ଏବେ ‘ଆହାର’ରେ ରାତ୍ରିଭୋଜନ

ଡାକ୍ତରଖାନା ନିକଟ କେନ୍ଦ୍ରରେ ମିଳିବ ସୁବିଧା, ଅନ୍‌ଲାଇନ୍ ଦାନ ବି ଦେଇ ହେବ, ଜାନୁଆରି ୨୬ରୁ ଆଉ ୩୨ ପୌରାଞ୍ଚଳରେ

ଭୁବନେଶ୍ବର : ଆହାର ‌େକନ୍ଦ୍ରରେ ଏଣିକି ରାତ୍ରିଭୋଜନ ବି ମିଳିବ। ୫ ଟଙ୍କା ଦେଇ ଲୋକମାନେ ରାତିରେ ଏଠାରେ ଖାଇପାରିବେ। ରାଜ୍ୟ ସରକାର ଆଜି ଏମିତି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ତେବେ ପୌରାଞ୍ଚଳଗୁଡ଼ିକରେ କେବଳ ଡାକ୍ତରଖାନା ନିକଟରେ ଥିବା ୫୪ଟି ଆହାର କେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେବ। ଆହାର କାର୍ଯ୍ୟକ୍ରମର ଲୋକପ୍ରିୟତାକୁ ଓ ଡାକ୍ତରଖାନାରେ ରହୁଥିବା ରୋଗୀମାନଙ୍କ ସମ୍ପର୍କୀୟମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଏପରି ପଦକ୍ଷେପ ନେଇଛନ୍ତି। ଆସନ୍ତା ଜାନୁଆରି ପହିଲାରୁ ନୂଆ ବ୍ୟବସ୍ଥା ଆରମ୍ଭ ହେବ।

ଆହାର କାର୍ଯ୍ୟକ୍ରମ ପାଇଁ ସରକାର ଏବେ ଦାନ ଗ୍ରହଣ କରିବେ। ଜନସାଧାରଣଙ୍କୁ ଏଥିରେ ସଂପୃକ୍ତ କରିବା ଉଦ୍ଦେଶ୍ୟରେ ଅନ୍‌ଲାଇନ୍‌ରେ ଦାନ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯିବ। ଜନସାଧାରଣ ସେମାନଙ୍କ ପ୍ରିୟଜନଙ୍କ ଜନ୍ମଦିବସ, ବିବାହ, ବିବାହ ବାର୍ଷିକୀ ଓ ଶ୍ରାଦ୍ଧ ଆଦି ଅବସରରେ ଆହାର କେନ୍ଦ୍ର ଜରିଆରେ ଲୋକମାନଙ୍କୁ ଖାଇବାକୁ ଦେଇପାରିବେ। ଏଥିପାଇଁ କେବଳ ଅନ୍‌ଲାଇନ୍‌ରେ ଦାନ ଗ୍ରହଣ କରାଯିବ ଓ ଏଥିରେ ଶତପ୍ରତିଶତ ଆୟକର ରିହାତି ମିଳିବ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସେହିପରି ବର୍ତ୍ତମାନ ରାଜ୍ୟର ୭୬ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ଥିବା ବେଳେ ଆସନ୍ତା ଜାନୁଆ‌ରି ୨୬ ତାରିଖରୁ ଏହି ସୁବିଧା ରାଜ୍ୟର ଅବଶିଷ୍ଟ ୩୨ଟି ପୌରାଞ୍ଚଳରେ ଉପଲବ୍ଧ ହେବ। ନୂଆ ବ୍ୟବସ୍ଥା ଦ୍ବାରା ଆହାର କେନ୍ଦ୍ରରେ ସାରା ରାଜ୍ୟରେ ଦୈନିକ ଏକ ଲକ୍ଷ ଲୋକଙ୍କୁ ରିହାତି ଦରରେ ଖାଦ୍ୟ ଯୋଗାଇ ଦିଆଯାଇପାରିବ। ଆହାର କେନ୍ଦ୍ରଗୁଡ଼ିକରେ ଦିଆ‌ଯାଉଥିବା ଖାଦ୍ୟର ଗୁଣବତ୍ତା ଓ ପରିଚ୍ଛନତାର ନିୟମିତ ତଦାରଖ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର