ଛତିଶଗଡ଼ ସୀମାକୁ ଲାଗିଥିବା ୧୦ଟି ଜିଲ୍ଲାରେ ସନ୍ଧ୍ୟା ୬ରୁ ସକାଳ ୫ କର୍ଫ୍ୟୁ; ଶନିବାର ଓ ରବିବାର ସଟ୍ଡାଉନ୍
ବାକି ୨୦ ଜିଲ୍ଲା ସହରାଞ୍ଚଳରେ ରାତି ୯ରୁ ସକାଳ ୫ କର୍ଫ୍ୟୁ
ଧାର୍ମିକ, ସାଂସ୍କୃତିକ ଓ ରାଜନୈତିକ ସମ୍ମିଳନୀ ସମ୍ପୂର୍ଣ୍ଣ ନିଷିଦ୍ଧ
ବିବାହ କାର୍ଯ୍ୟରେ ସର୍ବାଧିକ ୫୦, ଅନ୍ତ୍ୟେଷ୍ଟିରେ ୨୦ଜଣଙ୍କୁ ଅନୁମତି
ଭୁବନେଶ୍ବର : ୧୭ ତାରିଖ ଶନିବାର ଠାରୁ ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ହେବ। ସେହିପରି ଭୁବନେଶ୍ବର, କଟକ ସମେତ ବାକି ୨୦ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ସମୟ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକ୍ରମେ ଆଜି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି କଟକଣା ଘୋଷଣା କରିଛନ୍ତି। କରୋନାର ଦ୍ବିତୀୟ ଲହର ଅତି ଭୟଙ୍କର ହୋଇଥିବାରୁ ଏହାକୁ ପ୍ରତିହତ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି।
ଛତିଶଗଡ଼କୁ ଲାଗିଥିବା ୧୦ଟି ଜିଲ୍ଲା ସୁନ୍ଦରଗଡ଼ଠାରୁ ଆରମ୍ଭ କରି ମାଲକାନଗିରି ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ଏବେ ବି ବଳବତ୍ତର ରହିଛି। କିନ୍ତୁ ଗତ କିଛିଦିନ ଧରି ବିଭିନ୍ନ ଜିଲ୍ଲାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଏହି ୧୦ଟି ସୀମାନ୍ତ ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ, ମାଲକାନଗିରି, ଦେବଗଡ଼, ବରଗଡ଼ ଓ ନବରଙ୍ଗପୁରରେ ଥିବା ସହରାଞ୍ଚଳ ଓ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଶନିବାରଠାରୁ ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ପରିବର୍ତ୍ତନ କରାଯାଇଛି। ରାତି ୧୦ଟା ପରିବର୍ତେ ସନ୍ଧ୍ୟା ୬ଟାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ଏହା କେବଳ ସହରାଞ୍ଚଳ ପାଇଁ ଲାଗୁ ହେବ। ଅନ୍ୟ ସବୁ ଜିଲ୍ଲାର ସହରାଞ୍ଚଳ ଓ ବିଜ୍ଞାପିତ ପରିଷଦ ଅଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତି କର୍ଫ୍ୟୁ ଶନିବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲାଗୁ ହେବ। ସୁନ୍ଦରଗଡ଼ଠାରୁ ଆରମ୍ଭ କରି ମାଲକାନଗିରି ସମେତ ୧୦ଟି ଜିଲ୍ଲାର ସହରାଞ୍ଚଳରେ ୧୭ ତାରିଖରୁ ପ୍ରତ୍ୟେକ ଶନିବାର ଓ ରବିବାର ଦୁଇଦିନ ସଟ୍ଡାଉନ୍ କରାଯିବ।
କର୍ଫ୍ୟୁ ସମୟରେ ଅତ୍ୟାବଶ୍ୟକ ସେବା ଯଥା, ବିଦ୍ୟୁତ, ଜଳ, ଗ୍ୟାସ୍, ଖାଦ୍ୟ ସାମଗ୍ରୀ ଓ ରନ୍ଧା ଖାଦ୍ୟ ଯୋଗାଉଥିବା କର୍ମଚାରୀମାନେ କାର୍ଯ୍ୟ କରିପାରିବେ। ସେଥିପାଇଁ ସେମାନେ ନିଜ ନିଜ ସଂସ୍ଥା ଦ୍ବାରା ପ୍ରଦତ୍ତ ପରିଚୟ ପତ୍ର ପୁଲିସ କିମ୍ବା ଯାଞ୍ଚ କରୁଥିବା ଅଧିକାରୀଙ୍କୁ ଦେଖାଇବେ। ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ସ୍ବତନ୍ତ୍ର ପାସ୍ ଦିଆଯିବ ନାହିଁ। କର୍ଫ୍ୟୁ ସମୟରେ ଆନ୍ତଃରାଜ୍ୟ ମାଲ ପରିବହନ ପାଇଁ ମାଲଗାଡ଼ି ସେବା ଓ ଅନ୍ୟ ପରିବହନ ଗାଡ଼ି ଯାତାୟତ ଉପରେ କୌଣସି କଟକଣା ରହିବ ନାହିଁ। ରାତି କର୍ଫ୍ୟୁ କେବଳ ଜନସାଧାରଣଙ୍କ ଯାତାୟତ ଉପରେ ନିୟନ୍ତ୍ରଣ କରିବାକୁ ଲାଗୁ କରାଯାଇଛି।
/sambad/media/post_attachments/wp-content/uploads/2021/04/night-curfew-1-1.jpg)
ସାମାଜିକ କାର୍ଯ୍ୟକ୍ରମ ପାଇଁ କିଛିଟା କଟକଣା ଜାରି କରାଯାଇଛି। ୧୯ ତାରିଖରୁ ଏ କ୍ଷେତ୍ରରେ ସରକାରୀ ନୂଆ ନିର୍ଦେଶନାମା ଲାଗୁ ହେବ। ସର୍ବାଧିକ ୫୦ ଜଣ ଲୋକଙ୍କୁ ନେଇ ବାହାଘର ଓ ୨୦ ଜଣ ବ୍ୟକ୍ତିଙ୍କୁ ନେଇ ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହେବ। ସମସ୍ତ ଧାର୍ମିକ, ସାଂସ୍କୃତିକ, ରାଜନୈତିକ ସମ୍ମିଳନୀକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। କୌଣସି ରାଜନୈତିକ ରାଲି ଓ ଶୋଭାଯାତ୍ରାକୁ ଅନୁମତି ମିଳିବ ନାହିଁ। ମନ୍ଦିରମାନଙ୍କରେ କେବଳ ଅତିକମ୍ରେ ନୀତିକୁ ପାଳନ କରାଯିବ। ଜନସାଧାରଣଙ୍କ ଦର୍ଶନ ଓ ପୂଜାକୁ ନିୟନ୍ତ୍ରଣରେ ପରିଚାଳନା କରାଯିବ। ଜିଲ୍ଲାରେ ଥିବା ଗୀର୍ଜା, ମସଜିଦରେ ଧାର୍ମିକ କାରଣ ପାଇଁ ବହୁ ଲୋକଙ୍କ ସମାଗମ ବେଳେ ଯେପରି ସାମାଜିକ ଦୂରତା ଓ ପ୍ରତ୍ୟେକ ବ୍ୟକ୍ତିଙ୍କ ମୁହଁରେ ମାସ୍କ୍ ରହିବ ସେ ନେଇ ଜିଲ୍ଲା ପ୍ରଶାସନ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବ୍ୟାବସାୟିକ କାର୍ଯ୍ୟକ୍ରମରେ କଟକଣା ପାଇଁ ସରକାର ଚାହୁଁନାହାନ୍ତି। କାରଣ ଏହାଦ୍ବାରା ଲୋକମାନଙ୍କ ଜୀବିକା ପ୍ରଭାବିତ ହେବ। ସେଥିପାଇଁ ମୁହଁରେ ମାସ୍କ୍ ଲଗାଇବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି। ବଜାରରେ ଦୋକାନୀମାନଙ୍କୁ ଏହି ନିୟମ କଡ଼ାକଡ଼ି ଅନୁପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଯଦି କୌଣସି ଦୋକାନୀ କୋଭିଡ୍ ନିୟମ ଅନୁପାଳନ ଉଲଂଘନ କରନ୍ତି ସେ କ୍ଷେତ୍ରରେ ତାଙ୍କ ଦୋକାନ ଲାଇସେନ୍ସ୍ ବାତିଲ କରାଯିବ। ବାର, ପବ୍ ଓ ରେସ୍ତୋରାଁଗୁଡ଼ିକରେ ସିଟିଂ କ୍ଷମତାର ୫୦ ପ୍ରତିଶତରେ ବ୍ୟବସାୟ କରିବେ।
ଆନ୍ତଃରାଜ୍ୟ ପରିବହନ ପାଇଁ ପରମିଟ୍ ପାଇଥିବା ସମସ୍ତ ଯାତ୍ରୀବାହୀ ଗାଡ଼ିଗୁଡ଼ିକର ଅନୁମତି ପତ୍ର ଆସନ୍ତା ସୋମବାର ଠାରୁ ବାତିଲ କରାଯିବ। ତେବେ ରାଜ୍ୟ ଭିତରେ ବସ୍ ସେବା ଜାରି ରହିବ। କିନ୍ତୁ କୌଣସି ବି ପରିସ୍ଥିତିରେ ସାଧାରଣ ପରିବହନ କରୁଥିବା ଯାତ୍ରୀବାହୀ ବସ୍ରେ ଲୋକ ଠିଆ ହୋଇଯିବେ ନାହିଁ। ଅଟୋରିକ୍ସା, ଟ୍ୟାକ୍ସିରେଵ ଡ୍ରାଇଭରକୁ ଛାଡ଼ି ସର୍ବମୋଟ ଦୁଇ ଜଣ ଯାତ୍ରୀ ଯାଇପାରିବେ।
ସେହିପରି ସିନେମା ହଲ୍ରେ ଥିବା ସିଟ୍ ସଂଖ୍ୟାର ମାତ୍ର ୫୦ ପ୍ରତିଶତ ସିଟ୍ ପାଇଁ ଟିକେଟ ବିକ୍ରି କରିବାକୁ ଅନୁମତି ଦିଆଯିବ। ଆମୋଦ ପ୍ରମୋଦ ପାର୍କରେ ମାତ୍ର ୨୦୦ ଲୋକ ଏକାଠି ହୋଇପାରିବେ। ଯେତେ ଯାତ୍ରା, ଅପେରା ଓ ଖୋଲା ଥିଏଟର ପାଇଁ ଦର୍ଶକଙ୍କ ସଂଖ୍ୟାକୁ ୨ ହଜାରରୁ ୧ ହଜାରକୁ କମାଇ ଦିଆଯାଇଛି। ସମସ୍ତ ସରକାରୀ ଅଫିସଗୁଡ଼ିକ ଏଣିକି ୫୦ ପ୍ରତିଶତ କର୍ମଚାରୀରେ ଚାଲିବ। ସେହିପରି ଘରୋଇ ଅଫିସ୍, ବ୍ୟାଙ୍କମାନଙ୍କୁ କମ୍ ସଂଖ୍ୟାରେ ଅଫିସ ଚଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଫିସ ଭିତରେ ସମସ୍ତ କର୍ମଚାରୀ ମାସ୍କ୍ ପିନ୍ଧିବା ସହିତ ବାରମ୍ବାର ଅଫିସକୁ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟଥା ଅଫିସର ମୁଖ୍ୟ ଉତ୍ତରଦାୟୀ ରହିବେ। ଏହି କଟକଣା ପାଳନ କରିବାରେ ମୁଖ୍ୟ ଶାସନ ସଚିବ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।