ରାଉରକେଲା: ବିଜେପିର ରାଉରକେଲା ବିଧାନସଭା କ୍ଷେତ୍ର କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ନେଇ ସ୍ଥାନୀୟ ଏକ ହୋଟେଲ୍ରେ ଅନୁଷ୍ଠିତ ବୈଠକରେ ପ୍ରମୁଖ ଟିକେଟ ଆଶାୟୀ ନୀହାର ରାୟ ଯୋଗ ଦେଇନାହାନ୍ତି। ବୈଠକ ସରିବାପରେ ନୀହାରଙ୍କୁ ମନାଇବାକୁ ଜୁଏଲ ଓରାମ, ଦିଲୀପ ରାୟ, ପୂର୍ବତନ ଅର୍ବାନବ୍ୟାଙ୍କ ସଭାପତି ରାଜେଶ ମହାପାତ୍ରଙ୍କ ସମେତ ବିଜେପିର କିଛି ବରିଷ୍ଠନେତା ତାଙ୍କ ବାସନ୍ତିକଲୋନୀସ୍ଥ ବାସଭବନରେ ପହଞ୍ଚିଥିଲେ। ଦଳ ପାଇଁ କାମ କରିବାକୁ ପ୍ରାୟ ଅଧଘଣ୍ଟା ଧରି ବୁଝାସୁଝା କରିଥିଲେ। ହେଲେ, ନୀହାରଙ୍କୁ ମନାଇପାରି ନଥିଲେ। ଶେଷରେ ସେମାନେ ତାଙ୍କ ଘରୁ ଫେରି ଆସିଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ନୀହାରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଜୁଏଲ, ଦିଲୀପ ଓ ବିଜେପିର କିଛି କାର୍ଯ୍ୟକର୍ତ୍ତା ତାଙ୍କ ଘରକୁ ଆସିଥିଲେ। ନିର୍ବାଚନ ରଣନୀତି ସମ୍ପର୍କରେ ତାଙ୍କ ସହ ଆଲୋଚନା କରିଥିଲେ। ତେବେ, ଆଗାମୀଦିନରେ ଦଳ ପାଇଁ କାମ କରିବେ କି ନାହିଁ ବୋଲି ପଚାରିବାରୁ ସେ ଏ ସମ୍ପର୍କରେ କୌଣସି ଉତ୍ତର ଦେଇନଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବୈଠକରେ ରାଉରକେଲା ବିଧାନସଭା ଓ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରର ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରମିଳା ଦାସ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ, ଶଶାଙ୍କ ଜେନା, ରାଉରକେଲା ପ୍ରଭାରୀ ଶଙ୍କର ପୁଝାରୀ, ରାଉରକେଲା ସଂଯୋଜକ ଦିଲ୍ଲୀପ ପଟ୍ଟନାୟକ, ପୂର୍ବତନ ଅଳ୍ପସଂଖ୍ୟକ ରାଜ୍ୟ ଉପସଭାପତି ସଲାଲୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ। ରାଉରକେଲାରେ ଦିଲୀପ ଓ ରଘୁନାଥପାଲିରେ ଦୁର୍ଗା ତନ୍ତୀଙ୍କୁ ଟିକେଟ୍ ମିଳିବା ପରେ ଅସନ୍ତୁଷ୍ଟ ଥିବା ଧୀରେନ ସେନାପତି, ଜଗବନ୍ଧୁ ବେହେରାଙ୍କୁ ମଧ୍ୟ ବୈଠକରେ ଦେଖିବାକୁ ମିଳିଥିଲା।