ରାଜ୍ୟର ସହରାଂଚଳରେ ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ, ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟ୍ ଡାଉନ୍

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର କେତେକ ଗୁରୁତ୍ବପୂର୍ଣ୍ଣ କଟକଣା ଲାଗୁ କରିଛନ୍ତି। ଛତିଶଗଡ଼ରେ ସଂକ୍ରମଣ ବ୍ୟାପକ ହୋଇଥିବାରୁ ଏହାର ସୀମାକୁ ଲାଗିଥିବା ରାଜ୍ୟର ୧୦ଟି ଜିଲ୍ଲା (ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ନବରଂଗପୁର, ମାଲକାନଗିର, କୋରାପୁଟ)ରେ ଥିବା ସହରାଂଚଳରେ ଲାଗୁ ହୋଇଥିବା ରାତ୍ରିକାଳୀନ କର୍ଫ୍ୟୁର ଅବଧି ବଢ଼ାଇଛନ୍ତି। ଏପ୍ରିଲ ୧୬ ତାରିଖଠାରୁ ସଂଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହା ଲାଗୁ କରାଯାଇଛି। ସେହିପରି ଛତିଶଗଡ଼ ସୀମାକୁ ଲାଗି ଥିବା ୧୦ଟି ଜିଲ୍ଲାରେ ଆସନ୍ତା ଶନିବାରଠାରୁ ୨ ଦିନିଆ ସାପ୍ତାହିକ ସଟ୍‌ଡାଉନ୍‌ ଲାଗୁ ହେବ। ଏହି ୧୦ଟି ଜିଲ୍ଲାର ସହରାଂଚଳରେ ଏହା ଲାଗୁ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ସପ୍ତାହର ଶନିବାର ଓ ରବିବାର ଏହି ୧୦ଟି ଜିଲ୍ଲା ପୂର୍ଣ୍ଣ ସର୍ଟଡାଉନ କରାଯିବ। ଏହା ଦ୍ବାରା ସଂକ୍ରମଣର ଗତିକୁ କିଛି ପରିମାଣରେ ରୋକାଯାଇ ପାରିବ ବୋଲି ସେ ଆଶାପ୍ରକାଶ କରିଛନ୍ତି।

ସେହିପରି ରାଜ୍ୟର ଅନ୍ୟ ୨୦ଟି ଜିଲ୍ଲାରେ ଥିବା ସହରାଂଚଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ। ରାଜଧାନୀ ଭୁବନେଶ୍ବର ଓ କଟକ ମଧ୍ୟ ଏହି କଟକଣାର ଅନ୍ତର୍ଭୁକ୍ତ ହୋଇଛି। ଏପ୍ରିଲ ୧୬ ତାରିଖ ଠାରୁ ଏହା  ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିବା ସହ ଲୋକେ ବାହାରକୁ ଯାଉଥିଲେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତ୍ବ ରକ୍ଷା କରନ୍ତୁ ବୋଲି ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ତେବେ ରାତ୍ରିକାଳୀନ କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବାକୁ ଅନୁମତି ମିଳିବ। ବିଦ୍ୟୁତ, ସ୍ବାସ୍ଥ୍ୟ, ଜଳଯୋଗାଣ ଏବଂ ଖାଦ୍ୟର ହୋମ ଡେଲିଭରି ଆଦି ସେବା ଜାରି ରହିବ। ଏଥିରେ ନିୟୋଜିତ ଥିବା କର୍ମଚାରୀ  ପୁଲିସକୁ ନିଜର ପରିଚୟ ପତ୍ର ଦେଖାଇ ଯାଇପାରିବେ। ଏଥି ପାଇଁ କୌଣସି ସ୍ବତନ୍ତ୍ର ପାସ୍‌ର ଆବଶ୍ୟକ ନାହିଁ। ଲୋକେ ନିଜ ସଂସ୍ଥାର ପରିଚୟ ପତ୍ର ଦେଖାଇ ଯା’ଆସ କରିପାରି‌ବେ। ତେବେ ଏ ସଂକ୍ରାନ୍ତରେ ସବିଶେଷ ସୂଚନା ଥାଇ ଗାଇଡଲାଇନ୍ ଜାରି କରାଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି।

ରାତ୍ରିକାଳୀନ କର୍ଫ୍ୟୁ ସମୟରେ ମାଲ ପରିବହନ କରୁଥିବା ଯାନବାହାନ ପୂର୍ବ ଭଳି ଚାଲିବ। ଜନସାଧାରଣଙ୍କ ଗତିକୁ ନିୟନ୍ତ୍ରଣ ପାଇଁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ପୂର୍ବରୁ ଆଜି ୧୦ମ ପରୀକ୍ଷା ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ରଖାଯାଇଛି। ବର୍ତ୍ତମାନ  ସ୍ଥିତିରେ ପରୀକ୍ଷା କରିବା ଯେହେତୁ ସୁରକ୍ଷିତ ନୁହେଁ, ତେଣୁ ମେ’ ମାସରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ କରାଯାଇଛି। ପରେ ଏହାରି ଉପରେ ବିଚାର କରାଯିବ।

ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆସନ୍ତା ୧୯ ତାରିଖ ଠାରୁ ସ୍କୁଲରେ କ୍ଲାସ ବନ୍ଦ ରହିବ। ଅନଲାଇନରେ କ୍ଲାସ ଗୁଡ଼ିକ ଜାରି ରହିବ। କୋଚିଂରେ ମଧ୍ୟ ଅନ୍‌ଲାଇନରେ କ୍ଲାସ ହେବ। ସେହିପରି ସାମାଜିକ କାର୍ଯ୍ୟକ୍ରମ ଯଥା ବିବାହ ଉତ୍ସବରେ ୫୦ ଜଣ ଓ ଶୁଦ୍ଧି କ୍ରିୟାରେ ୨୦ ଜଣ ଲୋକ ସାମିଲ ହୋଇପାରିବେ। କୋଭିଡ ‌କଟକଣା ସହ କାର୍ଯ୍ୟକ୍ରମ ହେବ। ବିବାହ ତଥା ରାଜନୈତିକ ଶୋଭାଯାତ୍ରାକୁ ଅନୁମତି ମିଳପାରିବ ନାହିଁ। କୌଣସି ସଭା-ସମିତି ହେବ ନାହିଁ। ରାଜନୈତିକ ସମାବେଶ ଓ ରାଲି ମଧ୍ୟ ହେବ ନାହିଁ । ମନ୍ଦିରରେ କେବଳ ରୀତିନୀତି ସହ ପୂଜାର୍ଚ୍ଚନା ହେବ।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ମନ୍ଦିରଗୁଡ଼ିକ କେମିତି ପରିଚାଳିତ ହୋଇପାରିବ ସେ ନିଷ୍ପତ୍ତି ଜିଲ୍ଲାପାଳମାନେ‌ ନେବେ। ଅଟୋ ରିକ୍ସା ଓ ଟ୍ୟାକ୍ସିରେ ଡ୍ରାଇଭରଙ୍କୁ ଛାଡ଼ି ୨ ଜଣ ବସିପାରିବେ। ମୀନାବଜାରରେ ୨୦୦ ଜଣ ଲୋକଙ୍କୁ ଅନୁମତି ମିଳିବ। ଅପେରାରେ ପୂର୍ବରୁ ୨୦୦୦ ଲୋକଙ୍କୁ ଅନୁମତି ମିଳୁଥିଲା। କିନ୍ତୁ ଏବେ ୧୦୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ସିନେମା ହଲ ୫୦ ପ୍ରତିଶତ ଦର୍ଶକଙ୍କୁ‌ ନେଇ ଚାଲିବ। ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ ଲୋକଙ୍କୁ ନେଇ ଚାଲିବ। ଘରୋଇ କାର୍ଯ୍ୟାଳୟରେ କେତେ ପରିମାଣରେ କର୍ମଚାରୀ ରହିବେ, ସେ ନେଇ କର୍ତ୍ତୃପକ୍ଷ ଚିନ୍ତା କରିବେ। ଅଫିସରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବହାର କରିବେ ଏବଂ ସାମାଜିକ ଦୂରତା ରକ୍ଷା କରିବେ। ଏବେ କୋଭିଡ ହସ୍‌ପିଟାଲକୁ କାର୍ଯ୍ୟକ୍ଷମ କରାଯାଉଛି। ଏଥି ସହିତ ଆଇସିୟୁ, ବେଡ ବଢ଼ାଯାଉଛି। ୪୫ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଟିକା ଦିଆଯାଉଛି।

କରୋନାର ୨ୟ ଲହର ଜାରି ରହିଛି। ପ୍ରଥମ ଲହରକୁ ଆମେ ସଫଳତାର ସହିତ ମୁକାବିଲା କରିଥିଲେ। ଗତ କିଛି ଦିନ ମଧ୍ୟରେ ସାରା ଭାରତରେ କରୋନାର ନୂଆ ରେକର୍ଡ ଦେଖିବାକୁ ମିଳୁଛି। କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିଛି। ଛତିଶଗଡ଼ରେ କରୋନା ସଂଖ୍ୟା ବଢ଼ି ଚାଲିଛି। ଏବେ ଛତିଶଗଡ଼ରେ ୧ ଲକ୍ଷରୁ ଅଧିକ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଛତିଶଗଡ଼କୁ ଲାଗି ରହିଥିବା ୧୦ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ରାତି ବଳବତ୍ତର ରହିଛି। ଓଡ଼ିଶାରେ ସଂକ୍ରମିତ ଲେକଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାରି ଭିତରେ ଆମେ କିଛି ଜିଲ୍ଲାକୁ ଗସ୍ତ କରିସାରିଛୁ। ସୀମାରେ ସ୍ଥିତି ଆକାଳନ କରାଯାଇ ରାଜ୍ୟ ସରକାର ଏହି ସବୁ ନିଷ୍ପତ୍ତି ନେଇଛନ୍ତି। 

ସମ୍ବନ୍ଧିତ ଖବର