ବାଲେଶ୍ବର/ଚାନ୍ଦିପୁର/ଧାମରା : ଡିଆରଡିଓ ଦ୍ୱାରା ବିକଶିତ ଅଗ୍ନି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଅତ୍ୟାଧୁନିକ ସଂସ୍କରଣ ‘ଅଗ୍ନି ପ୍ରାଇମ୍’କୁ ଭଦ୍ରକ ଜିଲ୍ଲା ଧାମରା ବଙ୍ଗୋପସାଗର ଉପକୂଳ ନିକଟ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ରାତ୍ରିକାଳୀନ ପରୀକ୍ଷଣ ସମୟରେ ‘ଅଗ୍ନି’ ନିର୍ଦ୍ଧାରିତ ସ୍ଥାନକୁ ଲକ୍ଷ୍ୟଭେଦ କରିଥିବା ଜଣାପଡ଼ିଛି। ଏହାପୂର୍ବରୁ ‘ଅଗ୍ନି ପ୍ରାଇମ୍’ କ୍ଷେପଣାସ୍ତ୍ରର ୩ଟି ସଫଳ ପରୀକ୍ଷଣ କରାଯାଇଛି। ରାଡାର, ଟେଲିମେଟ୍ରି ଓ ଇଲେକ୍ଟ୍ରୋ ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ୍ ପରି ଅତ୍ୟାଧୁନିକ ଉପକରଣ ସହିତ ୨ଟି ଜାହାଜରୁ ସମୁଦ୍ରରେ ‘ଅଗ୍ନି’ର ଗତିପଥକୁ ନିରୀକ୍ଷଣ କରିଥିଲେ ଡିଆରଡିଓର ପ୍ରତିରକ୍ଷା ବୈଜ୍ଞାନିକ।
ପରୀକ୍ଷଣ ସମୟରେ ସେନାବାହିନୀର ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏକାଧିକ ଥର ସଫଳ ବ୍ୟାବହାରିକ ପରୀକ୍ଷଣ ପରେ ସେନାରେ ଏହି କ୍ଷେପଣାସ୍ତ୍ରକୁ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି। ନୂତନ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ୍’ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ସଚିବ ଓ ଡିଆରଡିଓ ଅଧ୍ୟକ୍ଷ ଡ.ସମୀର ଭି କାମାତ ସମସ୍ତ ବୈଜ୍ଞାନିକ ଓ ସେନା ଅଧିକାରୀଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି।