିବ । ଛତିଶଗଡ ସୀମାକୁ ଲାଗି ରହିଥିବା ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ବଢି ଚାଲିଛି । ତେଣୁ ସଂକ୍ରମଣକୁ ଆଖିରେ ରଖି ଏହି ନିଷ୍ପତି ନେଇଛନ୍ତି ସରକାର । ଏଣିକି ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ସପ୍ତାହର ଶେଷ ଦୁଇ ଦିନ ୧୦ ଜିଲ୍ଲାରେ ସଟଡାଉନ୍ ପାଳନ କରାଯିବ।

ସମ୍ବନ୍ଧିତ ଖବର