ନିଖିଳ ଓଡ଼ିଶା ଠିକାଦାର ମହାସଂଘର ଦାବି : ନୂଆ ନ’ତାଲା ଓ ଗୁରୁପ୍ରିୟା ସେତୁ ନିର୍ମାଣର ସିବିଆଇ ତଦନ୍ତ ହେଉ

ଭୁବନେଶ୍ୱର : ରାଜ୍ୟ ସଚିବାଳୟ ପଛପଟେ ନିର୍ମାଣ ଚାଲିଥିବା ନୂତନ ନ’ମହଲା କୋଠାର ସିବିଆଇ ତଦନ୍ତ ଦାବି କରିଛି ନିଖିଳ ଓଡ଼ିଶା ଠିକାଦାର ମହାସଂଘ। ଆଜି ମହାସଂଘ ପକ୍ଷରୁ ଲୋୟର ପିଏମ୍‌ଜିରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସଭାପତି ପ୍ରଭାତ ଦାଶ କହିଲେ, ରାଜ୍ୟରେ ସରକାରୀ କୋଠା ନିର୍ମାଣ ପାଇଁ ରାଜ୍ୟ ସରକାର ଠିକାଦାରଙ୍କୁ ବର୍ଗଫୁଟ୍‌ ପିଛା ୧୨ଶହ ଟଙ୍କା ଦେଉଥିବା ବେଳେ ନୂତନ ନ’ମହଲା ନିର୍ମାଣ କରୁଥିବା ଏଲ୍‌ ଏଣ୍ଡ ଟି କମ୍ପାନିକୁ ଅହେତୁକ ଅନୁକମ୍ପା ଦେଖାଯାଇଛି। ଏହି କମ୍ପାନିକୁ ବର୍ଗଫୁଟ୍‌ ପିଛା ମୂଳ ୪୧୦୦ ଟଙ୍କା ସହିତ ଏସ୍କାଲେସନ ଦର ଓ ମୋବିଲାଇଜେସନ୍‌କୁ ମିଶାଇ ୫ହଜାର ଟଙ୍କାରେ ନିର୍ମାଣ କାମ ଦିଆଯାଇଛି। କାହା ସ୍ୱାର୍ଥରେ ଏଲ୍‌ ଏଣ୍ଡ ଟି କମ୍ପାନିକୁ ଏତେ ଅଧିକ ଦରରେ କୋଠା ନିର୍ମାଣ କରିବାକୁ ଦିଆଯାଇଛି ଓ ଏଥିରେ କିଏ ଉପକୃତ ହୋଇଛନ୍ତି, ତାହାର ସିବିଆଇ ତଦନ୍ତ ହେବା ଦରକାର।

ସେହିପରି ଗୁରୁପ୍ରିୟା ସେତୁକୁ ପ୍ରାରମ୍ଭରେ ଗ୍ୟାମନ୍‌ ଇଣ୍ଡିଆକୁ ୫୫କୋଟି ଟଙ୍କାରେ ନିର୍ମାଣ କରିବାକୁ ଦିଆଯାଇଥିଲା। ତେବେ ଗ୍ୟାମନ୍‌ ଇଣ୍ଡିଆକୁ ମାଓବାଦୀଙ୍କ କବଳରୁ ଉପଯୁକ୍ତ ସୁରକ୍ଷା ନ ମିଳିବାରୁ କମ୍ପାନି କାମ କରିପାରିଲା ନାହିଁ। ଅପରପକ୍ଷରେ କମ୍ପାନିକୁ ଏହି କାମରୁ ଓହରିଯିବାକୁ ବାଧ୍ୟ କରାଗଲା। ମାତ୍ର ପରବର୍ତୀ ସମୟରେ ଗୁରୁପ୍ରିୟା ସେତୁର ନିର୍ମାଣ ପାଇଁ କୋଲାକାତାର ରୟାଲ ଇନ୍‌ଫ୍ରାକୁ ୧୭୮କୋଟି ଟଙ୍କାରେ କାମ ଦିଆଯାଇଛି। ରାଜକୋଷରୁ ଯେଉଁ ଅଧିକ ୧୨୩ କୋଟି ଟଙ୍କା ଖର୍ଚ କରାଗଲା, ତାହା କାହା ସ୍ୱାର୍ଥରେ ହୋଇଛି, ତାହାର ମଧ୍ୟ ତଦନ୍ତ ହେବା ଦରକାର।

ଗୋଟିଏ ପଟେ ରାଜ୍ୟ ସରକାର ଓଡ଼ିଶାର ଠିକାଦାରମାନଙ୍କୁ ଅବହେଳା କରି ଚାଲିଥିବା ବେଳେ ରାଜ୍ୟ ବାହାରର କମ୍ପାନିମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଚାଲିଛନ୍ତି। ଏଲ୍‌ ଏଣ୍ଡ ଟି, ରୟାଲ ଇନ୍‌ଫ୍ରା, ଗାର୍ଡେନ୍‌ ରିଚ୍‌ ଓ ବ୍ରିଜ ଏଣ୍ଡ ରୁଫ୍‌ ଭଳି କମ୍ପାନିମାନଙ୍କୁ ଧାର୍ଯ୍ୟ ଦରଠାରୁ ୩ଗୁଣ ଦରରେ କାମ ଦିଆଯାଉଛି। ରାଜ୍ୟରେ ଥିବା ୫ ହଜାର ଠିକାଦାରମାନଙ୍କୁ ୨୦୧୮ର ସିଡ୍ୟୁଲ ଦର ଓପିଡବ୍ଲ୍ୟୁଡି କୋଡ ୩.୪ ଅନୁପାତରେ ମାର୍କେଟ ଦର ଅନୁଯାୟୀ ତୁରନ୍ତ ନିର୍ଧାରଣ ଓ ପ୍ରକାଶ କରାଯାଉ। ହାଇକୋର୍ଟଙ୍କ ନିର୍ଦେଶନାମା ଅନୁଯାୟୀ ମୂଲ୍ୟବୃଦ୍ଧି ସଂପର୍କିତ ନୂତନ ନିର୍ଦେଶନାମା ତୁରନ୍ତ ପ୍ରକାଶ କରାଯାଉ। ୨୦୧୨ ମସିହା ଡିସେମ୍ବର ୨୧ ପିଛିଲା ତାରିଖରୁ ଏହାକୁ କାର୍ଯ୍ୟ କାର୍ଯ୍ୟକାରୀ କରାଯାଉ। ସଂପୃକ୍ତ ଠିକାଦାରଙ୍କୁ ପାଉଣା ତୁରନ୍ତ ପ୍ରଦାନ କରିବାକୁ ଶ୍ରୀ ଦାଶ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଠିକାଦାରମାନେ ଆନ୍ଦୋଳନ କରିବେ ବୋଲି ମହାସଂଘ ଚେତାବନୀ ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘର ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର