ରାଉରକେଲା: ଇସ୍ପାତ ସହରରେ ଧସେଇ ପଶିଲାଣି ଶୀତ। ସନ୍ଧ୍ୟା ହେବାମାତ୍ରେ ଥଣ୍ଡା ଅନୁଭୂତ ହେଉଛି। ଆଗାମୀ ଦିନରେ ପାରଦ ଖସିବା ସହ ତଦନୁଯାୟୀ ଥଣ୍ଡା ବି ବଢ଼ିବ। ତେବେ ପ୍ରତିବର୍ଷ ଭଳି ଏଥର ବି ବାସହରା ଜାଡ଼ରେ ଥରିବାର ଜଳଜଳ ହୋଇ ଦିଶୁଛି। କାରଣ, ବିଭିନ୍ନ କାରଣରୁ ବାସହରାମାନେ ରାତ୍ରୀ ଆଶ୍ରୟସ୍ଥଳୀକୁ ଯିବା ପରିବର୍ତ୍ତେ ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ୍, ରାସ୍ତା କଡ଼, ଦୋକାନ ସମ୍ମୁଖରେ ଶୋଇବାକୁ ଅଧିକ ପସନ୍ଦ କରୁଛନ୍ତି। ବାସ୍ତବରେ, ନିରାଶ୍ରୟଙ୍କୁ ବ୍ୟାପକ ସଚେତନ ତଥା ଲାଗିରହିଥିବା ସମସ୍ୟାର ସମାଧାନ କରି ରାତ୍ରୀ ଆଶ୍ରୟସ୍ଥଳୀକୁ ନେବାରେ ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) ବିଫଳ ହୋଇଛି। ଯଦ୍ବାରା ପ୍ରତିବର୍ଷ ଏହାର ପୁନରାବୃତ୍ତି ଘଟୁଛି।
ସହରାଞ୍ଚଳର ନିରାଶ୍ରୟ ତଥା ଅନ୍ୟ ରାଜ୍ୟରୁ ଆସୁଥିବା ଦିନମଜୁରିଆ, ବିକାଳିମାନଙ୍କୁ ଛାତ ଦେବାକୁ ଆର୍ଏମ୍ସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ୪ଟି ରାତ୍ରୀ ଆଶ୍ରୟସ୍ଥଳୀ ସ୍ଥାପନ କରାଯାଇଛି। ପାୱାର ହାଉସ୍ ରୋଡ, ପ୍ଲାଣ୍ଟ୍ସାଇଟ୍, ନୂଆ ବସଷ୍ଟାଣ୍ଡ୍ ଓ ରାଉରକେଲା ସରକାରୀ ଡାକ୍ତରଖାନା(ଆର୍ଜିଏଚ୍)ରେ ଏହି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ୫୦ ଜଣ ଲେଖାଏ ଆଶ୍ରୟ ନେଇପାରିବେ। ଉଦ୍ଦେଶ୍ୟ ଥିଲା, ରାଉରକେଲାରେ ଥିବା ବେସାହାରା ରିକ୍ସା ଚାଳକ, ଜରି ଗୋଟାଳି, ଭିକାରୀ ଆଦିଙ୍କୁ ସୁରକ୍ଷିତ ଛାତ ଦେବା। ଏଠାରେ ଆଶ୍ରୟସ୍ଥଳୀରେ ଖାଦ୍ୟପେୟ, ପାନୀୟ ଜଳ ଯୋଗାଣ, ସାମଗ୍ରୀ ରଖିବାକୁ ସ୍ବତନ୍ତ୍ର ବ୍ୟବସ୍ଥା, ସ୍ବଚ୍ଛ ଶୌଚାଳୟ, ଅତ୍ୟାବଶ୍ୟକ ଆଲୋକ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ଉପକରଣ, ପ୍ରାଥମିକ ଚିକିତ୍ସା କିଟ୍, ମଶା ନିୟନ୍ତ୍ରଣ ଉପକରଣ, କମ୍ବଳ, ଗଦି, ସିସିଟିଭି ଆଦି ଉପଲବ୍ଧ ରହିବ। ଅନ୍ତେବାସୀ/ଅନ୍ତେବାସିନୀ ମାଗଣାରେ ଏସବୁ ସୁବିଧା ନେଇପାରିବେ। କିନ୍ତୁ ଏସବୁ ସେବା ଏବେ ପ୍ରହସନ ପାଲଟିଛି।
ନିରାଶ୍ରୟମାନେ ଆଶ୍ରୟସ୍ଥଳୀକୁ ନ ଆସିବା ପଛରେ ଏକାଧିକ କାରଣ ରହିଛି। ଆଶ୍ରୟସ୍ଥଳୀକୁ ସାଢ଼େ ୧୦ଟାରେ ବନ୍ଦ କରି ଦିଆଯାଉଛି। ଫଳରେ ନିଜ ନିଜ କାମ, ଯଥା ଜରି ଗୋଟାଇବା, ହୋଟେଲରେ ବାସନ ମାଜିବା ଆଦି କାମ ସାରି ଫେରିବା ବେଳକୁ ବିଳମ୍ବ ହେଉଥିବାରୁ ସେମାନଙ୍କୁ ଭିତରକୁ ପଶିବାକୁ ଦିଆଯାଉନି। ଫଳରେ ସେମାନେ ଅନିଚ୍ଛା ସତ୍ତ୍ବେ ବାହାରେ ଶୋଇବାକୁ ବାଧ୍ୟ ହେଉଛନ୍ତି। ଏହାସହ ଆଶ୍ରୟସ୍ଥଳୀର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଅସୁରକ୍ଷିତ ପରିବେଶ, ଯାବତୀୟ କଟକଣା ଆଦି ଅନ୍ୟତମ କାରଣ। ଏତଦ୍ବ୍ୟତୀତ, ଅଧିକାଂଶ ରିକ୍ସା ଚାଳକ ନିଜ ନିଜ ରିକ୍ସା ଜଗିବାକୁ ତା’ ଉପରେ ହିଁ ଶୋଇପଡ଼ୁଥିବାବେଳେ କିଛି ନିରାଶ୍ରୟ ତମାଖୁ, ସିଗାରେଟ୍, ମଦ ଆଦି ନିଶାଦ୍ରବ୍ୟ ସେବନରେ କଡ଼ା ପ୍ରତିବନ୍ଧକ ଯୋଗୁଁ ଆଶ୍ରୟସ୍ଥଳୀରେ ରହିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଉଲ୍ଲେଖଯୋଗ୍ୟ, ଆଶ୍ରୟସ୍ଥଳୀରେ ରହୁଥିବା ମୋଟ୍ ୫୦ ଜଣଙ୍କ ମଧ୍ୟରୁ ୧୦ ପ୍ରତିଶତ, ଅର୍ଥାତ୍ ମାତ୍ର ୫ ଜଣଙ୍କ ପାଇଁ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଥାଏ। ଏଣୁ ସମସ୍ତଙ୍କ ପାଇଁ ଖାଦ୍ୟପେୟ ବ୍ୟବସ୍ଥା ସମେତ ନିରାଶ୍ରୟଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ବିଭିନ୍ନ ସମୟରେ ବେସାହାରାଙ୍କୁ ଆଶ୍ରୟସ୍ଥଳୀକୁ ଆଣିବାକୁ ଆର୍ଏମ୍ସି ପକ୍ଷରୁ ପଦକ୍ଷେପ ନିଆଯାଇଥାଏ ସତ; କିନ୍ତୁ ତାହା ପର୍ଯ୍ୟାପ୍ତ ହେଉନଥିବାରୁ ଏହି ସେବା କାମରେ ଆସୁନି।