ଭୁବନେଶ୍ବର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ୨୦୧୯ ମେ’ ୫ରେ ଅନୁଷ୍ଠିତ ହେବାକୁ ଥିବା ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ଲାଗି ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ଚଳିତବର୍ଷ ରେକର୍ଡ ସଂଖ୍ୟକ ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ୧୩ ଲକ୍ଷ ୨୬ହଜାର ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୫ଲକ୍ଷ ଟପିଛି। ଏଥର ପରୀକ୍ଷା ପାଇଁ ୧୫ ଲକ୍ଷ ୧୯ଲକ୍ଷ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ବିଦେଶୀ ବିଶ୍ବବିଦ୍ୟାଳୟରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଚଳିତବର୍ଷଠାରୁ କଡ଼ା ନିୟମ ହୋଇଛି। ବିଦେଶରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୨୦୧୯ରେ ନିଟ୍‌ ରୢାଙ୍କ ହାସଲ କରିବା ବାଧ୍ୟତାମୂଳକ ହୋଇଛି। ଯଦି କୌଣସି ଛାତ୍ରଛାତ୍ରୀଙ୍କର ନିଟ୍‌ ରୢାଙ୍କ ନ ଥିବ, ସେମାନେ ବିଦେଶରେ ପଢ଼ିବାରୁ ବଞ୍ଚିତ ହେବେ। ଏଭଳି ନିୟମ କରାଯିବା ପରେ ୨୦୧୯ ନିଟ୍ ପାଇଁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଆବେଦନ କରିଥିବା ଅନୁମାନ କରାଯାଉଛି। ଚଳିତବର୍ଷ ଛାତ୍ରଙ୍କ ତୁଳନାରେ ଅଧିକ ସଂଖ୍ୟକ ଛାତ୍ରୀ ନିଟ୍‌ ପା‌ଇଁ ଆବେଦନ କରିଛନ୍ତି। ଛାତ୍ରଙ୍କଠାରୁ ଛାତ୍ରୀଙ୍କ ସଂଖ୍ୟା ପ୍ରାୟ ଦେଢ଼ ଲକ୍ଷ ଅଧିକ ବୋଲି ଚଳିତବର୍ଷ ପ୍ରଥମଥର ପାଇଁ ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ସୂଚନା ମିଳିଛି।

Advertisment

ଗତବର୍ଷ ବୟସ ସୀମା ଉପରେ କଟକଣା ଲଗା ଯାଇଥିଲା। ସୁପ୍ରିମ୍‌କୋର୍ଟଙ୍କ ହସ୍ତକ୍ଷେପ ପରେ ୨୫ ବର୍ଷରୁ ଅଧିକ ବୟସର ଛାତ୍ରଛାତ୍ରୀ ବି ନିଟ୍‌ ଦେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଥର ୫ ହଜାର ୧୪୪ ଜଣ ଛାତ୍ରଛାତ୍ରୀ ୨୫ ବର୍ଷରୁ ଅଧିକ ବୟସର ରହିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୨ ଲକ୍ଷ ୧୯ ହଜାର ୮୮୩ ଜଣ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି। ଉତ୍ତର ପ୍ରଦେଶରେ ୧ ଲକ୍ଷ ୫୭ ହଜାର ୬୬୯ ଜଣ ରହିଥିବା ବେଳେ ତାମିଲନାଡ଼ୁରେ ୧ ଲକ୍ଷ ୪୦ ହଜାର ୩୮୫, ରାଜସ୍ଥାନରେ ୯୯ ହଜାର ୭୧୧ ଓ ବିହାରରେ ୮୪ ହଜାର ୪୪୩ ଜଣ ନାମ ପଞ୍ଜୀକରଣ କରିଛନ୍ତି। ଓଡ଼ିଶାରୁ ପ୍ରାୟ ୪୨ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ନିଟ୍‌ ପରୀକ୍ଷା ଦେବା ପାଇଁ ଦିଲ୍ଲୀ ସହର ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଛି। ୫୬ ହଜାର ୬୮୩ ଜଣ ଛାତ୍ରଛାତ୍ରୀ ଦିଲ୍ଲୀକୁ ପସନ୍ଦ କରିଥିବା ବେଳେ ବିହାରର ପାଟଣା ସହର ପାଇଁ ୫୨ ହଜାର ୪୨୦, ବେଙ୍ଗ‌ାଲୁରୁ ପାଇଁ ୪୨ ହଜାର ୩୭୫, କୋଟା ପାଇଁ ୪୨ ହଜାର ୬୪୪ଜଣ ପସନ୍ଦ କରିଛନ୍ତି। ଅନ୍ୟ ସହରଗୁଡ଼ିକରେ ୪୦ ହଜାରରୁ କମ୍‌ ପରୀକ୍ଷାର୍ଥୀ ରହିଛନ୍ତି। ଭୁବନେଶ୍ବର ପାଇଁ ୧୮ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ସୂଚନା‌ଯୋଗ୍ୟ ଯେ ମେ’ ୫ରେ ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ଲାଗି ନଭେମ୍ବର ୧ରୁ ଡିସେମ୍ବର ୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ଜୁନ୍‌ ୫ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଗତବର୍ଷ ପରି ଏଥର ମଧ୍ୟ ସମାନ ଭାଷା ଓ ନମ୍ବରର ପରୀକ୍ଷା କରାଯିବ।