କୋରାପୁଟ: ରାତ୍ରୀ ଜଗୁଆଳିଙ୍କ ହାତରେ ଚିକିତ୍ସା ଭାର। ପରିମିଶନ ଖରାଙ୍କ ହାତରେ ସବୁ ଚାଲିଥିବାବେଳେ ଜ‌ାଣି ଅଜଣା ରହିଛି ବିଭାଗ। ଏମିତି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି କୋରାପୁଟ ସଦରମହକୁମାର ଠାରୁ ମାତ୍ର ୮ କିଲୋମିଟ ଦୂରରେ ରହିଥିବା ବଡ଼ସୁକୁ ପଞ୍ଚାୟତରେ ଥିବା ଡାକ୍ତରଖାନାରେ। ଏହି ଡାକ୍ତରଖାନା ଉପରେ ଦୁଇଗୋଟି ପଞ୍ଚାୟତର ପନ୍ଦର ହଜାର ଲୋକେ ନିର୍ଭର କରୁଛନ୍ତି। ଡାକ୍ତର, ଫାର୍ମାସିଷ୍ଟ ପୋଷ୍ଟିଙ୍ଗ ରହିଛନ୍ତି କିନ୍ତୁ ଡାକ୍ତରଖାନାକୁ ନା ଆସୁଛନ୍ତି ଡାକ୍ତର ନା ଆସୁଛନ୍ତି ଫାର୍ମାସିଷ୍ଟ। ଡାକ୍ତର ଓ଼ ଫାର୍ମାସିଷ୍ଟ ଅନୁପସ୍ଥିତି ରହୁଥିବା ଯୋଗୁ ଚିକିତ୍ସାଳୟର ରାତ୍ରୀଜଗୁଆଳି ରୋଗୀଙ୍କୁ ଚିକିତ୍ସା କରିବା ସହିତ ନିଜେ ଇଞ୍ଜେକ୍ସନ ଦେଉଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ବିନା ତାଲିମରେ ରାତ୍ରୀ ଜଗୁଆଳି ଇଞ୍ଜେକ୍ସନ ଦେଉଥିବା ସମୟରେ ଯଦି ରୋଗୀଙ୍କ କିଛି ହୋଇଯାଏ ତେବେ ଏଠାରେ କିଏ ଦାୟୀ ରହିବ ବୋଲି ଗ୍ରାମବାସୀଙ୍କ ସହ ଡାକ୍ତରଖାନାକୁ ଆସୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। କୋରାପୁଟ ହେଡକ୍ୱାଟରରୁ ମାତ୍ର ଦଶ କିଲୋମିଟର ଦୂରରେ ରହିଛି ଏହି ଡାକ୍ତରଖାନା। ସହର ପାଖରେ ଥିବା ଚିକିତ୍ସାଳୟର ଏ ଅବସ୍ଥା ଅନ୍ୟ ଡାକ୍ତରଖାନା କଥା କିଏ ବା ପଚାରେ। ଭଗବାନଙ୍କ ଭରସା ଚାଲିଛି ଡାକ୍ତରଖାନା।

Advertisment

ଏନେଇ ମାଥାଲପୁଟ ବିପିଏମ ମଧୁ ପାଢୀ କହିଛନ୍ତି ଯେ ଏହି ଡାକ୍ତରଖାନାରେ ଡ.ମୁରଲୀ ସାଇ, ଫାର୍ମାସିଷ୍ଟ ଜ୍ୟୋତିପ୍ରକାଶ ମହାପାତ୍ର, ଜଣେ ଏଏନଏମ୍‌, ଜଣେ ଷ୍ଟାଫ ନସ, ଜଣେ ସଫେଇ କର୍ମଚାରୀଙ୍କ ସହ ଜଣେ ସୁରକ୍ଷାକର୍ମୀ ରହିଛନ୍ତି। ବହୁ ସମୟରେ ଆମେ ସରପ୍ରାଇଜ୍‌ ଭିଜିଟ୍‌ କରିଛୁ। ନିକଟରେ ଆମେ କରିଥିଲୁ ଜଣେ ଷ୍ଟାଫ୍‌ ଅନୁପସ୍ଥିତ ଥିବା ଜାଣି ତାଙ୍କୁ ରପୋର୍ଟ ମାଗିଥିଲୁ। ଘଟଣା ସମ୍ପର୍କରେ ଗଣମାଧ୍ୟମରୁ ଜାଣିବାକୁ ପାଇଲୁ, ଏଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।