ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ : ଜାଣନ୍ତୁ କଣ ଖୋଲା ଓ କଣ ବନ୍ଦ

ଭୁବନେଶ୍ବର: କରୋନା ସଂକ୍ରମଣକୁ ଆଖିରେ ରଖି ଏପ୍ରିଲ ୫ ତାରିଖରୁ ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଯେଉଁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କରାଯାଇଛି, ସେଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୁଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି। ରାତି ୧୦ଟା ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗିବ।  ଅନ୍ୟ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଜଣାଯାଇଛି। ଆସନ୍ତୁ ଜାଣିବା ନାଇଟ୍ କର୍ଫ୍ୟୁରେ କ’ଣ ଛାଡ଼ ହେବ ଓ କଣ ବନ୍ଦ ରହିବ?

ଏହି ସମୟରେ ସମସ୍ତ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ ଓ ଅନୁଷ୍ଠାନ ବନ୍ଦ ରହିବ। ତେବେ ଡାକ୍ତର, ମେଡିକାଲ୍ / ପାରାମେଡିକାଲ୍ ଷ୍ଟାଫ୍ (ସରକାରୀ ଏବଂ ବେସରକାରୀ), ଆମ୍ବୁଲାନ୍ସ, ବିଦ୍ୟୁତ୍, ଅଗ୍ନିଶମ ସେବା, ଟେଲିକମ୍, ଜଳ ପରି ୟୁଟିଲିଟିର ଜରୁରୀକାଳୀନ କର୍ମଚାରୀ, ହୋଟେଲ୍ କର୍ମଚାରୀ ଆଦିଙ୍କ ଗମନାଗମନ ଉପରେ କୌଣସି କଟକଣା ନାହିଁ। ଠିକ୍ ସେହିପରି ବିମାନବନ୍ଦର, ରେଳ ଷ୍ଟେସନ ଏବଂ ବସ୍ ଷ୍ଟାଣ୍ଡ ଆଦିକୁ ଯାଉଥିବା ଯାତ୍ରୀମାନଙ୍କ ଲାଗି ପ୍ରତିବନ୍ଧକ ନାହିଁ। ଚିହ୍ନଟ କରାଯାଇଥିବା ଗଣମାଧ୍ୟମର ପ୍ରତିନିଧିଙ୍କୁ କଟକଣାରୁ ମୁକ୍ତ ରଖାଯାଇଛି। ନିଜର କଂପାନି ପରିଚୟ ପତ୍ର ଦେଖାଇ ଆଇଟି କର୍ମଚାରୀମାନେ ବି ନାଇଟ୍ କର୍ଫ୍ୟୁ ସମୟରେ ଯାତାୟତ କରିପାରିବେ।

ଠିକ୍ ସେହିପରି ଏଲପିଜି ବିତରଣ, ରନ୍ଧନ ଗ୍ୟାସର ଘର ବିତରଣ, ଖାଦ୍ୟ ସାମଗ୍ରୀ, ପନିପରିବା, ଅଣ୍ଡା, ମାଛ, ମାଂସ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ବିତରଣ ଉପରେ ବି କୌଣସି କଟକଣା ନଥିବା ଜଣାଯାଇଛି। ପେଟ୍ରୋଲ ପମ୍ପ ଓ ସିଏନ୍ଜି ଷ୍ଟେସନ ଖୋଲା ରହିବ। ଜାତୀୟ ରାଜପଥରେ ଥିବା ଢାବାଗୁଡ଼ିକରୁ ଖାଦ୍ୟ ପାର୍ସଲ ନିଆଯାଇପାରିବ। ଜମାଟୋ, ସ୍ବିଗି ଭଳି ସଂସ୍ଥାର ହୋମ୍ ଡେଲିଭରିକୁ ଅନୁମତି ଦିଆଯାଇଛି।

 

ସମ୍ବନ୍ଧିତ ଖବର