୪ ଦିନ ପରେ ଶୀତ, ଓଡ଼ିଶାର କେତେକ ସ୍ଥାନର ରାତ୍ରି ତାପମାତ୍ରା ବଢ଼ିପାରେ

ଭୁବ‌ନେଶ୍ୱର : ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଥିବା ଜଣାପଡ଼ିଛି। କିନ୍ତୁ ରାଜ୍ୟର ଅବଶିଷ୍ଟ ସ୍ଥାନର ରାତ୍ରି ତାପମାତ୍ରାରେ କୌଣସି ବୃଦ୍ଧି ପରିଲକ୍ଷିତ ହୋଇନାହିଁ। ଅନ୍ୟପଟେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିଛି। ତେବେ ବଙ୍ଗୋପସାଗରରୁ ଉଷ୍ମ ଜଳୀୟ ପ୍ରସବଣ ବାୟୁର ପ୍ରବାହ ଫଳରେ ଆସନ୍ତା ୩ରୁ ୪ ଦିନ ଭିତରେ ଓଡ଼ିଶାର କେତେକ ସ୍ଥାନର ରାତ୍ରି ତାପମାତ୍ରା ବଢ଼ିପାରେ। କିନ୍ତୁ ସେମିତି ଆଖିଦୃଶିଆ ବଢ଼ିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଫଳରେ ଆସନ୍ତା ୪ ଦିନରେ ଶୀତ ବଢ଼ିବ ନାହିଁ। ତାପମାତ୍ରା ଅପରିବର୍ତ୍ତିତ ରହିବ। ଏହାପରେ ଶୀତ ଆରମ୍ଭ ହୋଇଯିବ ବୋଲି ସୂଚନା ମିଳିଛି।

କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଗତ ୨୪ ଘଣ୍ଟାରେ ସାରା ରାଜ୍ୟ‌ରେ ପାଗ ଶୁଖିଲା ରହିଥିଲା। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରି ରେକର୍ଡ ହୋଇଛି। ଦାରିଙ୍ଗବାଡ଼ିଠାରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ରହିଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। କିନ୍ତୁ ବଙ୍ଗୋପସାଗରରୁ ଉଷ୍ମ ଜଳୀୟ ପ୍ରସବଣ ବାୟୁ ଓଡ଼ିଶାର ଦକ୍ଷିଣ ଭାଗକୁ ପ୍ରବାହିତ ହେଉଥିବାରୁ ଏହାର ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ। ଏହା ଫଳରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବ। କିନ୍ତୁ ମୋଟ୍‌ ଉପରେ ଦେଖିବାକୁ ଗଲେ ରାଜ୍ୟର ରାତ୍ରି ତାପମାତ୍ରାରେ ଆସନ୍ତା ୩ରୁ ୪ ଦିନ ଭିତରେ ସେମିତି କିଛି ବଡ଼ ପରିବର୍ତ୍ତନ ଦେଖାଯିବ ନାହିଁ ବୋଲି ସେ କହିଛନ୍ତି। ଭୁବନେଶ୍ବରରେ ଗତ ୨୪ ଘଣ୍ଟା ମଧ୍ୟ‌ରେ ସର୍ବନିମ୍ନ ତାପମାତ୍ରା ୨୦.୩ ଡିଗ୍ରି ରେକର୍ଡ ହୋଇଥିବା‌ ‌ବେଳେ କଟକରେ ୧୯.୬ ଡିଗ୍ରି ତାପମାତ୍ରା ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର