ପଦ୍ମପୁର/ଗାଇସିଲଟ୍‌ : ବରଗଡ଼ ଜିଲ୍ଲା ମେଲଛାମୁଣ୍ଡାଠାରେ ଚାଲିଥିବା ଠାକୁର ନିଗମାନନ୍ଦ ସରସ୍ୱତୀଙ୍କ ୭୨ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ସୋମବାର ଉଦ୍‌ଯାପିତ ହୋଇଛି। ତିନିଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ନୀଳାଚଳ ସାରସ୍ୱତ ସଂଘ ପୁରୀ, କେନ୍ଦ୍ର ଆସନ ବୀରତୁଙ୍ଗଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଉଦ୍‌ଯାପନୀ ଦିବସର ପ୍ରଥମ ଅଧିବେଶନରେ ପ୍ରାର୍ଥନାସଭା ସକାଳ ୭ଟାରୁ ଆରମ୍ଭ ହୋଇ ସାଢ଼େ ୮ଟାରେ ଶେଷ ହୋଇଥିଲା। ପୂର୍ବାହ୍ଣ ୧୦ଟାରେ ବିଦାୟ ସଭା ଅନୁଷ୍ଠିତ ହୋଇଥିଲା। ଏହି ଭକ୍ତ ସମ୍ମିଳନୀରେ ସଙ୍ଗୀତ ଗାନ, ସ୍ତୋତ୍ର ବନ୍ଦନା, ଆରତି ଓ ଜୟଗୁରୁ ନାମ ସଂକୀର୍ତ୍ତନ ହୋଇଥିଲା।

Advertisment

ପଶ୍ଚିମ ଓଡ଼ିଶାରେ ଦୀର୍ଘଦିନ ପରେ ଏପରି ସମ୍ମିଳନୀ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍‌ ଆଦୃତ ହୋଇପାରିଛି। କାର୍ଯ୍ୟକ୍ରମ ପରିଚାଳନାରେ ପୁରୀ ନୀଳାଚଳ ସାରସ୍ବତ ସଂଘର ସଭାପତି ଗଗ‌ନେନ୍ଦ୍ର ମହାପାତ୍ର, ସଂପାଦକ ବ୍ରହ୍ମାନନ୍ଦ ବେହେରା, ସହସଂପାଦକ ନୃସିଂହଚରଣ ବଳ, କୋଷାଧ୍ୟକ୍ଷ ବସନ୍ତ ସ୍ବାଇଁ, ସଭ୍ୟ ବାଳକୃଷ୍ଣ ରାଉତ, ଯୁଧିଷ୍ଠିର ପରିଡ଼ା, ବ୍ରହ୍ମାନନ୍ଦ ସାହୁ, ବିଜୟ ବେହେରା, ସୁଧୀର ଲେଙ୍କା ଓ ବିଭୁଦତ୍ତ ଲେଙ୍କା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଆସନ୍ତା ୭୩ତମ ସମ୍ମିଳନୀ କେନ୍ଦ୍ରାପଡ଼ା ଜିଲ୍ଲା ଗଣ୍ତକୂଳ ଶାଖା ସଂଘଠାରେ ଅନୁଷ୍ଠିତ ହେବ। ଆଜି ଗଣ୍ତକୂଳ ଶାଖା ସଂଘ ତରଫରୁ ଶ୍ରୀଶ୍ରୀଠାକୁରଙ୍କୁ ଏବଂ ପରିଚାଳକ ତଥା ଭକ୍ତମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବିଦାୟ ପ୍ରାର୍ଥନା ପରେ ପୂଜା ଶେଷ ହୋଇଥିଲା।