ସାରା ରାଜ୍ୟରେ ରାତି କର୍ଫ୍ୟୁ, ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ହେବ ପୁଲିସ

ଭୁବନେଶ୍ବର-କଟକରେ ୧୪୪ ଧାରା, କାର୍ଯ୍ୟାନୁଷ୍ଠାନ ପାଇଁ ୧୫୦ ପ୍ଲାଟୁନ ଫୋର୍ସ ମୁତୟନ

୧୦ ଦିନରେ ଆଦାୟ ହେଲାଣି ୨ କୋଟି ୯୮ ଲକ୍ଷ ଜରିମାନା

ଭୁବନେଶ୍ବର : କୋଭିଡ୍ ସଂକ୍ରମଣକୁ ରୋକିବା ଲାଗି ସାରା ରାଜ୍ୟରେ ଶନିବାର ରାତିରୁ ଆରମ୍ଭ ହୋଇଯାଇଛି ନାଇଟ୍ କର୍ଫ୍ୟୁ। ଛକ ଛକରେ ଚାଲିଛି ପୁଲିସ ଚେକିଂ। ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ଜରୁରୀ ସେବାକୁ ବାଦ୍ ଦେଇ ଯେଉଁମାନେ ବାହାରକୁ ବାହାରୁଛନ୍ତି ସେମାନଙ୍କ ବିରୋଧରେ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଚେତାଇ ଦେଇଛି। ସେହିପରି ଦ୍ବୈତନଗରୀ ଦ୍ଭୁବନେଶ୍ବର ଓ କଟକରେ ଅଧିକ କଠୋର ହୋଇଛି ପୁଲିସ। ନାଇଟ କର୍ଫ୍ୟୁ ସମୟରେ ୧୪୪ ଧାରା ମଧ୍ୟ ଲଗାଯାଇଛି। ଅର୍ଥାତ କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେଲେ ପୁଲିସ ଧରିବ। ଯେଉଁମାନେ ଆଇନ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ସବୁ ଜିଲ୍ଲାର ପ୍ରମୁଖ ଛକରେ ପୁଲିସ ପକ୍ଷରୁ ଚେକ୍‌ପୋଷ୍ଟ କରାଯାଇଛି। ଯାଞ୍ଚ କଡ଼ାକଡ଼ି କରିବା ଲାଗି ପ୍ରାୟ ଦେଢ଼ ଶହ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯାଇଛି। କେବଳ କଟକ ଓ ଭୁବନେଶ୍ବରରେ ପ୍ରାୟ ୫୦ଟି ଚେକ୍‌ପୋଷ୍ଟ କରାଯାଇଛି। ଦୁଇ ସହରରେ ପ୍ରବେଶ ଓ ପ୍ରସ୍ଥାନ ପଥ ସହ ବିଭିନ୍ନ ସ୍ଥାନରେ ୨୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯାଇଛି। କେବଳ ମେଡିକାଲ, ବିଦ୍ୟୁତ ବିତରଣ ସଂସ୍ଥା, ଜଳ ଯୋଗାଣ, ଗଣମାଧ୍ୟମ କର୍ମଚାରୀ, ମେଡିସିନ୍ ଷ୍ଟୋର ଆଦି ଜରୁରୀ ସେବାରେ ନିୟୋଜିତ କର୍ମଚାରୀମାନେ ନାଇଟ୍‌ କର୍ଫ୍ୟୁ ‌ବେଳେ ନିଜ ନିଜ ସଂସ୍ଥାର ପରିଚୟପତ୍ର ବା ପ୍ରମାଣପତ୍ର ଦେଖାଇ ଯିବାଆସିବା କରିପାରିବେ। ସାଙ୍ଗରେ ପରିଚୟ ପତ୍ର ନେଇ ଯିବା ଲାଗି ସମସ୍ତଙ୍କୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଆଜିଠାରୁ ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲ୍ଲାରେ ରାତ୍ରକାଳୀନ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରହିବ। ଏହି ୧୦ ଜିଲ୍ଲାରେ ଶନିବାର ଓ ରବିବାର ସପ୍ତାହନ୍ତ ସଟ୍‌ଡାଉନ୍‌ ମଧ୍ୟ କରାଯାଇଛି। କଟକ, ଭୁବନେଶ୍ବର ସହ ବାକି ୨୦ଟି ଜିଲ୍ଲାରେ ଏହା ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହୋଇଛି।

ଅନ୍ୟପକ୍ଷରେ ଗତ ୭ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସ୍ବତନ୍ତ୍ର ଡ୍ରାଇଭରେ ୧ ଲକ୍ଷ ୧ ହଜାର ୫୭ ଜଣ ଆଇନ ଉଲ୍ଲଂଘନକାରୀ ପୁଲିସ ଜାଲରେ ପଡ଼ିଛନ୍ତି। ସେମାନଙ୍କଠାରୁ ୨ କୋଟି ୯୮ ଲକ୍ଷ ୨୧ ହଜାର ୯୯୦ ଟଙ୍କାର ଜରିମାନା ଆଦାୟ କରାଯାଇଛି। ଏହି ୧୦ ଦିନିଆ ସ୍ବତନ୍ତ୍ର ଡ୍ରାଇଭ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ସାରା ରାଜ୍ୟରେ ୧୩୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ।

ସମ୍ବନ୍ଧିତ ଖବର