ଭୁବନେଶ୍ୱର: କେନ୍ଦ୍ର ସରକାର ଲକ୍ଡାଉନ୍-୪ ପରେ ଅନ୍ଲକ୍-୧ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ କରୋନା ମୁକାବିଲା ଲାଗି ରାଜ୍ୟ ସରକାର କଟକଣା କଠୋର କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ଜୁନ୍ ୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ ସମ୍ପର୍କରେ ଘୋଷଣା କରି କହିଛନ୍ତି ଯେ, ଜୁନ୍ ମାସରେ ରାଜ୍ୟରେ ପ୍ରବାସୀଙ୍କ ସଂଖ୍ୟା ବଢ଼ିବା ସହ ସଂକ୍ରମଣ ବି ବଢ଼ିପାରେ। ତେଣୁ ଜନସାଧାରଣ ସୁରକ୍ଷା ଦୃଷ୍ଟିରୁ ଜୁନ୍ ୩୦ ପର୍ଯ୍ୟନ୍ତ ଅନେକ କଟକଣା ଜାରି ରହିବ।
ଜୁନ୍ ୩୦ ପର୍ଯ୍ୟନ୍ତ ରାଜ୍ୟରେ ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୭ରୁ ସକାଳ ୫ଟା ଯାଏଁ ଜାରି ରହିବ। ଯଦି କୌଣସି କାମ ରହିଛି ତେବେ ସକଳ ୫ଟାରୁ ସନ୍ଧ୍ୟା ୭ଟା ଭିତରେ ସମସ୍ତ କାର୍ଯ୍ୟ ସାରିବାକୁ ହେବ। ଏହାପରେ ଯଦି ବିନା କାରଣରେ କୌଣସି ବ୍ୟକ୍ତି ରାସ୍ତାରେ ବୁଲୁଥିବା ଅବସ୍ଥାରେ ଧରାପଡ଼ନ୍ତି, ସେମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/sambad/media/post_attachments/bfeb033181f783dae018f5f4702f25a0e613760afa8c10c33543d94a4ee8bbc5.jpg)
ତେବେ ଏହି ନାଇଟ୍ କର୍ଫ୍ୟୁ ସମୟରେ କିଛି କାର୍ଯ୍ୟକୁ କୋହଳ ଦିଆଯାଇଛି। ତାହାର ତାଲିକା ନିମ୍ନରେ ଦିଆଗଲା..
୧. ଜିଲ୍ଲା ଓ ନଗରପାଳିକା ପ୍ରଶାସନ, ପୁଲିସ, ସରକାରୀ କାର୍ଯ୍ୟାଳୟରେ କାମ ପୂର୍ବଭଳି ଜାରି ରହିବ। କର୍ଫ୍ୟୁ ସମୟରେ ଏହି ବିଭାଗର କାର୍ଯ୍ୟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।
୨. ସେହିପରି ଘରୋଇ ଓ ସରକାରୀ ଡାକ୍ତର, ମେଡିକାଲ ଓ ପାରାମେଡିକାଲ କର୍ମୀ ସେମାନଙ୍କ କାମ ଜାରି ରଖିବେ।
୩. ଆଇଟି କମ୍ପାନିର କର୍ମଚାରୀ ଯଦି ଏହି ନାଇଟ କର୍ଫ୍ୟୁ ସମୟରେ ଡିୟୁଟି ଯାଉଛନ୍ତି କିମ୍ବା ଆସୁଛନ୍ତି ତେବେ ସେମାନେ ଆଇକାର୍ଡ ଦେଖାଇ ସୁବିଧାରେ ଯାତାୟାତ କରି ପାରିବେ।
୪. ଯଦି କୌଣସି ବ୍ୟକ୍ତିଙ୍କୁ ଜରୁରୀକାଳିନ ହସ୍ପିଟାଲ ସେବାର ଆବଶ୍ୟକ ପଡ଼େ, ତେବେ ସେ ନାଇଟ୍ କର୍ଫ୍ୟୁ ସମୟରେ ଯାତାୟାତ କରି ପାରିବେ।
୫. ଔଷଧ ଦୋକାନ ସନ୍ଧ୍ୟା ୭ଟା ପରେ ବି ଖୋଲା ରହିବ।
୬. କେବଳ ଏତିକି ନୁହେଁ ସମସ୍ତ ନିର୍ମାଣ କାର୍ଯ୍ୟ, ସମସ୍ତ ଶିଳ୍ପସଂସ୍ଥା ପାଇଁ ପୂର୍ବ ଭଳି କାର୍ଯ୍ୟ କରିବ, ନାଇଟ୍ କର୍ଫ୍ୟୁ ନିୟମ ଲାଗୁ କରାଯାଇ ନାହିଁ।
୭. ଏହି ନାଇଟ୍ କର୍ଫ୍ୟୁ ଅର୍ଥାତ୍ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଭିତରେ ଜନସାଧାରଣ କୌଣସି ଘରୋଇ ଗାଡ଼ି, ଟ୍ୟାକ୍ସି ଆଦି ଯୋଗେ ବିମାନବନ୍ଦର, ବସ୍ ଷ୍ଟାଣ୍ଟ ଓ ରେଳଷ୍ଟେସନ୍ ଆଦି ସ୍ଥାନକୁ ଯାତ୍ରା କରି ପାରିବେ। ଅର୍ଥାତ ବସ୍, ଟ୍ରେନ୍ ଓ ବିମାନ ଯାତ୍ରୀଙ୍କ ପାଇଁ ଏହି ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇ ନାହିଁ।