ଆସିଲା ଜାନୁଆରି ଗାଇଡଲାଇନ: ଓଡ଼ିଶାରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ, ପିକ୍‌ନିକ୍‌ ମନା

ଭୁବନେଶ୍ବର: ଜାନୁଆରି ମାସ ପାଇଁ ଗାଇଡଲାଇନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଜାନୁଆରି ମାସ ପାଇଁ କଟକଣା କଡାକଡି କରାଯାଇଛି। ସର୍ବସାଧାରଣ ସ୍ଥଳରେ ପିକ୍‌ନିକ୍‌କୁ ବାରଣ କରାଯାଇଛି। ଅର୍ଥାତ ପାର୍କ ଓ ବେଳାଭୂମିରେ ପିକ୍‌ନିକ୍‌ କରିପାରିବେ ନାହିଁ।  କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ତେବେ ପୂରା ଜାନୁଆରି ମାସରେ ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରି ରହିବ । ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ। ରାଜନୈତିକ ଓ ସାଂସ୍କୃତିକ ସମାବେଶ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି। ଏହି ନିୟମ ଜାନୁଆରି ୧ରୁ ଫେବ୍ରୁଆରି ୧, ୨୦୨୨ ଯାଏଁ ବଳବତ୍ତର ରହିବ । ଜିରୋନାଇଟ୍‌ ଓ ନୂଆବର୍ଷ ପାଳନ ମନା ହୋଇଛି।

ନାଇଟ କର୍ଫ୍ୟୁ ବେଳେ ଯିବା ଆସିବା ବନ୍ଦ ରହିବ । ସେହିପରି ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଜରୁରୀକାଳୀନ ସେବାକୁ ଛାଡିଦେଲେ ଅନ୍ୟ ସବୁ ଉପରେ କଟକଣା ଲାଗୁ କରାଯାଇଛି । ସେହିପରି ନୂଆ ବର୍ଷ ପାଳନ ଉପରେ ମଧ୍ୟ କଟକଣା ଜାରି ହୋଇଛି । ଜାନୁଆରି ୨ପର୍ଯ୍ୟନ୍ତ ବିଏମସି ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରିବା ସହ ଭୋଜି ଭାତକୁ ବନ୍ଦ କରାଯାଇଛି।

ନୂଆବର୍ଷ ଭିଡ଼ ନକରିବା ପାଇଁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ଚିଠି ଲେଖିଛନ୍ତି। ଚେକିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପିକ୍‌ନିକ ସ୍ପଟ୍‌, ମଲ୍‌, ହୋଟେଲ, କ୍ଲବ୍‌ରେ ଚେକିଂ ନିର୍ଦ୍ଦେଶ; ନିୟମରେ ଖିଲାପ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ହୋଇଛି। କୋଭିଡ଼ ନିୟମ ମାନି ଯାତ୍ରା, ମେଲୋଡ଼ି, ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ। ସର୍ବାଧିକ ୧ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ଚାଲିପାରିବ। ୫୦ ପ୍ରତିଶତ ଦର୍ଶକ କ୍ଷମତାକୁ ନେଇ ସିନେମା ହଲ ଚାଲିପାରିବ। ସିନେମା ହଲକୁ ଯିବାକୁ ହେଲେ ଡବଲ ଡୋଜ୍‌ ଟିକା ବା କୋଭିଡ ନେଗେଟିଭ୍‌ ଟେଷ୍ଟ ରିପୋର୍ଟ ଦରକାର ପଡ଼ିବ।

ସମ୍ବନ୍ଧିତ ଖବର