ନିଟ୍‌ ପରୀକ୍ଷା ସ୍ଥଗିତ: ମେ’ ଶେଷ ସପ୍ତାହ ଯାଏ ଘୁଞ୍ଚିଲା ଜେଇଇ ମେନ୍‌ ଓ ନିଟ୍‌

ଏପ୍ରିଲ ୧୫ ପରେ ପରୀକ୍ଷାର୍ଥୀଙ୍କୁ ମିଳିବ ଆଡମିଟ୍‌ କାର୍ଡ

ଭୁବନେଶ୍ବର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ମେ’ ୩‌ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌(ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ) ପରୀକ୍ଷାକୁ ବାତିଲ୍‌ କରାଯାଇଛି। କରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ଦେଶ ଲକ୍‌ଡାଉନ୍‌ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଆର୍‌.ପି ନିଶାଙ୍କଙ୍କ ନିର୍ଦ୍ଦେଶକ୍ରମେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନ୍‌ଟିଏ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ବର୍ତମାନ କରୋନାକୁ ନେଇ ଦେଶରେ ଜାରି ରହିଥିବା ସ୍ଥିତିରେ ଖୁବ୍‌ଶୀଘ୍ର ସୁଧାର ଆସିବାର ସମ୍ଭାବନା ରହିଛି। ତେବେ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ସମ୍ପୃକ୍ତ ରହୁଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ପରୀକ୍ଷା ପରିଚାଳନା ସଂସ୍ଥା, ପରୀକ୍ଷାର୍ଥୀ, ପରୀକ୍ଷକ ପ୍ରସ୍ତୁତ ହେବାକୁ ସମୟ ଲାଗିବ। ତାହାକୁ ଦୃଷ୍ଟିରେ ରଖି ତାରିଖରେ କିଛିଟା ପରିବର୍ତ୍ତନ କରାଯାଇଛି। ମେ’ ୩ ତାରିଖ ବଦଳରେ ମେ’ ଶେଷ ସପ୍ତାହରେ ଏହି ପରୀକ୍ଷା କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରିଲେ ଉଭୟ ଜେଇଇ ମେନ୍‌ ଓ ନିଟ୍‌ ପାଇଁ ତାରିଖ ଘୋଷଣା କରାଯିବ ବୋଲି ଏନ୍‌ଟିଏ ସ୍ପଷ୍ଟ କରିଛି।

ନିଟ୍‌ ପାଇଁ ମାର୍ଚ୍ଚ ୨୭ତଥା ଆଜିଠାରୁ ପରୀକ୍ଷାର୍ଥୀଙ୍କ ନିକଟକୁ ପଠାଯିବାକୁ ଥିବା ଆଡମିଟ୍‌ କାର୍ଡ ଏବେ ଦିଆଯିବ ନାହିଁ। ଏପ୍ରିଲ ୧୫ ପରେ ଆଡମିଟ୍‌ କାର୍ଡ ପଠାଯିବ। ଶିକ୍ଷା କ୍ୟାଲେଣ୍ଡର ଓ ପରୀକ୍ଷା ତାରିଖ ଆମମାନଙ୍କ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ, ତା’ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ଦେଶର ପ୍ରତିଟି ଛାତ୍ରଛାତ୍ରୀ ଓ ନାଗରିକଙ୍କ ସୁରକ୍ଷା। ଯେଉଁଥିପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ଘୁଞ୍ଚିବା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ବ୍ୟସ୍ତବିବ୍ରତ ହେବା ଉଚିତ ନୁହେଁ। ବରଂ ଛାତ୍ରଛାତ୍ରୀ କିଭଳି ପାଠପଢ଼ାରେ ଅଧିକ ସମୟ ଅତିବାହିତ କରିପାରି‌ବେ, ଅଭିଭାବକ ସେଥିପ୍ରତି ଗୁରୁତ୍ବ ଦେବା ଆବଶ୍ୟକ। ପରୀକ୍ଷା ସମ୍ପର୍କରେ ଅଧିକ ଜାଣିବା ଲାଗି ଛାତ୍ରଛାତ୍ରୀ ଓ ଅଭିଭାବକ ‘ntaneet.nic.in’ ଓ ‘www.nta.ac.in’ ୱେବସାଇଟ୍‌କୁ ନିୟମିତ ଅନୁଧ୍ୟାନ କରନ୍ତୁ। ଛାତ୍ରଛାତ୍ରୀଙ୍କ ଦ୍ବାରା ପଞ୍ଜୀକୃତ ମୋବାଇଲ୍‌ ନମ୍ବର ଓ ଇ-ମେଲ୍‌ରେ ପରୀକ୍ଷା ସମ୍ପର୍କରେ ଅବଗତ କରାଯିବ। ଏଥିସହ ଛାତ୍ରଛାତ୍ରୀ ମୋବାଇଲ୍‌ ନମ୍ବର-୮୭୦୦୦୨୮୫୧୨, ୮୧୭୮୩୫୯୮୪୫, ୯୬୫୦୧୭୩୬୬୮, ୯୫୯୯୬୭୬୯୫୩ ଓ ୮୮୮୨୩୫୬୮୦୩ ମାଧ୍ୟମରେ ଅଧିକ ତଥ୍ୟ ଜାଣିପାରିବେ।

ସମ୍ବନ୍ଧିତ ଖବର