ରାଉରକେଲା: ଗରିବ ବାସହୀନ ନିରାଶ୍ରୟଙ୍କୁ ଆଶ୍ରୟ ଦେବା ଉଦ୍ଦେଶ୍ୟରେ ଆଶ୍ରୟସ୍ଥଳୀର ପରିକଳ୍ପନା କରିଥିଲେ ରାଜ୍ୟ ସରକାର। ଯୋଜନା ଥିଲା, ବାସହୀନ ଗରିବ ଖଟିଖିଆ, ଦିବ୍ୟାଙ୍ଗ, ବୁଲାବିକାଳି, କୁଲି, ମଜୁରିଆ ଆଦି ଶ୍ରେଣୀର ବ୍ୟକ୍ତିବିଶେଷ ରହିବେ। ପଡ଼ୋଶୀ ଜିଲ୍ଲା, ରାଜ୍ୟରୁ ସହରକୁ ବେପାର କରିବାକୁ ଆସୁଥିବା ଗରିବ ଶ୍ରେଣୀର ଲୋକେ ମଧ୍ୟ ଏଠାରେ ଆଶ୍ରୟ ନେଇପାରିବେ। ଏହି କ୍ରମରେ ରାଉରକେଲା ମହାନଗର ନିଗମ(ଆର୍ଏମ୍ସି) ପକ୍ଷରୁ ୨୦୧୬ ମସିହାରେ ସହରର ତିନୋଟି ସ୍ଥାନ, ଯଥା-ପ୍ଲାଣ୍ଟ୍ସାଇଟ୍, ପାୱାର ହାଉସ୍ ରୋଡ୍ ଓ ନୂଆ ବସଷ୍ଟାଣ୍ଡ୍ରେ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଥିଲା। ଏହାପରେ ୨୦୨୦ ଫେବ୍ରୁଆରି ୫ ତାରିଖରେ ରାଉରକେଲା ସରକାରୀ ଡାକ୍ତରକାନା(ଆରଜିଏଚ୍) ପରିସରରେ ସହରାଞ୍ଚଳର ବାସହୀନଙ୍କ ପାଇଁ ରାଜ୍ୟର ପ୍ରଥମ ମଡେଲ ଆଶ୍ରୟସ୍ଥଳ ଉଦ୍ଘାଟିତ ହୋଇଥିଲା। ଅର୍ଥାତ୍, ମୋଟ୍ ୪ଟି ଆଶ୍ରୟସ୍ଥଳ ନିର୍ମିତ କରାଯାଇଥିଲା; କିନ୍ତୁ ହିତାଧିକାରୀ ଏହାର ସେବା ପାଇବାରୁ ବଞ୍ଚିତ ହେଉଥିଲେ। ଆଶ୍ରୟସ୍ଥଳରେ ଯାବତୀୟ ସମସ୍ୟା ସାଙ୍ଗକୁ ପରିଚାଳନନା ଦାୟିତ୍ବରେ ଥିବା କର୍ମଚାରୀଙ୍କ ମନମାନି ଯୋଗୁଁ ଏହି ସମସ୍ୟା ଉପୁଜିଥିଲା। ଏବେ ପରିଚାଳନାଭାର ସ୍ବୟଂ ସହାୟକ ଗୋଷ୍ଠିକୁ ନ୍ୟସ୍ତ କରାଯାଇଛି। ତେବେ ଏଥର ଏହାର ଭାଗ୍ୟ ଫିଟିବ ନା ପୁଣି ହିତାଧିକାରୀ ବଞ୍ଚିତ ହେବେ; ତାହା ସମୟ କହିବ।
ପୂର୍ବରୁ ବିକାଶ ଏନ୍ଜିଓ ଏହି ୪ଟି ଆଶ୍ରୟସ୍ଥଳ ପରିଚାଳନା ଦାୟିତ୍ବରେ ରହିଥିଲା। ଏବେ କିନ୍ତୁ ଏଥିରେ ପରିବର୍ତ୍ତନକରି ରାଉରକେଲା ଓ ଆଖପାଖ ଅଞ୍ଚଳର ୪ଟି ସ୍ବୟଂ ସହାୟକ ଗୋଷ୍ଠିକୁ ଦାୟିତ୍ବ ଦିଆଯାଇଛି। ସେଗୁଡ଼ିକ ହେଲା,- ନାଲା ରୋଡ୍ ଗଞ୍ଜାମ ବସ୍ତିର ସ୍ବାମୀ ବିବେକାନନ୍ଦ ଏସ୍ଏଚ୍ଜି, ଦେଓଗାଁର ନିରାକାର ଏସ୍ଏଚ୍ଜି, ଦେଓଗାଁ ଲେପ୍ରୋସୀ ପଡ଼ାର ତ୍ରୀନାଥ ଏସ୍ଏଚ୍ଜି ଓ ଫର୍ଟିଲାଇଜର୍ର ଶିବାନୀ ଏସ୍ଏଚ୍ଜି। କିଛି ଦିନ ପୂର୍ବେ ଆର୍ଏମ୍ସି ଓ ଏସ୍ଏଚ୍ଜି ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଚୁକ୍ତିନାମା ଅନୁସାରେ, ପ୍ରତ୍ୟେକ ଆଶ୍ରୟସ୍ଥଳୀ ପରିଚାଳନା ପାଇଁ ବାର୍ଷିକ ୭ ଲକ୍ଷ ୨୭ ହଜାର ୪୪୦ ଟଙ୍କା ପ୍ରଦାନ କରାଯିବ। ଏହି ଅନୁଦାନରେ ୪ ଜଣ କର୍ମଚାରୀ ନିଯୁକ୍ତି, ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ଖାଦ୍ୟପେୟ, ପାନୀୟ ଜଳ, ବିଦ୍ୟୁତ ଦେୟ ଆଦି ପ୍ରଦାନ କରିବେ। ଉଲ୍ଲେଖଯୋଗ୍ୟ, ଏହି ଆଶ୍ରୟସ୍ଥଳରେ ୫୦ରୁ ଉର୍ଦ୍ଧ୍ବ ନିରାଶ୍ରୟ ଦୈନିକ ଆଶ୍ରୟ ନେଇପାରିବେ। କିନ୍ତୁ ଯାବତୀୟ ସମସ୍ୟା ଯୋଗୁଁ ନିରାଶ୍ରୟ ଏଠାକୁ ଆସିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏମିତିକି ହାଡ଼ଭଙ୍ଗା ଜାଡ଼ ସମୟରେ ମଧ୍ୟ ରେଳବାଇ ଷ୍ଟେସନ, ରାସ୍ତା କଡ଼, ଦୋକାନବଜାର ସମ୍ମୁଖରେ ଶୋଇବାକୁ ପ୍ରାଥମିକତା ଦେଉଛନ୍ତି। ଏମିତିକି ବିଗତ ଦିନରେ ଖୋଦ୍ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ରେଳ ଷ୍ଟେସନକୁ ଯାଇ ନିରାଶ୍ରୟଙ୍କୁ ନିବେଦନ କରିଥିଲେ, କିନ୍ତୁ ସେମାନେ ଆସିନଥିଲେ। ଆଉ ଏହା ପଛରେ ଏକାଧିକ କାରଣ ବି ରହିଛି।
ଆଶ୍ରୟସ୍ଥଳର ଧାର୍ଯ୍ୟ ସମୟସୀମା ନେଇ ଆରମ୍ଭରୁ ବିବାଦ ଦେଖାଦେଇଛି। ରାତି ୧୦ଟାରେ ଆଶ୍ରୟସ୍ଥଳ ଗେଟ୍କୁ ବନ୍ଦ କରିଦିଆଯାଉଛି। ଦିନସାରା ବହୁ ନିରାଶ୍ରୟ ବିଭିନ୍ନ ହୋଟେଲରେ ପ୍ଳେଟ୍ ସଫାକରଥିବାବେଳେ ଅନେକ ଜରିଗୋଟାଇବା, ରିକ୍ସା ଚଳାଇବା, ଭିକ୍ଷାବୃତ୍ତି ଆଦି କରୁଛନ୍ତି। କାମରୁ ଫେରିବା ବେଳକୁ ସମୟ ଅଧିକ ହୋଇଯାଉଥିବାରୁ ଏମାନେ ଆଉ ଆଶ୍ରୟସ୍ଥଳୀକୁ ପ୍ରବେଶ କରିପାରୁନାହାନ୍ତି। ଏହାସହ ଆଶ୍ରୟସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା ଅତି ଢ଼ିଲା। ଏଠାରେ ସୁରକ୍ଷା କର୍ମୀ/କର୍ମଚାରୀ ନ ଥିବାରୁ ଅନ୍ତୋବାସୀଙ୍କ ଟଙ୍କା, ସାମଗ୍ରୀ ଆଦି ନିୟମିତଭାବେ ଚୋରି ହେଉଛି। ଏତଦ୍ବ୍ୟତୀତ ଅନବରତ ଜଳ ଯୋଗାଣ, ପରିମଳ ବ୍ୟବସ୍ଥାକୁ ଦୃଷ୍ଟି ଦିଆଯାଉନି। ଏମିତିକି ବିଗତ ଦିନରେ ଆଶ୍ରୟସ୍ଥଳକୁ ବିବାହ ପାଇଁ ମଧ୍ୟ ଭଡ଼ାରେ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ସମସ୍ୟା ସମାଧାନରେ ଆର୍ଏମ୍ସି କର୍ତ୍ତୃପକ୍ଷଙ୍କ କ୍ରମାଗତ ଅବହେଳା ତଥା ଠିକାସଂସ୍ଥାକୁ ଦାୟିତ୍ବଭାର ଟେକି ଦେଇ ହାତବାନ୍ଧି ବସିବା ଯୋଗୁଁ ଏହି ଯୋଜନା ନିଜ ଲକ୍ଷ୍ୟ ହାସଲ ଯେ କରିବାପାରୁନି; ତାହା ନିଃସନ୍ଦେହ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/20-18.jpg)