ସହରାଞ୍ଚଳରୁ ହଟିଲା ରାତ୍ରିକାଳୀନ କର୍ଫ୍ୟୁ

ସଂକ୍ରମଣ ହ୍ରାସ ପାଇଁ ୧୦ଦିନ ପୂର୍ବରୁ ହଟିଲା କଟକଣା, ଦିନକରେ ୬୭୧ ପଜିଟିଭ୍, ୧୫ ମୃତ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସକୁ ନଜରରେ ରଖି ରାଜ୍ୟ ସରକାର ସମସ୍ତ ସହରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁକୁ ହଟାଇ ଦେଇଛନ୍ତି। ଆଜିଠାରୁ ସହରାଞ୍ଚଳରେ ଆଉ ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଥିବା ରାତ୍ରିକାଳୀନ କଫ୍ୟୁ କଟକଣା ଆ‌ଉ ଲାଗୁହେବ ନାହିଁ। ଫଳରେ ରାତିରେ ଦୋକାନ ବଜାର ଓ ଗାଡ଼ି ଚଳାଚଳ ନେଇ ଆଉ କୌଣସି କଟକଣା ରହିବ ନାହିଁ। ସ୍ବତନ୍ତ୍ର ରିଲିଫ୍‌ କମିସନର ଆଜି ସାନି ନିର୍ଦେଶନାମା ଜାରି କରିଛନ୍ତି। ଚଳିତମାସ ୨୮ତାରିଖ ପର୍ଯ୍ୟନ୍ତ ରାତ୍ରକାଳୀନ କଟକଣା ଲାଗୁ ହୋଇଥିଲା।

ରାଜ୍ୟରେ କରୋନାର ତୃତୀୟ ଲହର ସଂକ୍ରମଣ ଆରମ୍ଭ ହେବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାତ୍ରିକାଳୀନ କଟକଣା ଲାଗୁ ହୋଇଥିଲା। ଜାନୁଆରି ମାସରେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଏହି କଟକଣା ରହିଥିଲା। ଫେବ୍ରୁଆରିରେ ସଂକ୍ରମଣରେ ସାମାନ୍ୟ ହ୍ରାସ ହେବାପରେ ଏହାକୁ ରାତି ୧୦ଟାରୁ ଲାଗୁ କରାଯାଇଥିଲା। ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ହଜାର ତଳକୁ ଖସି ଆସିଛି। ଏହାସହ ଦେଶବ୍ୟାପୀ କରୋନା ସଂକ୍ରମଣ କମିବାକୁ ନଜରରେ ରଖି ରାଜ୍ୟମାନେ ଜାରି କରିଥିବା ଅତିରିକ୍ତ କଟକଣାକୁ ହଟାଇବାକୁ କେନ୍ଦ୍ର ସରକାର ଚିଠି ଲେଖିଥିଲେ। ମାତ୍ର ରାଜ୍ୟରେ କୌଣସି ଅତିରିକ୍ତ କଟକଣା ନ ଥିବା ଓ ରାଜ୍ୟ ସରକାର ଠିକ୍ ସମୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା।

ଅପରପକ୍ଷରେ ରାଜ୍ୟରେ ଗତ ୨୪ଘଣ୍ଟାରେ ୬୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୦୫, ଖୋର୍ଧା ୧୦୩, ଯାଜପୁର ୪୭, କୋରାପୁଟ ୩୯, ସମ୍ବଲପୁର ୨୮, ଅନୁଗୁଳ-ମୟୂରଭଞ୍ଜ ୨୨ ଲେଖାଏ, ଝାରସୁଗୁଡ଼ା ୨୦ ଓ ଷ୍ଟେଟ୍‌ ପୁଲରୁ ୨୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୮୧ହଜାର ୪୫୫କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୧୫ଜଣ କରୋନାରେ ପ୍ରାଣ ହରାଇଥିବା ସରକାରୀ ଘୋଷଣା ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୯୭୬କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୧୨୭୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୬୫୮୩କୁ ଖସି ଆସିଛି।

ସମ୍ବନ୍ଧିତ ଖବର