ଅର୍ଥ ବିଭାଗର ବୈମାତୃକ ମନୋଭାବ ଅଭିଯୋଗ : ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ଅଙ୍ଗୋଟିଆ

ଭୁବନେଶ୍ୱର : ଅର୍ଥ ବିଭାଗର ବୈମାତୃକ ମନୋଭାବ, ସପ୍ତମ ବେତନ କମିସନରେ ଅଧ୍ୟାପକଙ୍କ ଦରମା, ପେନସନ୍‌ ଓ ଭତ୍ତାରେ ପକ୍ଷପାତିତା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ନିଖିଳ ଓଡ଼ିଶା ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ(ଅଙ୍ଗୋଟିଆ)। ସଂଘ ପକ୍ଷରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ବେସରକାରୀ କଲେଜରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ଅନୁଯାୟୀ ୨୦୧୬ ଜାନୁଆରିରୁ ବର୍ଦ୍ଧିତ ଦରମା ଦେବା ପରିବର୍ତେ ଏହାକୁ ବିନା ବକେୟା ଦରମାରେ ୨୦୧୭ ଅକ୍ଟୋବରରୁ ନଗଦ ଆକାରରେ ଦେବା ଲାଗି ବିଜ୍ଞପ୍ତି ଜାରି ହୋଇଥିଲା। ଏହାପରେ ଚଳିତ ମାସ ୧୬ ତାରିଖରେ ଉଚ୍ଚଶିକ୍ଷା ଓ ଅର୍ଥ ବିଭାଗ ଦ୍ୱାରା ଅନୁମୋଦିତ ସଂକଳ୍ପରେ ବେସରକାରୀ ପୂର୍ଣ୍ଣ ଅନୁଦାନ କଲେଜର ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀମାନେ ବର୍ଦ୍ଧିତ ପେନ୍‌ସନ ଓ ବକେୟା ଦେୟ ୨୦୧୬ ଜାନୁଆରି ପରିବର୍ତେ ୨୦୧୭ ଅକ୍ଟୋବରରୁ ପାଇବେ ବୋଲି ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଗ୍ରାଚୁଇଟି ୧୫ ଲକ୍ଷ ଟଙ୍କା ସର୍ବୋଚ୍ଚ ସୀମା ଥିିବା ବେଳେ ଅବସରପ୍ରାପ୍ତ ଅଧ୍ୟାପକଙ୍କ କ୍ଷେତ୍ରରେ ୫ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି। ବେସରକାରୀ କଲେଜ ଲାଗି ଭିନ୍ନ ମାପଦଣ୍ଡ ଗ୍ରହଣ କରିବା ମଧ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାରୀ କର୍ମଚାରୀଙ୍କ ପାଇଁ ଗୋଟିଏ ସୁପାରିସ୍‌ ଓ ବେସରକାରୀ କଲେଜ କ୍ଷେତ୍ରରେ ଅନ୍ୟ ଏକ ସୁପାରିସ୍‌ ଅଧ୍ୟାପକ ଓ କର୍ମଚାରୀଙ୍କ ମହଲରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାରେ ହସ୍ତକ୍ଷେପ କରି ଅର୍ଥ ବିଭାଗର ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରି ସମସ୍ତଙ୍କ ପାଇଁ ସମାନ ଦରମା ଓ ପେନ୍‌ସନ ନୀତି ଗ୍ରହଣ କରିବାକୁ ସଂଘର ସାଧାରଣ ସମ୍ପାଦକ ଚିତ୍ତ ମହାପାତ୍ର, ସଭାପତି ଶରତ ପାଣିଗ୍ରାହୀ, ସଙ୍ଗଠନ ସମ୍ପାଦକ ମଦନ ମହଲ୍ଲା, ବନମାଳୀ ପାଣିଗ୍ରାହୀ, ଚିତ୍ତରଞ୍ଜନ ମିଶ୍ର ଦାବି କରିଛନ୍ତି।

ସମ୍ବନ୍ଧିତ ଖବର