ବ୍ରହ୍ମପୁରରେ ରାତ୍ରିକାଳୀନ କର୍ଫ୍ୟୁ, ଫିକା ପଡ଼ିଲା ଜିରୋ ନାଇଟ୍

ବ୍ରହ୍ମପୁର : ଚଳିତ ବର୍ଷ କରୋନା କଟକଣାରେ ଲୋକେ ଦିନ କାଟିଛନ୍ତି। ୨୦୨୦ ବର୍ଷକୁ ବିଦାୟ ଦେଇ ୨୦୨୧ ନବବର୍ଷକୁ ସ୍ବାଗତ କରି ଉତ୍ସବ ପାଳନ ଉପରେ ମଧ୍ୟ ସରକାର କଟକଣା ଜାରି କରିଛନ୍ତି। କରୋନା ସଂକ୍ରମଣ ଭୟ ରହିଥିବାରୁ ଭିଡ଼ ଜମାଇ ଭୋଜିଭାତ ତଥା ଉତ୍ସବ ପାଳନ କରିବାକୁ ରାଜ୍ୟ ସରକାର ବାରଣ କରିଛନ୍ତି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଆଜି ରାତି ୧୦ଟାରୁ ଆସନ୍ତା କାଲି ଜାନୁଆରି ୧ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି। ଫଳରେ ଜିରୋ ନାଇଟ୍‌ ପୂରା ଫିକା ପଡ଼ି ଯାଇଛି।

ବ୍ରହ୍ମପୁରରେ ରାତି ପ୍ରାୟ ସାଢ଼େ ୯ଟା ବେଳେ ପୁଲିସ ବିଭିନ୍ନ ଅଞ୍ଚଳ ବୁଲି ଠିକ୍‌ ସମୟରେ ଦୋକାନ ବନ୍ଦ କରିବା ପାଇଁ ବ୍ୟବସାୟୀଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଥିଲା। ରାତି ୧୦ଟାରେ ପୂରା ସହର ବନ୍ଦ ହୋଇଯାଇଥିଲା। ସମସ୍ତ ବ୍ୟବସାୟ ପ୍ରତିଷ୍ଠାନରେ ତାଲା ଝୁଲୁଥିବା ବେଳେ ରାସ୍ତାଘାଟ ଶୂନ୍‌ଶାନ୍‌ ଲାଗୁଥିଲା। ପୂର୍ବବର୍ଷ ଗୁଡ଼ିକରେ ନବବର୍ଷ ପାଳନ ଅବସରରେ ବିଭିନ୍ନ କ୍ଲବ ଓ ହୋଟେଲଗୁଡ଼ିକରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷ ସବୁକିଛି ବନ୍ଦ କରାଯାଇଛି। ଜରୁରୀକାଳୀନ ସେବା ଏବଂ ଅତ୍ୟାବଶ୍ୟକ କାର୍ଯ୍ୟକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ପ୍ରକାର ଯାତାୟାତ ଉପରେ କଟକଣା ଜାରି କରାଯାଇଛି। ସହରର ବିଭିନ୍ନ ଛକରେ ପୁଲିସ ଜଗି ରହିଛି। ଲୋକେ ନିଜ ନିଜ ଘରେ ଜିରୋ ନାଇଟ୍‌ ପାଳନ କରିଛନ୍ତି। ପୁଲିସ ସହରର ବିଭିନ୍ନ ଗଳିକନ୍ଦିରେ ମଧ୍ୟ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ସହରବାସୀ ବିଭିନ୍ନ ସୋସିଆଲ୍‌ ମିଡ଼ିଆ ଜରିଆରେ ନିଜ ନିଜର ବନ୍ଧୁ ଓ ସମ୍ପର୍କୀୟଙ୍କୁ ନବବର୍ଷର ଅଭିନନ୍ଦନ ଜ୍ଞାପନ କରିଥିଲେ। ଏଭଳି କଟକଣା ପାଇଁ ସହରରେ ଫୁଲ ବ୍ୟବସାୟ ମଧ୍ୟ ମାନ୍ଦା ରହିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର