ସମ୍ବଲପୁର: ଚଳିତ ମାସ ୫ ତାରିଖ ରାତି ୧୦ଟାରୁ ତା’ପର ଦିନ ସକାଳ ୫ଟା ପର୍ଯ୍ୟନ୍ତ ରାଜ୍ୟର ୧୦ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ। ଏହି ୧୦ଟି ଜିଲ୍ଲାରେ ସମ୍ବଲପୁର ଜିଲ୍ଲା ମଧ୍ୟ ସାମିଲ ରହିଛି। ତେବେ ସମ୍ବଲପୁର ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ନେଇ ଏସ୍ପି ବି ଗଙ୍ଗାଧର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଲୋକଙ୍କୁ ରାତି ୧୦ଟା ପରେ ବାହାରକୁ ନଯିବା ପାଇଁ ଅନୁରୋଧ କରାଯାଉଛି।
ଜରୁରୀ କାମ ଥିଲେ ବାହାରକୁ ଯାଆନ୍ତୁ, ନହେଲେ ଘରେ ରୁହନ୍ତୁ ବୋଲି ଏସ୍ପି ଶ୍ରୀ ଗଙ୍ଗାଧର ଲୋକଙ୍କ ନିକଟରେ ଅପିଲ୍ କରିଛନ୍ତି। ଅତି ଜରୁରୀ ଥିଲେ ୧୦୦ କିମ୍ବା ୧୧୨ ନମ୍ବରକୁ କଲ୍ କରିପାରିବେ। ବିନା କାମରେ ବାହାରେ ବୁଲିଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଥାନା ଗାଡ଼ି, ପିସିଆର, ପୁଲିସ କର୍ମଚାରୀ ରାତ୍ରିକାଳନୀ କର୍ଫ୍ୟୁରେ ନିୟୋଜିତ ହେବେ। ସମ୍ବଲପୁର ପୁଲିସ ୧୪ଟି ସ୍ଥାନରେ ପାଟ୍ରୋଲିଂ କରିବ। ଜିଲ୍ଲାର ସୀମାବର୍ତ୍ତୀ ଅଂଚଳରେ ପୁଲିସ ପହରା ଦେବେ ବୋଲି ଏସ୍ପି ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଓଡ଼ିଶାର ୧୦ଟି ଜିଲ୍ଲାରେ ରାତ୍ରିକାଳନୀ କର୍ଫ୍ୟୁ ଲାଗୁ ନେଇ ଗତକାଲି ନିର୍ଦ୍ଦେଶନାମା ଜାରି ହୋଇଛି। କରୋନା ସଂକ୍ରମଣ ଦିନକୁ ଦିନ ପୁଣି ବଢୁଥିବା ବେଳେ ରାଜ୍ୟ ସରକାର ରାତ୍ରିକାଳନୀ କର୍ଫ୍ୟୁ କଟକଣା ଜାରି ଲାଗି ନିଷ୍ପତ୍ତି ନେଇଛନ୍ତି । ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ। ୫ ତାରିଖ ଅର୍ଥାତ ସୋମବାରଠାରୁ ଏହି କଟକଣା ଲାଗୁହେବ । ରାତି ୧୦ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳନୀ କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଅନ୍ୟ ସବୁ କିଛି ବନ୍ଦ ରହିବ ବୋଲି ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/sbp-night-cerfew04_Thumb-1.jpg)