ନିଆଁଖୁଣ୍ଟାରେ କଟୁଛି ରାତି

ହରିଚନ୍ଦନପୁର: ଆଧୁନିକତା ମୁହାଁ ଲୋକେ। ଟିଭି ଓ ମୋବାଇଲ ସମେତ ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର ବଢ଼ିଛି। ଏଭଳି ସ୍ଥିତିରେ ତିନିବର୍ଷ ହେଲା ବିଦ୍ୟୁତ୍‌ ଆଲୁଅ ଦେଖିନାହାନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶପାଳ ପଞ୍ଚାୟତର ଦୁର୍ଗମ କହ୍ନେଇଗୋଳା ଗ୍ରାମବାସୀ। ବିଦ୍ୟୁତ୍‌ ନଥିବାରୁ ଘରେ ଟିଭି ଥାଇ ବି ଲୋକେ ଦେଖିପାରୁ ନଥିବା ବେଳେ ମୋବାଇଲ ଚାର୍ଜ କରିବାକୁ ପଡ଼ୋଶୀ ଗ୍ରାମକୁ ଯିବାକୁ ପଡ଼ୁଛି। ଗ୍ରାମବାସୀ ନିଆଁଖୁଣ୍ଟା ଜାଳି ରାତି କାଟୁଛନ୍ତି।

ରେବଣା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି କହ୍ନେଇଗୋଳା, ରାଣୀପଦା, ନୋଲ ଓ ବାଉଁରୁ ଗ୍ରାମ। ଏସବୁ ଗ୍ରାମରେ ଜୁଆଙ୍ଗ ଜନଜାତିର ଲୋକେ ବାସ କରୁଛନ୍ତି। ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଖୁଣ୍ଟ ପୋତି ତାର ଟାଣି ବିଦ୍ୟୁତ୍‌ ସଂଯୋଗ ଦେବା ସମ୍ଭବ ନହେବାରୁ ୨୦୧୯ରେ ରାଣୀପଦା, ନୋଲ ଓ କହ୍ନେଇଗୋଳା ଗ୍ରାମରେ ସୌର ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା। ପ୍ରତି ଘରକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ଆଦିତ୍ୟ ସୋଲାର ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା। କହ୍ନେଇଗୋଳା ଗ୍ରାମରେ ଥିବା ପ୍ରକଳ୍ପରୁ ଗ୍ରାମର ଜୁଆଙ୍ଗସାହି, ଗୋପାଳସାହି, ବରପଦାସାହି ଓ ଉପରଡିହ ସାହିର ୧୨୫ଟି ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବା ସହ ବିଭିନ୍ନ ଛକରେ ଷ୍ଟ୍ରିଟ୍‌ଲାଇଟ ଲଗାଯାଇଥିଲା। ପ୍ରକଳ୍ପ ନିର୍ମାଣ ହେବା ପରେ ଦୁଇବର୍ଷ ଧରି ଗ୍ରାମବାସୀ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍‌ ସେବା ପାଉଥିଲେ। ଏହାପରେ ହଠାତ୍‌ ସୌର ପ୍ରକଳ୍ପ ଅଚଳ ହୋଇଗଲା। ଅଭିଯୋଗ ପରେ ଠିକାସଂସ୍ଥା ପକ୍ଷରୁ ଏହାର ମରାମତି କରାଯାଇଥିଲା। ମରାମତି ହେବାର ମାତ୍ର ସପ୍ତାହକ ପରେ ପୁଣି ପ୍ରକଳ୍ପ ଅଚଳ ହୋଇଗଲା। ସେବେ‌ଠାରୁ ଲୋକେ ଅନ୍ଧା‌ରରେ ଅଛନ୍ତି।

ଗାଁଟି ଜଙ୍ଗଲ ଭିତରେ ଥିବାରୁ ଅନ୍ଧାରରେ ବନ୍ୟଜନ୍ତୁଙ୍କ ଭୟ ରହୁଛି। ସଞ୍ଜ ନଇଁଲେ ଲୋକେ ତାଟିକବାଟ ଦେଇ ଘରେ ରହୁଛନ୍ତି। ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଗରିବ ଜୁଆଙ୍ଗମାନେ ଚଢ଼ାଦରରେ କିରାସିନି କିଣିପାରୁ ନାହାନ୍ତି। ନିଆଁଖୁଣ୍ଟା ଜାଳି ରାତି କାଟୁଛନ୍ତି। ଗ୍ରାମବାସୀ ବଡ଼ପଳାଶପାଳ ବଜାରକୁ ଆସିବା ବେଳେ ସାଙ୍ଗରେ ମୋବାଇଲ ଆଣିଥାନ୍ତି। ବିଭିନ୍ନ ଦୋକାନରେ ମୋବାଇଲ ଚାର୍ଜ କରି ଘରକୁ ଫେରିଥାନ୍ତି। ଆଉ କିଛି ଲୋକ ପଡ଼ୋଶୀ ରାଣୀପଦା ଗ୍ରାମକୁ ମୋବାଇଲ ଚାର୍ଜ କରିବାକୁ ଯାଉଥିବା କହିଛନ୍ତି। ସୌର ପ୍ରକଳ୍ପ ମରାମତି କରିବାପାଇଁ ଗ୍ରାମବାସୀ ଠିକାସଂସ୍ଥାକୁ ଜଣାଇଥିଲେ ମଧ୍ୟ ଆଜିକାଲି କହି ଦିନ ଗଡ଼ାଯାଉଛି। ଏନେଇ ଗ୍ରାମବାସୀ ବିଦ୍ୟୁତ୍‌ ବିଭାଗକୁ ଅବଗତ କରିବା ସହ ଚାରିଥର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସି ସମସ୍ୟା ଜଣାଇଛନ୍ତି।

କିନ୍ତୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଆଗକୁ ନିର୍ବାଚନ ଆସୁଥିବା ବେଳେ ନେତାଙ୍କୁ ଏ ସମ୍ପର୍କରେ ଜବାବ ମଗାଯିବ ବୋଲି ଗ୍ରାମର ଦୁଃଶାସନ ଜୁଆଙ୍ଗ, ମାର୍କଣ୍ଡ ଜୁଆଙ୍ଗ, ପୂର୍ଣ୍ଣଚନ୍ଦ୍ର ଜୁଆଙ୍ଗ, ମୁରଲୀ ଜୁଆଙ୍ଗ, ରାଜୁ ଜୁଆଙ୍ଗ, କାଳନ୍ଦୀ ଜୁଆଙ୍ଗ, ଦୁଃଶାସନ ଜୁଆଙ୍ଗ, ମାନସ ଆରୁକ, ହଳଧର ଜୁଆଙ୍ଗ, ଟଙ୍କ ଜୁଆଙ୍ଗ, ବିଜୁ ମହାକୁଡ଼, ମାଧବ ଜୁଆଙ୍ଗ, ରମେଶ ଜୁଆଙ୍ଗ, ସଞ୍ଜୟ କୁମାର ମହାକୁଡ଼ କହିଛନ୍ତି। ଏ ସମ୍ପର୍କରେ ବଡ଼ପଳାଶପାଳ ସରପଞ୍ଚ ନଳିନୀ ନାୟକଙ୍କୁ ପଚାରିବାରୁ, ଏନେଇ ପଞ୍ଚାୟତ ପକ୍ଷରୁ ବିଡିଓ ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଜାନୁଆରି ମାସରେ ଠିକାସଂସ୍ଥା କର୍ମଚାରୀ ଆସି ପ୍ରକଳ୍ପ ଯାଞ୍ଚ କରିଥିଲେ। କିନ୍ତୁ ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପୁଣିଥରେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର